ହକି ବିଶ୍ୱକପ ପାଇଁ ରାସ୍ତାକଡ଼ରେ ଠିଆ ହୋଇପାରିବେ ନାହିଁ କିନ୍ନର, ଏପରି ନିଷ୍ପତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସମାଜସେବୀ ମଧୁମିତା ରଥ।:-

ଆସନ୍ତା ଜାନୁଆରୀ ମାସରୁ ରାଜ୍ୟର ଭୁବନେଶ୍ୱର ଏବଂ ରାଉରକେଲା ସହରରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସୌନ୍ଦର୍ଯ୍ୟତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ସମୟରେ ଦେଶ ବିଦେଶର ଅନେକ ଲୋକ ରାଜ୍ୟକୁ ଆଗମନ କରିବେ।

ତେଣୁ ସେ ସମୟରେ ରାସ୍ତାରେ କିପରି ଭିଡ଼ ନ ଜମିବ ଏବଂ ଚାରିଆଡ଼ ପରିଷ୍କାର ପରିଚ୍ଛନ୍ନ ଦେଖାଯିବ, ଏପରିକି ବୁଲା ଗାଈଗୋରୁଙ୍କୁ ମଧ୍ୟ କିପରି ନିୟନ୍ତ୍ରଣ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଏହି ସମୟରେ ରାଜଧାନୀରେ ଦେହଜିବୀ, ଭିକାରୀ ଏବଂ କିନ୍ନରଙ୍କ ଉପରେ ନଜର ରଖାଯିବ।

ବିଶେଷ କରି କିନ୍ନରମାନଙ୍କୁ ରାଜଧାନୀର ରାଜରାସ୍ତାରେ ଛିଡ଼ା ନହେବାକୁ ବାରଣ କରାଯାଇଛି। ଅଧିକାଂଶ ସମୟରେ କିନ୍ନରମାନେ ରାତି ଅଧରେ ରାସ୍ତାକଡ଼ରେ ଛିଡ଼ା ହେଉଥିବା ଦେଖାଯାଉଛି। ତେଣୁ ପୋଲିସ ପକ୍ଷରୁ ଏ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି। ଯଦି କୌଣସି କିନ୍ନର ଛିଡ଼ା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ପୋଲିସର ଏହି ପଦକ୍ଷେପକୁ ନେଇ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ସମାଜ ସେବୀ ମଧୁମିତା ରଥ। ସେ କହିଛନ୍ତି ଯେ କିନ୍ନର ମାନଙ୍କୁ ସମାଜରେ ଲୋକମାନେ ଖରାପ ନଜରରେ ଦେଖୁଛନ୍ତି ଯାହା ସମ୍ପୂର୍ଣ୍ଣ ଅନୁଚିତ କାର୍ଯ୍ୟ ଅଟେ। କିନ୍ନରମାନେ ମଧ୍ୟ ମଣିଷ ସେମାନେ ମଧ୍ୟ ମାଆ ପେଟରୁ ଜନ୍ମ ହେଇଛନ୍ତି। ସେମାନେ ଯେତେ ପାଠ ପଢିଲେ ମଧ୍ୟ ସମାଜର ଲୋକ ମାନେ ତାଙ୍କୁ ଭଲ ଦୃଷ୍ଟିରେ ଦେଖୁନାହାନ୍ତି।

ଆଉ ଏମିତି ରେ ବି ପୋଲିସ ଏବଂ ରାଜ୍ୟ ସରକାର ରାସ୍ତା କଡରେ କିନ୍ନର ଏବଂ ଦେହଜୀବୀଙ୍କୁ ଠିଆ ହେବାରେ ଯେଉଁ ରୋକ ଲଗାଇଛନ୍ତି ସେଥିରେ ଏବେ ଏମାନେ ଚଳିବେ କିପରି। ଖାଇବେ କଣ। ମାସ ମାସ ଧରି କିନ୍ନର ମାନେ ବସି ରହିଲେ ସେମାନଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହେବ। ତେଣୁ ପ୍ରଥମେ କିନ୍ନରଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ। ଏହାର କିଛି ସମାଧାନ ନକଲେ ଆଗାମୀ ଦିନରେ ପ୍ରତିବାଦ ପରି ଦୃଶ୍ୟ ଦେଖିବାକୁ ମିଳିବ।

କିନ୍ନର ମାନେ ପାଠ ପଢ଼ିଛନ୍ତି ସେମାନେ ମଧ୍ୟ ମୁଣ୍ଡ ଟେକି ସମାଜରେ ଚାଲିବା ଉଚିତ। ଲୋକମାନେ ତ ଅନେକ କଥା କହିବେ କିନ୍ତୁ ସରକାରଙ୍କୁ ହିଁ ଭାବିବା ଉଚିତ ଯେ କିନ୍ନରଙ୍କର ମଧ୍ୟ ଅଧିକାର ରହିଛି। କିନ୍ନର ମାନଙ୍କୁ ସରକାର ଚାକିରୀ ଦେବା ଉଚିତ। ଏହା କିନ୍ନର ମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ କେବଳ ସାହାଯ୍ୟ କରିବ ନାହିଁ ବରଂ ସେମାନଙ୍କ ପ୍ରତି ଥିବା ସମାଜର ଦୃଷ୍ଟିକୋଣ ମଧ୍ୟ ବଦଳିଯିବ। ସରକାର ଏ ବାବଦରେ ଏକ ଯୋଜନା ଆରମ୍ଭ କରିବା ଉଚିତ।

Leave a Reply

Your email address will not be published. Required fields are marked *