ପୁଣିଥରେ ରିଟର୍ଣ୍ଣ କରୁଛନ୍ତି ବାଲେଶ୍ୱରରୁ ପ୍ରାର୍ଥୀ ହୋଇଥିବା ବେଣୁ ମଉସା,ମଦ ମାଂସରେ ବୁଡିଛି ଭୋଟ,ତଥାପି ଆଉ ଥରେ ଠିଆ ହେବି !

ବାଲେଶ୍ୱର ସଦର ଉପନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ଧର ବାରିକ୍‌ । ଦିନ କେଇଟାରେ ସାରା ରାଜ୍ୟରେ ବେଣୁ ମଉସା ଭାବେ ପରିଚିତ ହୋଇଥିଲେ । ଜୀବନର ପ୍ରଥମ ଥର ପାଇଁ ରାଜନୀତିକ ଯୁଦ୍ଧରେ ନିଜ ଭାଗ୍ୟ ପରୀକ୍ଷା କରି ହାରି ଯାଇଥିଲେ ବେଣୁ ମଉସା । ପଙ୍କିଳ ରାଜନୀତିକ ଲଢ଼େଇରେ କେବେ ପେଶାଦାର ଯୋଦ୍ଧା ଭାବେ ପାଦ ଥାପି ନଥିବା ବେଣୁ ପରିଣତ ବୟସରେ ସାହସ ଦେଖାଇ ମଇଦାନକୁ ଲମ୍ପ ମାରିଥିଲେ । ସଂଖ୍ୟା ଖେଳରେ ବେଣୁଧରି ହାରିଯାଇଛନ୍ତି ସତ କିନ୍ତୁ ଯାହା ପାଇଛନ୍ତି ତାହା ମଧ୍ୟ ବେଶ ପ୍ରାସଙ୍ଗିକ

ବାଲେଶ୍ୱର ସଦରରେ  ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା । ଉପ ନର୍ବିଚନରେ ବିଜେପିରୁ ମଦଦନ ଦତ୍ତଙ୍କ ପୁଅ ମାନସ, କଂଗ୍ରେସରୁ ମମତା କୁଣ୍ଡୁ ଓ ବିଜେଡିରୁ ସ୍ୱରୂପ ଦାସଙ୍କ ନା ଆସିବା ପରେ ଆଉ ଯେଉଁ ଚର୍ଚ୍ଚିତ ଚେହେରାଟି ଆସିଥିଲେ ସେ ହେଉଛନ୍ତି ବେଣୁଧର । ବୃତ୍ତିଗତ ପେଶାକୁ ଆଦରି ଚୁଟି କାଟି ପେଟ ପୋଶୁଥିବା ବେଣୁଧର ୮୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପି ସଭିଙ୍କୁ ଚକିତ କରିଦେଇଥିଲେ । କେହି ଚିହ୍ନି ନଥିବା ବେଣୁଧର ସୋସିଆଲ ମିଡିଆରେ ଛାଇ ହୋଇଗଲେ

ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଣୁ ଧରଙ୍କ ସମ୍ବଳ କହିଲେ ଶୂନ । କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନଥିବା ବେଣୁଧର ପ୍ରଥମେ ସାଇକେଲରେ ପ୍ରଚାର କରିଥିଲେ । ଧୀରେ ଧୀରେ ଲୋକପ୍ରିୟତା ବଢ଼ିବା ପରେ ବେଣୁଧରଙ୍କ ପ୍ରତି ବଢ଼ିଥିଲା ସହଯୋଗ ଆଉ ସାହାଯ୍ୟର ସୁଅ । ପ୍ରଚାର ପାଇଁ ଆଗେଇ ଆସିଲେ ସେଲିବ୍ରେଟି ଓ ଯାତ୍ରାକଳାକାର । ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା ପରେ ଖୋଲା ଜିପରେ ପ୍ରଚାର କଲେ । ଏହା ପରେ ମଉସା ରଥ ଆଉ ତାପରେ ହୋଣ୍ଡା ସିଟିରେ ବୁଲି ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଲା ।

ତେବେ ସେହି ନିର୍ବାଚନରେ ବେଣୁଧର ହାରିଯିବା ଗୁରୁତ୍ୱପୂର୍ଣ୍ଣ ନଥିଲା ବରଂ ପରିଣତ ବୟସରେ ଲଢ଼େଇ ପାଇଁ ସାହାସ ଜୁଟାଇବା ଖୁବ ମହତ୍ୱପୂର୍ଣ୍ଣ ଥିଲା । ସବୁଠାରୁ ବଡ଼ କଥା ହେଉଛି ଅର୍ଥ ବଳ, ବାହୁବଳ ଓ ମଦ ମାଉଁସ ଭିଡ଼ ଭିତରେ ପ୍ରଦୂଷିତ ହୋଇପଡ଼ିଥିବା ରାଜନୀତିରେ ବେଣୁଧରଙ୍କ ଭଳି ଚେହେରା ଆସିବା ଗଣତନ୍ତ୍ର ପାଇଁ ଶୁଭଙ୍କର । ବର୍ତମାନ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ମାଂସ ଭାତ ଖାଇ, ମଦ ପିଇ ଟଙ୍କା ପଇସା ଦେଇ ଭୋଟ କିଣି ନେଇଥିବାର ଯୁକ୍ତି ବାଢ଼ିଥିଲେ ବେଣୁ ମଉସା ।

ଯାହାକି ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି । ସୁଯୋଗ ମିଳିଲେ ଆଉଥରେ ମଧ୍ୟ ସେ ଇଲେକ୍ସନ ରେ ଠିଆ ହେବା କଥା କହିଛନ୍ତି । ଆଉ ଯେଉଁ ଯୁବପିଢ଼ିମାନେ ଆଜି କେଇଟା ଟଙ୍କା ପାଇଁ କୁଜିନେତାଙ୍କ ପଛରେ ଗୋଡ଼ାଉଛନ୍ତି ବା ଯେଉଁମାନେ ଲଢ଼ିବାର ସାମର୍ଥ୍ୟ ଥାଇ ଛତ୍ରଭଙ୍ଗ ଦେଉଛନ୍ତି ସେମାନଙ୍କ ପାଇଁ ବେଣୁ ମଉସା ଏକ ଭିନ୍ନ ଉଦାହରଣ ହେବ ତାହା ନିଃସନ୍ଦେହ ।

Leave a Reply

Your email address will not be published. Required fields are marked *