କାଲି କ୍ଷମା ମାଗିବା ସହିତ ରାଜନୀତିରୁ ଅବସର ନେଇଥିଲେ ପାଣ୍ଡିଆନ । ଆଜି ପୁଣିଥରେ ଭୁଲ ମାଗିଲେ ପାଣ୍ଡିଆନ ।

ବନ୍ଧୁଗଣ ମାତ୍ର ଏଇ ଦିନ କେଇଟାରେ ବଦଳିଗଲା ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ । ଦୋହଲିଗଲା ବିଜେଡି । ବଦଳିଗଲା ସରକାର । ଦୀର୍ଘ ୨୪ ବର୍ଷର ସରକାର ଅନ୍ତ ଘଟିଲା । ଆଉ ପୂର୍ଣ୍ଣ ବହୁମତ ପାଇ ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କେବଳ ଏତିକିରେ ସରିଗଲାନି ବିଜେଡିର ଦୁଃଖ । ରବିବାର ହଠାତ୍ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେଡିର କାର୍ଯ୍ୟକର୍ତ୍ତାଙ୍କୁ କ୍ଷମା ମାଗିବା ସହିତ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ । ତେବେ ଭିଡିଓ ବାର୍ତ୍ତାରେ କଣ କହିଛନ୍ତି ପାଣ୍ଡିଆନ ଜାଣନ୍ତୁ ।

ଭିଡ଼ିଓରେ ପାଣ୍ଡିଆନ୍ କହିଛନ୍ତି “ମୁଁ ଗୋଟିଏ ଛୋଟିଆ ଗାଁ ଓ ଭଲ ପରିବାରରୁ ଆସିଛି । ପିଲା ବେଳୁ ମୋର ଗୋଟିଏ ସ୍ବପ୍ନ ଥିଲା, ମୁଁ ଆଇଏଏସ୍ ହେବି । ପ୍ରଭୁ ଜଗନ୍ନାଥ ମୋ ସ୍ବପ୍ନକୁ ସାକାର କଲେ । ଯେହେତୁ ମୋ ପରିବାର କେନ୍ଦ୍ରାପଡ଼ାର ଥିଲେ, ତେଣୁ ମୋତେ ଓଡ଼ିଶା ଆସିବାକୁ ପଡ଼ିଲା । ଓଡ଼ିଶା ମାଟିରେ ପାଦ ଦେବାର ପ୍ରଥମ ଦିନରୁ ଲୋକଙ୍କ ସ୍ନେହ ଓ ଭଲ ପାଇବା ମୋତେ ମିଳିଥିଲା । ଧର୍ମଗଡ଼ରୁ ରାଉରକେଲା, ମୟୂରଭଞ୍ଜରୁ ଗଞ୍ଜାମ ପର୍ଯ୍ୟନ୍ତ । ମୁଁ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କଠିନ ପରିଶ୍ରମ କରିଛି ।

୧୨ ବର୍ଷ ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାମ କରିବା । ମୋ ପାଇଁ ଏକ ସୌଭାଗ୍ୟ ଥିଲା । ତାଙ୍କଠାରୁ ଯେଉଁ ଅନୁଭବ ଓ ଶିକ୍ଷା ମୁଁ ପାଇଲି, ତାହା ଆଜୀବନ ମୋ ସହ ରହିବ । ନବୀନଙ୍କ ନେତୃତ୍ବ, ଆଦର୍ଶ, ମୂଲ୍ୟବୋଧ ଏବଂ ସର୍ବୋପରି ଓଡ଼ିଶାବାସୀଙ୍କ ପ୍ରତି ତାଙ୍କ ଭଲପାଇବା ମୋତେ ସବୁବେଳେ ପ୍ରଭାବିତ କରି ଆସିଛି । ଓଡ଼ିଶା ପାଇଁ ସେ ରଖିଥିବା ଭିଜନ କେମିତି ସଫଳତାର ସହ କାର୍ଯ୍ୟକାରୀ ହେବ, ତାହା ସେ ମୋ ଠାରୁ ଆଶା ରଖିଥିଲେ । ଓଡ଼ିଶାରେ ସ୍ବାସ୍ଥ୍ୟ, ଶିକ୍ଷା, ଦାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ା, ନିବେଶ, ମହିଳା ସଶକ୍ତିକରଣ, ଭିତ୍ତିଭୂମି ଏବଂ ଧର୍ମାନୁଷ୍ଠାନ ଓ ଐତିହ୍ୟ ପ୍ରକଳ୍ପ କ୍ଷେତ୍ରରେ ସେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।

ପିଲାବେଳେ ସରକାରୀ ସ୍କୁଲରେ ପଢ଼ିବାର ମୋର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କ ଭିଜନ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବେଶ୍ ସହାୟକ ହୋଇଛି । ମୁଁ ସ୍ବେଚ୍ଛାକୃତ ଭାବେ ଆଇଏଏସ୍ ଚାକିରିରୁ ଅବସର ନେଇଥିଲି । ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । ମୋର ଏକମାତ୍ର ଲକ୍ଷ୍ୟ ଥିଲା କେବଳ ନବୀନଙ୍କ ବିଜୁ ଜନତା ଦଳ ପରିବାରକୁ ସହଯୋଗ କରିବା । ଏପର୍ଯ୍ୟନ୍ତ ମୋର ସଂପତ୍ତି କହିଲେ ଉତ୍ତରାଧିକାରୀ ସୂତ୍ରରେ ମୋ ଜେଜେ ବାପାଙ୍କଠାରୁ ମିଳିଥିବା ସମ୍ପତ୍ତି । ଏହାଛଡ଼ା ମୋର ଏବଂ ମୋର ପରିବାରର କୌଣସି ସ୍ଥାନରେ କୌଣସି ସଂପତ୍ତି ନାହିଁ” ।

Leave a Reply

Your email address will not be published. Required fields are marked *