ପାଦ କ’ଣ ଜାଣିବା ପୂର୍ବରୁ କଟାହେଲା ଗୋଡ……..

ବର୍ତ୍ତମାନ ଏ କୁନି ପୁଅକୁ ୬ ମାସ ପୂରି ୭ ମାସ ଚାଲୁଛି। ଏଣିକି ସେ ବର୍ତ୍ତମାନ ପେଟେଇବ, ତା ପରେ ଆଣ୍ଠେଇବା ଆଉ ଶେଷରେ କୁନି କୁନି ପାଦରେ ଚାଲି ଚାଲି ଭୂଇଁକୁ ମାପିବ। ନିଶ୍ଚିତ ଆପଣ ଏଇଆ ଭାବୁଥିବେ। କିନ୍ତୁ, ଏମିତି କିଛି ହେବ, ସେମିତି କାଇଁ ଲାଗୁନାହିଁ। ଛୁଆଟାକୁ ୭ ମାସ ଚାଲୁଛି, ଦିନ କେଇଟା ପରେ ୧୭ବି ଚାଲିବ, କିନ୍ତୁ ସିଏ ନା ବର୍ତ୍ତମାନ ଚାଲୁଛି ନା ସେତେବେଳେ ଚାଲିବ! ଚାଲିବା ତା ପାଇଁ ଗୋଟିଏ ଶବ୍ଦମାତ୍ର ଅଟେ। କାରଣ, ପାଦ କ’ଣ ବୁଝିବା ପୂର୍ବରୁ ଈଶ୍ବର ତାର ଗୋଡ ଦୁଇଟା ନେଇଗଲେ। ଗୋଟିଏ ଦୁର୍ଘଟଣା ସବୁକିଛି ସାରିଦେଲା।

ଦୁଃଖ ଆଉ ସୁଖର ଅର୍ଥ ବୁଝି ନ ଥିବା ଏ ବୟସଟି ବଡ଼ ବିଚିତ୍ର ଅଟେ। ଏଠି ଅନେକ ଦୁଃଖ, ଅନେକ ସୁଖ ମିଳେ। କିନ୍ତୁ ସବୁକିଛି ଅବୁଝା ଅଟେ। ଏଇ କୁନି ପୁଅର ଆଖି ଯୋଡିକୁ ଦେଖନ୍ତୁ। କେତେ ନିରୀହ। କେଡେ ଗୁଲୁଗୁଲିଆ ତାର ହାତର ପାପୁଲି। ଆଉ ଏଇ କୁନି ହାତରେ ସେ ସବୁ କିଛି ଆପଣେଇ ନେବା ପାଇଁ ବସିଛି। ଗୋଟେ ହାତ ମଥାରେ ଆଉ ଗୋଟିଏ ଅଣ୍ଟାରେ। ବାସ ଏତିକି ତାର ଜୀବନ ଅଟେ। କିନ୍ତୁ ଅଣ୍ଟା ତଳକୁ ତାର ହାତ ପାଇବ ନାହିଁ।

ଯେଉଁ ଛୋଟ ଛୁଆର ଫଟୋ ଆପଣ ଆମ ଦେଖିଲେ, ସେ ପିଲାର ଘର ହେଉଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ପାହାଡଗୋଡି ଗାଁରେ। ବାପା, ମା’ଙ୍କର ସିଏ ଗୋଟିଏ ବୋଲି ପୁଅ। ଉପରେ ୨ ଜଣ ବଡ ଉଉଣୀ। ଜଣଙ୍କୁ ୮ବର୍ଷ, ଜଣଙ୍କୁ ସାଢେ ୩ ବର୍ଷ ବୟସ। ଆଉ ଇଏ ହେଉଛି ତାଙ୍କର ସାନପୁଅ। ପାହାଡଗୋଡି ଗାଁର ଅନୀଲ କୁମାର ମହାନ୍ତଙ୍କର ସାନ ପୁଅ ଏଇ ପିଲାଟି। ପେଶାରେ ଡ୍ରାଇଭର ଥିବା ଅନୀଲ, ପତ୍ନୀ ଆଉ ଏଇ ୩ ପିଲାଙ୍କୁ ନେଇ ଭଲରେ ରହୁଥିଲେ।

କିନ୍ତୁ କିଛି ଦିନ ତଳେ ଅନୀଲଙ୍କର ପତ୍ନୀ ମମତା ନିଜ ବାପଘରକୁ ଯିବା ସମୟରେ ବାରିପଦା ବମ୍ବେ ଛକଠାରେ ଘଟିଲା ଏକ ଦୁର୍ଘଟଣା। ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବା କାରଣରୁ ଘଟଣାସ୍ଥଳରେ ମମତା ଆଖି ବୁଜିଦେଲେ। କୋଳରେ ରହିଥିବା ଏହି କୁନି ପୁଅଟି ମଧ୍ୟ ବର୍ତ୍ତିନଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ପିଲାଟିର ଗୋଟିଏ ଗୋଡ ଛିଣ୍ଡି ଯାଇଥିଲା। ଅନ୍ୟ ଗୋଟିଏ ଗୋଡ ମଧ୍ୟ ଅଧା ଛିଣ୍ଡି ଗୁରୁତର ହୋଇପଡିଥିଲା।

ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଛୁଆଟିକୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଯେଉଁଠି ଡାକ୍ତର ପିଲାଟି ବଞ୍ଚିବ କି ନାହିଁ ସେ କଥାର ଗ୍ୟାରେଣ୍ଟି ଦେଇପାରିଲେ ନାହିଁ। କଟକ ପଠାଇ ଦିଆଗଲା। କଟକ ଆସିବା ପରେ ଗୁରୁତର ଅବସ୍ଥାରେ ଶିଶୁଟିର ଅଧା ଝୁଲୁଥିବା ଭଙ୍ଗା ଗୋଡକୁ କଟାଗଲା।

ବର୍ତ୍ତମାନ ଛୁଆଟି ବଞ୍ଚିବା ପାଇଁ ସଂଘର୍ଷ କରୁଛି। ବାପା ଜଣେ ସ୍ବଳ୍ପ ବେତନରେ କାମ କରୁଥିବା ଡ୍ରାଇଭର ଅଟନ୍ତି। ଏଣୁ ଛୁଆଟିକୁ ଏଭଳି ସ୍ଥିତିରେ ପାଳିବା ତାଙ୍କ ପାଇଁ କାଠିକର ପାଠ। ଧାର ଉଧାର ଆଉ ପଡୋଶୀଙ୍କ ସହାୟତାରେ ସେ ଛୁଆର ଚିକିତ୍ସା କରୁଛନ୍ତି। ଡା. ବି.ବି. ନାୟକଙ୍କ ତତ୍ବାବଧାନରେ ଚିକିତ୍ସା ଚାଲୁଥିବା ସମୟରେ ସାମାଜିକକର୍ମୀ ପାୟଲ ପ୍ରିୟଦର୍ଶିନି ଛୁଆଟିର ବର୍ତ୍ତମାନ ଦେଖାଶୁଣା କରୁଛନ୍ତି।

Leave a Reply

Your email address will not be published. Required fields are marked *