ମାଡ ଖାଇ ହସିଲେ ପ୍ରଶାନ୍ତ ଜଗଦ୍ଦେବ !

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଜେଡି ବିଧାୟକ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଛନ୍ତି । ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି ।

ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଓ ବିଭିନ୍ନ ଦଳର ୧୫ ଜଣ ସମର୍ଥକ ଆହତ ହୋଇଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଉପସ୍ଥିତ ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର ଲାଇଭ୍ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି ।

ବିଧାୟକଙ୍କ ଗାଡ଼ି ଧକ୍କାରେ କିଛି ଲୋକ ତଳେ ପଡ଼ି ଯାଇଥିବାବେଳେ ଆଉ କିଛି ଲୋକ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଗାଡ଼ି ମଡ଼ାଇ ଦେବାରୁ ବିଧାୟକ ଜଗଦ୍ଦେବଙ୍କୁ ଉପସ୍ଥିତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ଉତ୍ତ୍ୟକ୍ତ ଲୋକମାନେ ଖୁବ୍ ପିଟିଥିଲେ ।

https://www.youtube.com/watch?v=dkIY6U0w3EE

ତେବେ ଏହା ହେଉଛି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡ । ଉତ୍ପାତ ହେଲେ, ମାଡ ଖାଇଲେ , ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ । ଶନିବାର ଏମିତି କିଛି ଘଟଣା ଘଟିଛି ବାଣପୁର ବ୍ଲକ ସମ୍ମୁଖରେ । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ ।

ଉତ୍ୟକ୍ତ ଲୋକେ ବିଧାୟକଙ୍କୁ  ନିଘାତିଆ ଛେଚିଲେ, ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ପୋଲିସ୍ ସ୍ଵତନ୍ତ୍ର ବ୍ୟାରିକେଟ୍ ତିଆରି କରି ଜଗଦ୍ଦେବଙ୍କୁ ସୁରକ୍ଷିତ ଡାକ୍ତରଖାନା ନେଇ ଯାଉଥିବା ବେଳେ ସେ ନିଜର ଦାମୀ କାର୍ ଭଙ୍ଗା ଯାଉଥିବା ଶବ୍ଦ ଶୁଣି କିଛି କ୍ଷଣ ଅଟକି ଯାଇଥିଲେ । ତାଙ୍କ ସହ ଏଭଳି କେବେ କିଛି ହେବ ବୋଲି ସେ କେବେ ଭାବି ନଥିବେ । ହେଲେ ମୁହଁରେ ଥିଲା ହଁସ । ଅନୁତାପ ଚିହ୍ନବର୍ଣ୍ଣ ମଧ୍ୟ ନଥିଲା । ତେବେ ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଶାନ୍ତଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଛି । ବିଜେଡି, ବିଜେପି ଏବଂ କଂଗ୍ରେସ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।  ଜଣେ ଜନ ପ୍ରତିନିଧି ହୋଇ ଏପରି କେମିତି କଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *