କେବଳ ୨୦ ଟଙ୍କା ଖର୍ଚ୍ଚ କରି ୧୯୮୫ ମସିହାରେ ସରପଞ୍ଚ ହୋଇଥିଲେ ଶ୍ରୀ ମହାନ୍ତି |

ବର୍ତ୍ତମାନ ସମୟରେ ସରପଞ୍ଚ ନିର୍ବାଚନ ବ୍ୟୟବହୁଳ ହୋଇଯାଇଛି। ଘରୁ ବାହାରକୁ ବାହାରିଲେ କେବଳ ଟଙ୍କା ଆବଶ୍ୟକ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗ୍ରାମର ୮୯ବର୍ଷୀୟ ପୂର୍ବତନ ସରପଞ୍ଚ ବୈକୁଣ୍ଠ ମହାନ୍ତି ନିର୍ବାଚନ ନୁହେଁ ସତେ ଯେମିତି ଟଙ୍କା ପଇସାର ଖେଳ ଚାଲିଛି ବୋଲି କହିଛନ୍ତି। ସେ କେବଳ ୨୦ ଟଙ୍କା ଖର୍ଚ୍ଚ କରି ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତରୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ବୈକୁଣ୍ଠ ମହାନ୍ତି କହିଛନ୍ତି।

୧୯୮୫ ମସିହାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଆହ୍ବାନ ଅନୁସାରେ ଶ୍ରୀ ବୈକୁଣ୍ଠ ମହାନ୍ତି ସରପଞ୍ଚ ପ୍ରାର୍ଥୀଭାବରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେତେବେଳେ ପୁରୁଣାବାନ୍ଧଗୋଡ଼ା ଓ ଗଁପୁର ମିଶିକରି ଗୋଟିଏ ପଞ୍ଚାୟତ ଥିଲା। ତାଙ୍କ ବିରୋଧରେ ଆଉ ୫ଜଣ ପ୍ରାର୍ଥୀ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ ବଂଶୀଧର ଜେନାଙ୍କ ନିକଟରୁ ୧୭୬ଟି ଭୋଟ ଅଧିକ ପାଇ ସେ ବିଜୟୀ ହୋଇ ପାରିଥିଲେ।

ସେତେବେଳେ କେବଳ ଗାଁକୁ ଗାଁ ବୁଲି ସେ ପ୍ରଚାର କରୁଥିଲେ। ଲୋକମାନେ ସମ୍ମାନର ସହିତ ଗ୍ରାମରେ ନେତାମାନଙ୍କୁ ସ୍ବାଗତ କରୁଥିଲେ। ନିଜ ତରଫରୁ ସେ କେବଳ ମାତ୍ର ୨୦ଟଙ୍କା ଖର୍ଚ୍ଚ କରିଥିବା ସମୟରେ କଂଗ୍ରେସ ଦଳ ତରଫରୁ ଶହେଟି ପୋଷ୍ଟର ଯୋଗାଇ ଦିଆଯାଇଥିଲା। ସେ ୧୯୯୦ ମସିହା ପର୍ଯ୍ୟନ୍ତ ୫ ବର୍ଷ ଧରି ସରପଞ୍ଚ ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ।

ସେତେବେଳେ ଗ୍ରାମାଞ୍ଚଳ ପାଇଁ ସରକାରଙ୍କର ଅଳ୍ପ ଯୋଜନା ଥିଲା। ସରପଞ୍ଚଙ୍କର କ୍ଷମତା ମଧ୍ୟ ବହୁତ ସୀମିତ ରହିଥିଲା। ପାଞ୍ଚବର୍ଷ ମଧ୍ୟରେ ପୁରୁଣାବାନ୍ଧଗୋଡ଼ାଠାରୁ ଗଁପୁର, ଗଁପୁରଠାରୁ ଜର୍ଦ୍ଦା, ନୂଆମାଳିଆଠାରୁ ବରାଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ ନିର୍ମାଣ କରାଯାଇଥିଲା। ୩ଟି ପୋଖରୀ ଖୋଳାଯିବାସ ସହିତ ଗୋଟିଏ କ୍ଲବ ଘରର ନିର୍ମାଣ ମଧ୍ୟ ହୋଇଥିଲା। ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଶାପ ପାଇଁ ସରପଞ୍ଚଙ୍କୁ ଡକା ଯାଉଥିଲା।

ବର୍ତ୍ତମାନ ସମୟର ନିର୍ବାଚନକୁ ଶ୍ରୀ ମହାନ୍ତି କହିଛନ୍ତିକି, ବର୍ତ୍ତମାନ ସରପଞ୍ଚ ନିର୍ବାଚନରେ କେବଳ ୨୦ ଲକ୍ଷରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଗାଁରେ ରାଜନୀତି କଳୁଷିତ ହେଉଛି ବୋଲି ଶ୍ରୀ ବୈକୁଣ୍ଠ ମହାନ୍ତି କହିଛନ୍ତି। ଗାଁରେ ଭାଇଭାଇ, ପରିବାର ସଦସ୍ୟଙ୍କ ମଧ୍ୟରେ ବର୍ତ୍ତମାନ ମନମାଳିନ୍ୟ ଏବଂ ଶତ୍ରୁତା ବଢ଼ୁଥିବାରୁ ସେ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *