ମାର୍ଚ୍ଚରେ ଆସିପାରେ ବାତ୍ୟା ! ୨୦ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ !

ଗ୍ରୀଷ୍ମର ପହିଲି ତାଉ ଆରମ୍ଭ ହୋଇ ଯାଇଥିବାବେଳେ ଉଙ୍କି ମାରିଲାଣି ବାତ୍ୟା ଆ-ଶଙ୍କା । ଆସନ୍ତା ୨୨ ତାରିଖବେଳକୁ ବଙ୍ଗୋପସାଗରରେ ବାତ୍ୟ ସୃଷ୍ଟି ପାଇଁ ଦାନା ବାନ୍ଧିବ । ଏମିତି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି ବିଭିନ୍ନ ପାଣିପାଗ ମଡେଲ୍‌ । ଏହାର ତୀବ୍ରତା, ଗତିପଥ ନେଇ ଏବେଠାରୁ ଆକଳନ କରିହେବନି । ଲଘୁଚାପ ସୃଷ୍ଟି ହେବା ପରେ ସେତେବେଳର ଜଳବାୟୁ ସ୍ଥିତି ଅନୁଯାୟୀ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡ଼ିବ । ଏହା ପୂର୍ବ ଉପକୂଳକୁ ଗତି କରିବ କି ମିଆଁମାର ପଳାଇବ, ଏବେ କହିବା ମୁସ୍କିଲ ।

ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସମ୍ଭାବନା ରହିଛି । ମାର୍ଚ୍ଚ ମାସରେ ବାତ୍ୟା କ୍ୱଚିତ ସୃଷ୍ଟି ହୋଇଥାଏ । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।

ଏହା କେତେ ଘନୀଭୂତ ହେବ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ? ଏସବୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ସମ୍ଭାବନା ଅଛି ଏହା ଦିଗ ବଦଳାଇ ବୁଲିଯିବା ଯୋଗୁଁ ଭାରତୀୟ ଉପକୂଳକୁ ଛୁଇଁ ନପାରେ । କିନ୍ତୁ, ଜଳବାୟୁ ପରିବର୍ତ୍ତନରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ।

ଡକ୍ଟର ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଜଳପତ୍ତନ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ୍‌ ରହୁଛି । ଏହା ସହିତ ପଶ୍ଚିମରୁ ପବନ ବହିବା ଓ ଗୁରୁଚାପ ସୃଷ୍ଟି ହେବା ଯୋଗୁ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିବା ପାଇଁ ଅନୁକୂଳ ବାତାବରଣ ଯୋଗାଉଛି ।

ଆଇଏମଡି ଆକଳନ ଅନୁସାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ହେଲେ ଏହାର ସମ୍ଭାବ୍ୟ ଗତି ଉତ୍ତର ଦିଗରେ ରହିପାରେ, ଯାହାକି ମିଆଁମାର ଆଡ଼କୁ ଗତି କରିପାରେ । ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ବଙ୍ଗୋପସାଗରରେ ପହଞ୍ଚିଲାବେଳକୁ ଦୁର୍ବଳ ହୋଇସାରିଥିବ । ପୁଣି ଦିଗ ବୁଲାଇ ବାଂଲାଦେଶ ପୂର୍ବ ଉପକୂଳକୁ ଯାଇପାରେ । ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା କୌଣସି ବାତ୍ୟା ଭାରତ ଉପକୂଳରେ ପହଞ୍ଚିବା ନଜିର ନାହିଁ ।

ମାର୍ଚ୍ଚରେ ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ପାଣିପାଗର ଲକ୍ଷଣ । ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଏବେ ରାଜ୍ୟରେ ଗରମ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨/୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁଯିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୂରା ରାଜ୍ୟରେ ପଡ଼ିବନି । କେବଳ ୨୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଖସିପାରେ । ୨୨ ଓ ୨୩ରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ କମିବ ।

Leave a Reply

Your email address will not be published. Required fields are marked *