ସୁର ଭାଇଙ୍କ ସହ ହୋଲି ଖେଳିଲେ ଅଭିନେତ୍ରୀ ନିଶା ମହାରଣା, ଲୋକ କହିଲେ କଂଗ୍ରେସରେ ଯୋଗ ଦେବେ କି ନିଶା

ଆଜିର ସମୟରେ ଏକ ବ୍ୟକ୍ତି ସୋସିଆଲ ମିଡିଆରେ କେତେବେଳେ ରାତାରାତି ଫେମସ୍ ହୋଇଯିବ ତାହା କହିହେବ ନାହିଁ। ତେବେ ଏହିପରି ଅଚାନକ ଫେମସ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତ୍ରୀ ନିଶା ମହାରଣା।

ଖୁବ୍ କମ୍ ସମୟ ମଧ୍ୟରେ ନିଶା ଆଜି ସାରା ଓଡ଼ିଶାର ଘରେ ଘରେ ପରିଚିତ। ତେବେ ଏହା ମଧ୍ୟରେ ନିଶାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଗତ କାଲି ରଙ୍ଗର ପର୍ବ ହୋଲି ଅବସରରେ ନିଶା ରାଜ୍ୟ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସହ ହୋଲି ଖେଳିଛନ୍ତି।

ଆଜି କଂଗ୍ରେସ ଭବନରେ ବାଜା ବଜାଇ ଏକ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ତେବେ ସୁରଙ୍କ ସହିତ ଆଜି କଂଗ୍ରେସ ଭବନରେ ରଙ୍ଗ ଉତ୍ସବରେ ସାମିଲ ହୋଇଥିଲେ ଅଭିନେତ୍ରୀ ନିଶା। ନିଶା କଂଗ୍ରେସରେ ଯୋଗ ଦେବା ନେଇ ପ୍ରଶ୍ନର ଉତ୍ତରରେ ସୁର କହିଥିଲେ ଯେ,” ଆମେ ପ୍ରତିବର୍ଷ ହୋଲି ପାଳନ କରୁ।

50 ବର୍ଷରୁ ଅଧିକ ବର୍ଷ ଧରି ଆମେ କଂଗ୍ରେସ ଭବନରେ ହୋଲି ପାଳନ କରିଆସୁଛୁ। ନିଶା ଜଣେ ବଡ଼ କଳାକାର। ସେ ଓଡ଼ିଶାର ଜଣେ ବଡ଼ ପ୍ରତିଭା, ତାଙ୍କର ଅଭିନୟରେ ଦର୍ଶକ ମୁଗ୍ଧ ହୋଇପଡ଼ୁଛନ୍ତି। ସେ ଫିଲ୍ମ ଏବଂ ସଙ୍ଗୀତ ଦୁନିଆରେ ଲୋକଙ୍କର ହୃଦୟକୁ କିଣିସାରିଛନ୍ତି। ସେ ବହୁତ ଆଗକୁ ଯାଆନ୍ତୁ ଏହା ହିଁ ଆମର ଇଛା।”

ଏହି ଅବସରରେ ନିଶା କହିଥିଲେ ଯେ,” ଆଜି ଏକ ପବିତ୍ର ଦିନରେ ମୁଁ ସୁର ଭାଇଙ୍କ ସହିତ ସାକ୍ଷାତ କରି ନିଜକୁ ଧନ୍ୟ ମନେକରୁଛି। ଭାଇଙ୍କୁ ଶ୍ରୀଜଗନ୍ନାଥ ଭଲରେ ରଖନ୍ତୁ ଏହି ହିଁ ମୋର ତାଙ୍କ ଠାରେ ପ୍ରାର୍ଥନା। ତେବେ ହୋଲି ଅବସରରେ କଂଗ୍ରେସରେ ଯୋଗଦେବା ନେଇ କିଛି ଯୋଜନା ଅଛି କି ନା ପ୍ରଶ୍ନର ଉତ୍ତରରେ ନିଶା କହିଥିଲେ, ସେପରି କିଛି ନାହିଁ।

କଂଗ୍ରେସ ଦଳକୁ ଆମ ପରିବାରରେ ସମସ୍ତେ ଖୁବ୍ ଭଲ ପାଆନ୍ତି। ସୁର ଭାଇଙ୍କୁ ମୁଁ ହୃଦୟରୁ ଭଲ ପାଏ, ମୋତେ ଆଜି ବହୁତ ଖୁସି ଲାଗିଲା। ସେଲିବ୍ରେଟିଙ୍କ ସହିତ ମୁଁ ଆଜି ନହେଲେ କାଲି ହୋଲି ଉତ୍ସବ ପାଳନ କରିପାରିବି,କିନ୍ତୁ ସୁର ଭାଇଙ୍କୁ ଦେଖା କରିବାକୁ ମୁଁ ଅଧିକ ପ୍ରାଥମିକତା ଦେଲି।”

Leave a Reply

Your email address will not be published. Required fields are marked *