ମାନିବାକୁ ପଡ଼ିବ ଅଶ୍ଵିନୀଙ୍କୁ । ୩୫ ବର୍ଷ ହେଲା କେବଳ ହାରୁଛନ୍ତି,ତଥାପି ନିର୍ବାଚନ ଲଢୁଛନ୍ତି…….

ନିର୍ବାଚନ ହାରୁଛନ୍ତି କିନ୍ତୁ ମନବଳ ହାରୁ ନାହାଁନ୍ତି । ନିର୍ବାଚନ ଆସିଲେ ପରାଜୟ ର ପୁରୁଣା କ୍ଷତ କୁ ଭୁଲି ହଁସ ହଁସ ମୁହଁରେ ପୁଣି ଓହ୍ଲାଇଛନ୍ତି ମଇଦାନ କୁ । ଖଣ୍ଡେ ସାଇକେଲ ରେ ବୁଲି ବୁଲି ଭୋଟ ମାଗିଛନ୍ତି । ଯିଏ ଯାହା ଥଟ୍ଟା ମଜା କଲେ ମଧ୍ୟ ଛାତିକୁ ପଥର କରି ସବୁ ସହି ଯାଇଛନ୍ତି । ହଁସି ହଁସି ଏମିତି ବିତି ଗଲାଣି ୩୫ ବର୍ଷ । ଏହି ୩୫ ବର୍ଷ କିଛି କମ୍ ବଡ଼ କଥା ନୁହଁ ଆଜ୍ଞା । ନାମ ତାଙ୍କର ଅଶ୍ଵିନୀ ସେଠୀ । ଦୀର୍ଘ ୩୫ ବର୍ଷ ହେଲା ସେ ନିର୍ବାଚନ ଲଢ଼ୁଛନ୍ତି ଏବଂ ପ୍ରତି ଥର ହାରି ଯାଉଛନ୍ତି । ତଥାପି ତାଙ୍କର ମନ-ବଳ ଭାଙ୍ଗି ଯାଇ ନାହିଁ ।

ତେବେ ଚଳିତ ନିର୍ବାଚନରେ ସେ ପୁନର୍ବାର ମଧ୍ୟ ପ୍ରାର୍ଥୀ ହୋଇ ଠିଆ ହୋଇଛନ୍ତି । ଆଉ ଜିତିବାକୁ ମଧ୍ୟ ଆଶା ରଖିଛନ୍ତି । ତେବେ ସୂଚନା ମୁତାବକ ୟେ ହେଉଛନ୍ତି ୬୦ ବର୍ଷୀୟ ଅଶ୍ଵିନୀ ସେଠୀ । ଘର ତାଙ୍କର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମଳା ପଞ୍ଚାୟତ ର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଅମୃତପୁର ରେ । ଏହି ୱାର୍ଡ଼ ରୁ ସେ ଏବେ ସ୍ଵାଧୀନ ପ୍ରାର୍ଥୀ । ତେବେ ନିର୍ବାଚନର ଏହି ରଙ୍ଗ ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏହା ତାଙ୍କ ପାଇଁ ଏକ ନିଶା । ଅଶ୍ଵିନୀ ଙ୍କ ସମ୍ପର୍କରେ ଏକ ଉଲ୍ଲେଖନୀୟ କଥା ଟି ହେଲା ଗତ ୩୫ ବର୍ଷ ଧରି ସେ ଏହି ୱାର୍ଡ଼ ରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି ।

ପରନ୍ତୁ ଆଜି ପର୍ଯ୍ୟନ୍ତ କେବେ ହେଲେ ଜିତି ପାରି ନାହାଁନ୍ତି । ସବୁଥର ହାରି ଯାଇଛନ୍ତି । କିନ୍ତୁ ଏଥିରେ ତାଙ୍କର ଗ୍ଲାନି ନାହିଁ କିମ୍ବା ଏହି ନିର୍ବାଚନ ବିଫଳତା ତାଙ୍କ ମନବଳକୁ କେବେ ଭାଙ୍ଗି ପାରିନାହିଁ । ତାଙ୍କ କହିବା ଅନୁସାରେ ସେ ୭/୮ ଥର ଠିଆ ହୋଇ ସାରିଲେଣି । ଦୁଇ ଖଣ୍ଡ କିମ୍ବା ଖଣ୍ଡେ ଭୋଟ୍ ସେ ପାଇଥାନ୍ତି । ଗରିବ ଲୋକ ହୋଇଥିବା କାରଣରୁ ସମ୍ବଳ ନଥିବା ହେତୁ ସେ ପଇସା ଖର୍ଚ୍ଚ କରି ପାରିନଥାନ୍ତି । ହେଲେ ଅନ୍ୟମାନେ ପଇସା ଦେଇ ଭୋଟ ନିଜ ହାତକୁ କରେଇ ନେଇଥାନ୍ତି ।

ଅଶ୍ଵିନୀ ଜଣେ ଖୁସ୍ ମିଞ୍ଜାସ୍ ର ତଥା ନୀତିନିଷ୍ଠର ମଣିଷ । ସବୁଥର ସେ ସ୍ଵାଧୀନ ଭାବରେ ହିଁ ପ୍ରାର୍ଥୀ ହୋଇ ଥାଆନ୍ତି । କୌଣସି ରାଜନୈତିକ ଦଳକୁ ସେ ପସନ୍ଦ କରନ୍ତି ନାହିଁ । କେହି ଟିକେଟ କିମ୍ବା ସମର୍ଥନ ଜାଚିଲେ ମଧ୍ୟ ସେ ମନା କରି ଦେଇଥାନ୍ତି । ଏଥର ଅଶ୍ଵିନୀଙ୍କ ନିର୍ବାଚନ ଚିହ୍ନ ହେଲା ଶଗଡ଼ । ଏହା ହେଉଛି ତାଙ୍କର ପ୍ରିୟ ଚିହ୍ନ । ସବୁଥର ସେ ପ୍ରାୟ ଏହି ଚିହ୍ନ ହିଁ ବ୍ୟବହାର କରିଥାନ୍ତି । ସେ ସବୁଥର ୨୦ ରୁ ୪୦ ଖଣ୍ଡ ଭୋଟ ପାଇଥାନ୍ତି କିନ୍ତୁ ୨୦୧୨ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନରେ ତାଙ୍କର ଭୋଟ ସଂଖ୍ୟା ୧୦୦ ଛୁଇଁଥିଲା । ୱାର୍ଡ଼ମେମ୍ବର ପ୍ରାର୍ଥୀ ଭାବରେ ଠିଆ ହୋଇ ବିଜୟୀ ହୋଇ ଗରିବ ଲୋକଙ୍କ ଦୁଃଖ ବୁଝିବା ତାଙ୍କର ଇଚ୍ଛା ଓ ଆଶା ।

Leave a Reply

Your email address will not be published. Required fields are marked *