ଯୁଦ୍ଧଭୂମି ୟୁକ୍ରେନରେ ବୀରତ୍ୱ ଦେଖାଇଲେ କଳାହାଣ୍ଡି ପୁଅ, ୩ ହଜାର ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ସୀମା ପାର କରାଇଲେ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ୍‍ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ଯିବା ପରେ ସମସ୍ତଙ୍କ ମନରେ ଭୟ ଆତଙ୍କ । ନିଜ ନିଜ ପିଲାମାନଙ୍କୁ ସେଠାରୁ ମୁକୁଳାଇବା ସହିତ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି । କାହା ଘରେ ଚୁଲି ଜଳୁନି ତ ଆଉ କାହା ଆଖିରୁ ଲୁହ ଶୁଖୁନି ।

ଏପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଏଁଲାପାଲିର ବିକାଶ ଚନ୍ଦ୍ର ସାହୁ ମଧ୍ୟ ଡାକ୍ତରୀ ପାଠ ପଢ଼଼ିବାକୁ ୟୁକ୍ରେନ୍‍ ଯାଇଥିଲେ । ସେଠାରେ ସେ ଫସି ରହିଥିଲେ । ପରିବାରର ଏକମାତ୍ର ପୁଅ ବିକାଶଙ୍କ ସମସ୍ତ ଖବର ପରିବାର ଲୋକେ ନିୟମିତ ରଖୁଥିଲେ । କିନ୍ତୁ ବିକାଶ ସେଠାରେ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ ତଥା ଗର୍ବିତ କରିବ ନିଶ୍ଚୟ ।

ସମସ୍ତେ ଜୀବନ ବିକଳରେ ସୀମା ଡେଇଁ ୟୁକ୍ରେନ୍‍ ବାହାରକୁ ଆସିବା ପରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ସାଙ୍ଗମାନଙ୍କ ଏହି ବ୍ୟାକୁଳତାକୁ ହୃଦୟଙ୍ଗମ କରି ବିକାଶ ଏବଂ ତାଙ୍କ ସାଙ୍ଗ ରୋମାନିଆର ଭିନିଷ୍ଟା ନିଜ ବିଶ୍ୱବିଦ୍ୟାଳୟର ୩୦୦୦ ଛାତ୍ରଛାତ୍ରୀଙ୍କୁ ସୀମା ପାର୍‍ କରାଇବା ପରେ ସେଠାରେ ଶୀତକାକରରେ ଗୋଟିଏ ରାତି କଟାଇ ରୋମାନିଆରୁ ହଙ୍ଗେରୀ ଯାଇଥିଲେ

ଶୀତରାତିରେ ଜୀବନ ଆଉ ଯୁଦ୍ଧକୁ ଖୁବ୍‍ ପାଖରୁ ଦେଖୁଥିଲେ ସୁଦ୍ଧା ତିଳେ ହେଲେ ଭୟ କରି ନ ଥିଲେ । ବରଂ ନିଜ ସାଙ୍ଗମାନଙ୍କୁ କିଭଳି ଆଗ ନିଜ ନିଜ ଦେଶକୁ ପଠାଯିବ ସେ ଦିଗରେ ସେ ତତ୍ପର ହେଇ ଉଠିଥିଲେ । ବାପା-ମା’ ବିକାଶଙ୍କୁ ଶୀଘ୍ର ପଳାଇ ଆସିବାକୁ କହୁଥିଲେ ହେଁ ସେ କିନ୍ତୁ ସଫା ସଫା କହିଥିଲେ, ଆମ ୟୁନିଭର୍ସିଟିର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଫେରିବା ପରେ ହିଁ ଫେରିବେ ।

ଶନିବାର ବିକାଶ ହଙ୍ଗେରୀରୁ ଫ୍ଲାଇଟରେ ଭାରତ ଅଭିମୁଖେ ବାହାରିଛନ୍ତି । ରବିବାର ସେ ପହଞ୍ଚିବେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ମ.ରାମପୁର ବ୍ଲକ ଅଏଁଲାପାଲି ଗ୍ରାମର ଲୋକନାଥ ସାହୁଙ୍କ ଏକମାତ୍ର ପୁଅ ବିକାଶ ୟୁକ୍ରେନସ୍ଥିତ ଭିନିଷ୍ଟା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଞ୍ଚମ ବର୍ଷ ଛାତ୍ର । ଏହି ବ୍ଲକର ସେ ଏକମାତ୍ର ଛାତ୍ର ଯିଏ ୟୁକ୍ରେନ୍‍ରେ ପାଠ ପଢ଼ୁଛନ୍ତି ।

ବୀରମାଟିର ଯୁବକ ବିଦେଶରେ ମୃତ୍ୟୁର ଭୟ ତେଜି ନିଜ ସାଙ୍ଗମାନଙ୍କୁ ସୁରକ୍ଷା ଦେବା ସହ ଭାରତ ପଠାଇବା ପରେ ନିଜେ ଘରକୁ ଫେରୁଥିବା ଖବର ପରିବାର ଲୋକେ ପାଇବା ପରେ ଏହି ଖବର ଗାଁରେ ବିଜୁଳି ବେଗରେ ପ୍ରଚାର ହୋଇଥିଲା । ସମସ୍ତେ ବ୍ୟାକୁଳତାର ସହ ବିକାଶଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ବୋଲି ବିକାଶଙ୍କ ବାପା ଲୋକନାଥ କହିଛନ୍ତି । ଏଥିସହ ସେ ନିଜ ଜିଦ୍‍ରେ ଅଟଳ ରହି ନିଜ ବିଶ୍ୱବିଦ୍ୟାଳୟର ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବରେ ପଠାଇଥିବା ଖବର ଜାଣି ସେ ଖୁବ୍‍ ଗର୍ବିତ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *