ସ୍ତ୍ରୀ ଉପରେ ଅଭିମାନ କରି ଭାତ ଛାଡ଼ିଦେଇଛନ୍ତି ବୃଦ୍ଧ, 42 ବର୍ଷ ଧରି ଖାଉଛନ୍ତି କେବଳ ମୁଢି

ଆମ ଓଡ଼ିଆରେ ଭାତ ହେଉଛି ପ୍ରଧାନ ଖାଦ୍ୟ। ଗୋଟିଏ ଦିନ ବି ଭାତ ନଖାଇଲେ କିଛି ଭଲ ଲାଗେ ନାହିଁ। କିନ୍ତୁ ଆପଣ କେବେ ଶୁଣିଛନ୍ତି ଯେ କୌଣସି ଏକ ବ୍ୟକ୍ତି ଦୀର୍ଘ 42 ବର୍ଷ ଧରି ଭାତ ଖାଉନାହିଁ। ଆଉ ଏହାର କାରଣ ହେଉଛି ତାଙ୍କ ସ୍ତ୍ରୀ ଠିକ ସମୟରେ ତାଙ୍କୁ ଭାତ ନଦେବାରୁ ସେ ଅଭିମାନ କରି ଏପରି କାର୍ଯ୍ୟ କରିଛନ୍ତି। କଥାଟି ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଦମ୍ପତିଙ୍କ ନାମ ମଧ୍ୟ ରାମାୟଣ ଚରିତ୍ରର ନାମ ପରି ଅଟେ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ନାମ ରାମ-ସୀତା।

ତେବେ ସୂଚନା ଅନୁସାରେ ଉଭୟ ସ୍ୱାମୀ-ସ୍ତ୍ରୀ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ଭିକିପୁର ଗାଁର ବାସିନ୍ଦା। ରାମଚନ୍ଦ୍ର ମାଝୀ ନାମକ ଏହି ବୃଦ୍ଧ ଜଣକ ଜଣେ ଦିନ ମଜୁରିଆ । ପରଘରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। କାମ କରି ଆସିବା ପରେ ନିଜ ସ୍ତ୍ରୀକୁ ଖାଇବା ମାଗନ୍ତି।

ସବୁଦିନ ପରି ସେଦିନ ମଧ୍ୟ କାମରୁ ଫେରି ରାମ ନିଜ ସ୍ତ୍ରୀଙ୍କୁ ଭାତ ଖାଇବାକୁ ମାଗିଥିଲେ। କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ଭାତ ରାନ୍ଧିପାରି ନଥିଲେ। ସ୍ବାମୀ କିନ୍ତୁ ବୁଝିବାକୁ ଚେଷ୍ଟା କଲେ ନାହିଁ ଏବଂ ସେବେଠାରୁ ଜିଦ ଧରି ବସିଲେ ଯେ ସେ ଆଉ ଭାତ ଖାଇବେ ନାହିଁ।

ଆଉ ସେହି ଦିନଠାରୁ ଭାତ ଖାଇବା ଛାଡି ଦେଇଥିଲେ। ଅବଶ୍ୟ ଉଭୟଙ୍କ ସମ୍ପର୍କ ଭଲ ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଚୁଡା, ମୁଢି, ଚା ଜଳଖିଆ ଖାଇ ଜୀବନ ନିର୍ବାହ କରିଆସୁଛନ୍ତି। ତେବେ ବୃଦ୍ଧ ଜଣଙ୍କୁ ଏବେ 76 ବର୍ଷ ବୟସ ହେଲାଣି କିନ୍ତୁ ତଥାପି ନିଜ ପରିବାର ପ୍ରତିପୋଷଣ କରିବାରେ କୌଣସି ହେଳା କରୁନାହାଁନ୍ତି।

ବୃଦ୍ଧ ଜଣକ 22 ବର୍ଷ ବୟସରେ ବିବାହକରିଥିଲେ। ଏତେ ବର୍ଷ ଭିତରେ ତାଙ୍କ ପିଲାମାନେ, ସମ୍ପର୍କୀୟ ଲୋକ ଏବଂ ନିଜ ସ୍ତ୍ରୀଙ୍କ ଏତେ ବୁଝେଇବା ପରେ ମଧ୍ୟ ସେ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ ଘଟଣାଟି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *