ବେକରେ ଫୁଲମାଳ ଓ ମୁଣ୍ଡରେ ପଗଡି। ଗ୍ରାମାଞ୍ଚଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରୁଛନ୍ତି ଶ୍ରମମନ୍ତ୍ରୀ। ଆଉ ବୀର ସହିଦଙ୍କର ଘୋଡାର ବେକରେ ମଧ୍ୟ ଫୁଲମାଳ ପିନ୍ଧାଇ ଦେଉଛନ୍ତି। ଦୂରରୁ ସାଧାରଣ ଭାବରେ ଏସବୁ ତ ଦେଖାଯାଉଛି। ହେଲେ ଟିକେ ଭଲ ଭାବରେ ଦେଖିଲେ ଆପଣ ଯାହାବି କିଛି ଦେଖିବେ ତାହା ଆପଣଙ୍କୁ କିଛି ଭାବିବାକୁ ବାଧ୍ୟ କରିବ। ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏଭଳି ବଡପଣ, ଲୋକମାନଙ୍କ ପ୍ରତି ଭଲପାଇବା, ମାଟିପ୍ରତି ପ୍ରେମକୁ ବୁଝିସାରିବା ପରେ ତାଙ୍କୁ ସାଲ୍ୟୁଟ ମାରିବା ପାଇଁ ଆପଣ ବାଧ୍ୟହେବେ। ତାଙ୍କୁ ବାଃ ବାଃ ନକହି ଆପଣ ଆଦୌ ରହିପାରିବେନି।
ଦେହ ଥିଲା ଅସୁସ୍ଥ। ୩ ରୁ ୪ ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ହେଲେ ନିଜର ଅସୁସ୍ଥତା ଭିତରେ ଲୋକସେବା ଓ ଲୋକପ୍ରେମରେ ବିଶ୍ୱାସ କରୁଥିବା ମନ୍ତ୍ରୀ ନିଜର ପରିସ୍ଥିତିକୁ ବେଖାତିର କରି ଉନ୍ମୋଚନସ୍ଥଳରେ ଆସି ପହଞ୍ଚିଥିଲେ। ହାତରେ ସାଲାଇନର ପାଇପ ଲାଗିଥିଲା, ଏହା ପ୍ରମାଣିତ କରୁଥିଲା ମନ୍ତ୍ରୀ ଅସୁସ୍ଥ ଅଛନ୍ତି ଆଉ ତାଙ୍କର ସାଲାଇନ ଚାଲୁଅଛି। ତଥାପି ଲୋକମାନଙ୍କ କଥାକୁ କାଟି ନ ପାରି ଜଣେ ବୀରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ସୁଶାନ୍ତ ସିଂ ହାଜର ହୋଇଥିଲେ।
ଭଟଲି ବ୍ଲକ ଖର୍ସଲ ଗାଁରେ ଗଣ୍ଡ ସମାଜ ତରଫରୁ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ଯେଉଁଥିରେ ଅନେକ ଅତିଥି ଓ ଗ୍ରାମବାସୀମାନେ ଯୋଗଦେଇଥିବା ସମୟରେ ମନ୍ତ୍ରୀ ଶାରୀରିକ ଭାବରେ ଅସୁସ୍ଥ ଥାଇ ମଧ୍ୟ ସାମିଲ ହୋଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ସମୟରେ ମନ୍ତ୍ରୀମାନଙ୍କ ଏମିତି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।
ପୂର୍ବରୁ ମଧ୍ୟ ନିଜର ବଡପଣ ଦେଖାଇଛନ୍ତି ମନ୍ତ୍ରୀ। ଓଡିଶା ଯେତେବେଳେ କରୋନା ପାଇଁ ମୁକାବିଲା କରୁଥିଲା। ସଂକ୍ରମଣର ଚେନ ଭାଙ୍ଗିବାକୁ ଲଢେଇ କରୁଥିଲା ସେତେବେଳେ ସୁଶାନ୍ତ ସିଂଙ୍କର ଦରଦୀ ହୃଦୟର ଦୃଶ୍ୟ ସାମ୍ନାକୁ ଆସିଥିଲା। ଯାହା ସମସ୍ତଙ୍କର ମନକୁ ଜିଣିନେଇଥିଲା। ଡ୍ରାଇଭର ନଥିବା କାରଣରୁ ଓଡିଶାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଆମ୍ବୁଲାନ୍ସ ଚଳାଇ ରୋଗୀମାନଙ୍କୁ ହସ୍ପିଟାଲ ନେଇଥିଲେ। ଆଉ ସେତେବେଳେ ମନ୍ତ୍ରୀଙ୍କର ଏହି କାମକୁ ସମସ୍ତେ ସାଧୁବାଦ ଜଣାଇଥିଲେ। ବର୍ତ୍ତମାନ ନିଜେ ଅସୁସ୍ଥ ଥାଇ ସାମୁହିକ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ତ୍ରୀ ସୁଶାନ୍ତ ସିଂହ ପୁଣି ଚର୍ଚ୍ଚାକୁ ଆସିଛନ୍ତି।