ଶସ୍ତାରେ ତେଲ କିଣିବ ଭାରତ ! ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ?

ନିଜର ଆବଶ୍ୟକତାର ୮୨% ତେଲ ଆମଦାନି କରୁଥିବା ଭାରତ ରିହାତିରେ ମିଳୁଥିବା ରୁଷର ତେଲ କିଣିବା ବିଷୟରେ ଗମ୍ଭୀରତାର ସହିତ ବିଚାର କରୁଛି। କେବଳ ତେଲ ନୁହେଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହା ରୁଷରୁ ମଗାଇବା ପାଇଁ ଚାହୁଁଛି। ସାର ଉତ୍ପାଦନରେ ବ୍ୟବହାର ହେଉଥିବା କଞ୍ଚାମାଲ ରୁଷ ଓ ବେଲାରୁଷରୁ ଆମଦାନି କରିବା ପାଇଁ ଭାରତ ପ୍ରସ୍ତୁତ ହେଉଛି। ଯେହେତୁ ରୁଷ ଉପରେ କଠୋର କଟକଣା ଲାଗି ରହିଛି ତେଣୁ ଡଲାରରେ କାରବାର ହୋଇପାରିବ ନାହିଁ।

ତେଣୁ ଭାରତୀୟ ମୁଦ୍ରା ଟଙ୍କାରେ ପେମେଣ୍ଟ କରିବା ପାଇଁ ଭାରତ ଚାହୁଛି। ଟଙ୍କା ଓ ରୁଷର ମୁଦ୍ରା ରୁବଲ ମଧ୍ୟରେ କାରବାର କରିବା ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ବିଚାର କରାଯାଉଛି। ତେବେ ଅତୀତରେ ଇରାନ ସହିତ ଟଙ୍କାରେ ତେଲ କାରବାର ହେଉଥିଲା। ସାଧାରଣତଃ ରୁଷର ଭାରତ ୨-୩ ପ୍ରତିଶତ ତେଲ ମଗାଇଥାଏ। ମାତ୍ର ୟୁକ୍ରେନ ଉପରେ ରୁଷ ଆକ୍ର-ମଣ କରିବା ପରେ ଅଶୋଧିତ ତୈଳ ଦରରେ ୪୦ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଭାରତ ବର୍ତ୍ତମାନ ଚିନ୍ତିତ ହୋଇପଡ଼ିଛି।

ଗତବର୍ଷ ନଭେମ୍ବର ମାସ ବେଳକୁ ‌ତେଲର ଦାମ ୮୨ ଡଲାର ପାଖାପାଖି ଥିଲା। ତେବେ ୟୁକ୍ରେନ୍-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ ତାହା ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ତାହା ୧୨୫-୧୩୦ ଡଲାର ପାଖାପାଖି ରହିଛି। ଏଭଳି ଏକ ସମୟରେ ରୁଷ ବଡ଼ ଧରଣର ରିହାତିରେ ଭାରତକୁ ତେଲ ବିକ୍ରି କରିବ ବୋଲି ପ୍ରସ୍ତାବ ଦେଇଛି। ସେହି ପ୍ରସ୍ତାବକୁ ଖୁସିର ସହ ଗ୍ରହଣ କରିବା ବିଷୟରେ ବର୍ତ୍ତମାନ ସରକାର ବିଚାର କରୁଛନ୍ତି।

ଟ୍ୟାଙ୍କର, ବୀମା ସୁବିଧା ଓ ତୈଳ ମିଶ୍ରଣକୁ ନେଇ ରହିଥିବା ସମସ୍ୟାକୁ ଦୂର ହେବା ପରେ ରୁଷ ଦେଇଥିବା ରିହାତି ପ୍ରସ୍ତାବକୁ ଭାରତ ଗ୍ରହଣ କରିବ। ରୁଷ ଉପରେ ଆମେରିକା ଓ ଅନ୍ୟାନ୍ୟ କ୍ଷମତାଶାଳୀ ଦେଶ ବର୍ତ୍ତମାନ କଠୋର କଟକଣା ଲଗାଇଥିବାରୁ ପୁଟିନଙ୍କ ନେତୃତ୍ବାଧୀନ ଦେଶରୁ ତେଲ କିଣିବା ଲାଗି ବହୁ ଦେଶ ବର୍ତ୍ତମାନ କୁଣ୍ଠା ପ୍ରକାଶ କରୁଛନ୍ତି। ସେମାନେ ଆମେରିକାର ରୋଷର ଶିକାର ହେବାକୁ ଚାହୁଁନାହାନ୍ତି। ମାତ୍ର ଭାରତ କହୁଛିଯେ ରୁଷ ଉପରେ ଲଗାଯାଇଥିବା କଟକଣା ତୈଳ କାରବାର ଉପରେ ଲାଗୁ ହୋଇନାହିଁ।

ତେବେ ଭାରତ କେତେ ତେଲ ରୁଷରୁ ମଗାଇବ ଓ କେତେ ରିହାତି ମିଳିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରୁଷ ହେଉଛି ଭାରତର ଏକ ମିତ୍ର ରାଷ୍ଟ୍ର। ପ୍ରତିରକ୍ଷା କ୍ଷେତ‌୍ରରେ ସହଯୋଗିତା ବ୍ୟତୀତ ଜାତିସଂଘରେ ମଧ୍ୟ ଭାରତ ସପକ୍ଷରେ ଏହା ବହୁବାର ସ୍ବର ଉତ୍ତୋଳନ କରିଛି। ତେଲକୁ ନେଇ ଭାରତ ଏକ ବଡ଼ ଯୋଜନା ଉପରେ କାର୍ଯ୍ୟ ମଧ୍ୟ କରୁଛି। କେବଳ ରୁଷ ତେଲ ବ୍ୟତୀତ ଏହା ଇରାନ ଓ ଭେନେଜୁଏଲାରୁ ଅଧିକ ତେଲ କିଣିବା ପାଇଁ ଚାହୁଛି।

ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ରାଷ୍ଟ୍ର ସମୂହ ଉତ୍ପାଦନ ବଢ଼ାଇବା ପରେ ତେଲର ଦର ହ୍ରାସ ପାଇବ ବୋଲି କୁହାଯାଉଛି। ତେବେ କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିଥିଲେ ମଧ୍ୟ ମହାରାଷ୍ଟ୍ର ଓ କେରଳ ସମେତ ଦେଶର ୯ଟି ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍‌ରୁ ଭାଟ୍‌ ହ୍ରାସ କରିନାହାନ୍ତି ବୋଲି ପେ‌ଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହରେ କହିଛନ୍ତି।

ସେଥିପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ୍ ଦାମ୍ ଅଧିକ ରହିଛି। ମହାମାରୀ ପ୍ରଭାବରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନି, ବ୍ରିଟେନ୍ ଓ ସ୍ପେନ୍‌ରେ ତେଲ ଦାମ୍ ୫୦% ରୁ ୬୦% ବଢ଼ିଥିବା ସମୟରେ ଭାରତରେ ମାତ୍ର ୫%ର ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *