ଜର୍ମାନୀ ଝିଅ ହେଲେ ଓଡ଼ିଆ ଘରର ବୋହୂ,ଓଡ଼ିଆ ସଂସ୍କୃତି ପରମ୍ପରା ଓ ରୀତିନୀତି ଅନୁସାରେ ସମ୍ପନ୍ନ ହେଲା ବାହାଘର,ଦେଖନ୍ତୁ ଭିଡ଼ିଓ

ଗଭାରେ ଗଜରା, ହାତରେ ମେହେନ୍ଦୀ ନାଇ ବେଦୀରେ ବସିଲେ ବିଦେଶିନୀ । ପ୍ରେମ ପାଇଁ ସାତଦରିଆ ପାରିହୋଇ ଓଡ଼ିଶାର ବୋହୂ ଜର୍ମାନୀର ଝିଅ ଏମା ୱେଦେମଷେକ । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ଭାରତୀୟ ବୋହୁ ହେବାର ସ୍ୱପ୍ନ ସାକାର ହୋଇଛି । ଭାରତୀୟ ସଂସ୍କୃତିକୁ ଭଲ ପାଇ ଭାରତୀୟ ବୋହୂ ହୋଇ ନିଜକୁ ଗର୍ବିତ ମନେ କରିଛନ୍ତି ଜର୍ମାନୀର ଝିଅ ।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ଗାଁରେ ଏପରି ଏକ ବିବାହର ଉତ୍ସବ ଦେଖିବାକୁ ମିଳିଥିଲା । ଦେଢ଼ଗାଁ ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିଚ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି । ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା ୱେଦେମଷେକ ନାମକ ଝିଅ ମଧ୍ୟ କାମ କରନ୍ତି । ଉଭୟ ସହକର୍ମୀ ହୋଇଥିବା ବେଳେ ସବୁ ଦିନ ଦେଖାଚାହାଁ ମଧ୍ୟରେ ପ୍ରଥମେ ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ମନ ଦିଆନିଆ ପର୍ବ । ପ୍ରେମରେ ପଡ଼ିଯାଇଥିଲେ ଦୁଇ ଜଣ । ତେବେ ତିନି ବର୍ଷ ପ୍ରେମ ସମ୍ପର୍କ ପରେ ପୁଅ ଝିଅ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ

ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ପରେ ଭାରତୀୟ ସଂସ୍କୃତି ଅନୁସାରେ ଚଳିତ ମାସ ୨୦ ତାରିଖ ଭୁବନେଶ୍ୱରର ଏକ ହୋଟେଲରେ ବିବାହ ସମ୍ପନ୍ନ ହୋଇଛି । ତେବେ ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଥିଲେ ନବ ଦମ୍ପତ୍ତି । ଯେଉଁଠାରେ ରିସେପ୍ସନ୍ ପାର୍ଟି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ କନ୍ୟା ପକ୍ଷରୁ ମୋଟ ୧୩ ଜଣ ଲୋକ ସାମିଲ ହୋଇଥିଲେ ଏହି ବବାହ ଉତ୍ସବରେ ।

ଆଉ ସେମାନଙ୍କୁ ଓଡ଼ିଶାର ସଂସ୍କୃତି, ପରମ୍ପରା, ରୀତିନୀତି, ଖାଦ୍ୟପେୟ ଓ ପୋଷାକ ପରିଧାନ ଶୈଳୀ ଖୁବ୍‌ ଭଲ ଲାଗିଥିଲା କହିଛନ୍ତି । ସେହିପରି ପୁଅ ଘର ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଓ ସମାଜ ଲୋକଙ୍କୁ ନେଇ ମଧ୍ୟ ଏକ ଭୋଜିର ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସମୟରେ ବିଦେଶୀମାନେ ଭାରତୀୟ ସଂସ୍କୃତି ପ୍ରତି ବେଶ ଆକର୍ଷିତ ହେଉଥିବାର ଦେଖିବାକୁ ମିଳୁଛି । ଓଡିଆ ରିତିନୀତି ଓ ପରମ୍ପରା ମଧ୍ୟ ସେମାନଙ୍କୁ ବିଭୋର କରୁଛି ।

Leave a Reply

Your email address will not be published. Required fields are marked *