କାହିଁକି ହୁଏ ପାରାଲିସିସ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା !

ସାଧାରଣତଃ ମସ୍ତିଷ୍କର କୋଷଗୁଡିକରେ ଯଦି ରକ୍ତ ସଞ୍ଚାଳନ କମିଯାଏ କିମ୍ବା ମସ୍ତିଷ୍କରେ କୌଣସି ଧମନୀ ଫାଟିଯାଏ, ତେବେ ବ୍ରେନଷ୍ଟ୍ରୋକ ବା ପକ୍ଷାଘାତ ବା ପାରାଲିସିସର କାରଣ ହୋଇଥାଏ। ସମଗ୍ର ପୃଥିବୀରେ ଏହି ରୋଗ ମୃତ୍ୟୁର ପଞ୍ଚମ ବୃହତ କାରଣ। ଏହାଛଡା ଭାରତବର୍ଷରେ ୧.୮ ନିୟୁତ ଲୋକ ପାରାଲିସିସର ଶିକାର ହୋଇଥାନ୍ତି ଓ ଏଥିମଧ୍ୟରୁ ୫୦-୬୦ ପ୍ରତିଶତ ଲୋକ ମୃତ୍ୟୁର ମଧ୍ୟ ଶିକାର ହୋଇଥାନ୍ତି।

ତେଣୁ ଡାକ୍ତର ସୌମ୍ଯଦର୍ଶନ ନାୟକଙ୍କ ଅନୁସାରେ ପାରାଲିସିସର ଲକ୍ଷଣ, ଚିକିତ୍ସା ଓ ପ୍ରତିକାର ବିଷୟରେ ଆମେ ଜାଣିବା ଉଚିତ। ତେବେ ପାରାଲିସିସ ହେବାର ଅନେକ ସବୁ କାରଣ ରହିଛି। ଯଥା:- ଡାଇବେଟିସ, ଉଚ୍ଚ ରକ୍ତଚାପ, ମେଦ ବହୁଳତା, କୋଲେଷ୍ଟ୍ରୋଲ, ଷ୍ଟ୍ରେସ୍, ଅନିୟମିତ ଜୀବନଶୈଳୀ, ବହୁଳ ମାତ୍ରାରେ ନିଶା ସେବନ ଆଦି କାରଣ ରହିଥାଏ। ଏହାଛଡା ବଯସ୍କ ଲୋକମାନଙ୍କୁ ମଧ୍ୟ ବ୍ରେନ ଷ୍ଟ୍ରୋକ ବା ପାରାଲିସିସ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ।

ଗୋଟିଏ ପ୍ରକାର ପାରାଲିସିସରେ ବ୍ୟକ୍ତିମାନଙ୍କ ମସ୍ତିଷ୍କର ରକ୍ତ ଧମନୀ ବ୍ଲକ ହୋଇଯିବା ହେତୁ ରକ୍ତ ସଞ୍ଚାଳନ କମିଯିବା ଫଳରେ ମସ୍ତିଷ୍କର କୋଷ ଗୁଡିକ ନଷ୍ଟ ହୋଇଯାଏ। ତେବେ ପ୍ରାୟ ୮୦ ରୁ ୯୦ ପ୍ରତିଶତ ଲୋକମାନଙ୍କୁ ଏହିଭଳି ପାରାଲିସିସ ହୋଇଥାଏ। ଅନ୍ୟ ଏକ ପ୍ରକାର ପାରାଲିସିସରେ ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତଶିରା ଗୁଡିକ ଫାଟିଯାଏ। ସେହି ସ୍ଥାନର କାର୍ଯ୍ୟକ୍ଷମତା ବନ୍ଦ ହୋଇଯାଏ ଓ ପାରାଲିସିସ ମଧ୍ୟ ହୋଇଥାଏ। ଏହି ପ୍ରକାର ମାତ୍ର ୧୦ ରୁ ୨୦ ଭାଗ ଲୋକଙ୍କ ନିକଟରେ ହୋଇଥାଏ।

ହଠାତ ମୁଣ୍ଡ ବୁଲାଇବା, ହଠାତ ଅସ୍ପଷ୍ଟ ଦେଖାଯିବା କିମ୍ବା କଥା କହିବାରେ ମଧ୍ୟ ଅସ୍ପଷ୍ଟତା ଦେଖାଯିବା, ଶରୀରର କୌଣସି ପାର୍ଶ୍ବର ହାତଗୋଡ ପରିଚାଳନା କମିଯିବା କିମ୍ବା ଚାଲିବାରେ ଅସୁବିଧା ହୁଏ, ମୁହଁ ବଙ୍କା ହୋଇଯିବା ଓ ଏହାଛଡା ଯଦି ଲୋକଟି ବାରମ୍ବାର ଚେତାଶୂନ୍ୟ ହେଉଛି, ତେବେ ଏହା ସବୁ ପାରାଲିସିସର ମୁଖ୍ୟ ଲକ୍ଷଣ ହୋଇଥାଇପାରେ। ଅନେକ ଲୋକମାନଙ୍କ ନିକଟରେ ବାତ ମାରିବା ରୋଗ ମଧ୍ୟ ଦେଖା ଦେଇଥାଏ।

ତେବେ ଏହି ସବୁ ଲକ୍ଷଣ ଥିଲେ ମଧ୍ୟ ଆପଣ ରୋଗୀଙ୍କୁ ‘ଗୋଲ୍ଡେନ ଆୱାର’ ବା ୪ ଘଣ୍ଟା ମଧ୍ୟରେ ହସ୍ପିଟାଲ ନେଇଯିବା ଉଚିତ। ନଚେତ ଅଧିକ ସମୟ ବିତିଲେ ସାଧାରଣ ଅବସ୍ଥାକୁ ଫେରିବା ରୋଗୀମାନଙ୍କ ପାଇଁ କଷ୍ଟ ହୋଇଥାଏ। ସଠିକ ସମୟ ମଧ୍ୟରେ ରୋଗୀ ହସ୍ପିଟାଲରେ ପହଞ୍ଚିବା ଦ୍ଵାରା ତାଙ୍କୁ ଚିକିତ୍ସା ମାଧ୍ୟମରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଇପାରିବ।

ଡାକ୍ତର ରୋଗୀଙ୍କର ବ୍ଲଡ଼ ଟେଷ୍ଟ, ସୁଗାର,ଏମ ଆର ଆଇ, ଅଲ୍ଟ୍ରାସାଉଣ୍ଡ ଆଦି ସବୁ ପ୍ରକାର ଟେଷ୍ଟ କରିବା ପରେ ଆବଶ୍ଯକୀୟ ଚିକିତ୍ସା ଏବଂ ଔଷଧ ଦେଇ ରୋଗୀମାନଙ୍କୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ। ତେବେ ଯେଉଁମାନଙ୍କର ପାରାଲିସିସ କମରୁ ମଧ୍ୟମ ଧରଣର ଥାଏ ସେମାନଙ୍କୁ ଉଚିତ ଚିକିତ୍ସା ଏବଂ ଫିଜିଓଥେରାପି ସାହାଯ୍ୟରେ ପୂର୍ବଅବସ୍ଥାକୁ ଫେରାଇ ଆଣିହେବ।

ଏହା ଷ୍ଟ୍ରୋକର ଆକାର, ବୟସ ଓ ମଲ୍ଟିପଲ ରିସ୍କ ଫ୍ୟାକ୍ଟର ଆଦି ଦେଖି ଡାକ୍ତରମାନେ ନିର୍ଣ୍ଣୟ କରନ୍ତି। ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ନ୍ୟୁରୋ ପ୍ରୋଟେକ୍ଟର ଡାକ୍ତର ଦିଅନ୍ତି। ଡାଇବେଟିସ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ଓ ପୌଷ୍ଟିକ ଓ ଆହାର ଖାଦ୍ୟ ସେବନ କରିବା ପାଇଁ ଉପଦେଶ ଦିଅନ୍ତି। ଫିଜିଓଥେରାପି ସହିତ ରୋଗୀଙ୍କର ମନୋବଳ ବଢାଇବା ପାଇଁ ସାଇକୋଲୋଜିଷ୍ଟଙ୍କର ମଧ୍ୟ ସାହାଯ୍ୟ ନେବା ଉଚିତ।

ରୋଗ ହେବା ପୂର୍ବରୁ ଆପଣ ଯଦି ସେଥିପ୍ରତି ଧ୍ୟାନ ଦେବେ ତାହା ଆପଣମାନଙ୍କ ପାଇଁ ଖୁବ ଉତ୍ତମ ସାବ୍ୟସ୍ତ ହେବ। ଏଥିପାଇଁ ଆପଣ ଯଥାସମ୍ଭବ ସୁସ୍ଥ ଜୀବନଶୈଳୀ କାଟିବା ପାଇଁ ଚେଷ୍ଟା କରନ୍ତୁ। ଖାଦ୍ୟପେୟ ପ୍ରତି ଧ୍ୟାନ ସମ୍ପୂର୍ଣ ଦିଅନ୍ତୁ, ନିଶା ସେବନରୁ ନିଜକୁ ଦୂରେଇ ରୁହନ୍ତୁ, ନିୟମିତ ବ୍ୟାୟାମ କରିବା ସହିତ ଉଚିତ ସମୟରେ ନିଦ୍ରା ଯାଆନ୍ତୁ। ଆଉ ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *