ରାଜ୍ୟର ଯୁକ୍ତ ଦୁଇ (ଏକାଦଶ ଓ ଦ୍ୱାଦଶ) ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ କନିଷ୍ଠ ମେଧାବୃତ୍ତି ମିଳିବ। ଏ ବିଷୟରେ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଅବଗତ ମଧ୍ୟ କରଯାଇଛି। ୨୦୨୧-୨୨ ବର୍ଷ ପାଇଁ ଏହି ମେଧାବୃତ୍ତି ଆପଣଙ୍କୁ ମିଳିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ https://scholarship.odisha.gov.in ଲିଙ୍କକୁ ଯାଇ ଏଥି ନିମନ୍ତେ ଆବେଦନ କରିପାରିବେ।
ଏହାପରେ ଶିକ୍ଷାନୁଷ୍ଠାନମାନେ ମଧ୍ୟ ୧୬ ତାରିଖ ସୁଦ୍ଧା ନିଜର ଆବେଦନ ପତ୍ରକୁ ଯାଞ୍ଚ କରି ଭ୍ୟାଲିଡେସନ କରିପାରିବେ। ଏହି ସ୍କିମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ୩ ହଜାର ଲେଖାଏଁ ହିସାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମୋଟ ୬ ହଜାର ଟଙ୍କା ମିଳିବ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷମାନେ ବିଦ୍ୟାର୍ଥୀଙ୍କର ନବୀକରଣ କରିବା ସହିତ ନୂଆ ବିଦ୍ୟାର୍ଥୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ।
ତେବେ ଏଥିପାଇଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିବା ସହ ଅଭିଭାବକଙ୍କର ବାର୍ଷିକ ଆୟ ୬ ଲକ୍ଷରୁ କମ ହୋଇଥିବା ଆବଶ୍ୟକ। ଏସବୁ ଯୋଗ୍ୟତା ଥିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ପିଲାମାନେ ମଧ୍ୟ ବୃତ୍ତି ପାଇପାରିବେ।
ତେବେ ଚଳିତ ବର୍ଷ ରାଜ୍ୟରେ ୧୦ ହଜାର ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆବେଦନର ସଂଖ୍ୟା କମଥିବା କାରଣରୁ ପୁନର୍ବାର ଆବେଦନ କରିବା ପାଇଁ ସୁଯୋଗ ଦିଆଯାଇଛି। କରୋନା କାରଣରୁ ଗତବର୍ଷ ଆବେଦନର ସଂଖ୍ୟା କମ ହୋଇ ଯାଇଥିଲା। ତେଣୁ ଏକାଦଶ ଶ୍ରେଣୀରେ ମାତ୍ର ୧୧୭୮ ଜଣ ପିଲା ଏଥି ନିମନ୍ତେ ବୃତ୍ତି ପାଇଥିଲେ। ତେବେ ଗତବର୍ଷ ଆବେଦନ କରିନଥିବା ପିଲାମାନଙ୍କୁ ପୁନର୍ବାର ଆବେଦନ କରିବା ପାଇଁ ସୁଯୋଗ ମିଳିବ।