ସମସ୍ତଙ୍କ ମନରେ ଆତଙ୍କ ଖେଳାଇବା ପାଇଁ ପୁଷ୍ପା ଫିଲ୍ମ ଷ୍ଟାଇଲରେ ହତ୍ୟା କଲେ ନାବାଳକ,ମର୍ଡର ସିନକୁ ସୋସିଆଲ ମିଡିଆରେ ଭାଇରାଲ କରି ପପୁଲାର ହେବାକୁ ଚାହୁଁଥିଲେ ହତ୍ୟାକାରୀ ।

କ୍ଷମତା ଜାହିର କରିବା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି କେତେକ ନାବାଳକ । ଦିଲ୍ଲୀ ସ୍ଥିତ ଜହାଙ୍ଗୀରପୁର ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା । “ପୁଷ୍ପା” ଏବଂ “ଭୋକାଲ” ଫିଲ୍ମ ଦେଖି ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି ଏହି ଘଟଣାରେ ଜଡି଼ତ ରହିଥିବା ଅଭିଯୁକ୍ତ । ନିଜ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଥିବା ନାବାଳକ ଏହି ହତ୍ୟାକାଣ୍ଡର ଭିଡି଼ଓ ରେକର୍ଡିଂ କରିଥିଲେ ଏବଂ ଏହାକୁ ସେମାନେ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଥିଲେ । ହେଲେ ସେମାନେ ଏହି  ଭିଡ଼ିଓ ଅପଲୋଡ୍ କରିବା ପୂର୍ବରୁ ପୋଲିସ ସେହି ନାବାଳିକାଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଛି ।

ଆଉ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ, ମୋବାଇଲ ଫୋନ ପ୍ରଭୃତିକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ସେମାନଙ୍କ ମୋବାଇଲ୍ ଫୋନରୁ ଏପରି କିଛି ଭିଡିଓ ପାଇଛି ଯେଉଁଥିରେ ସେମାନେ କାହାକୁ ମାଡ ମାରୁଥିବାର କିମ୍ବା ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରୁଥିବାର ଦେଖାଯାଉଛି । ଇନଷ୍ଟାଗ୍ରାମରେ ମଧ୍ୟ ଏପରି ଅନେକ ଭିଡିଓ ଅପଲୋଡ୍ କରାଯାଇଛି । ପୋଲିସ କହିବା ଅନୁସାରେ ଚଳିତ ମାସ ୧୯ ତାରିଖରେ ୨୫ ବର୍ଷୀୟ ଶିବୁ ନାମକ ଜଣେ ଯୁବକ ଜହାଙ୍ଗୀରପୁର ସ୍ଥିତ ଏକ ପାର୍କରେ ବସିଥିଲେ ।

ସେ ବସିବା ସମୟରେ ୩ ଜଣ ନାବାଳକ ସେଠାରେ ପହଞ୍ଚିଥିଲେ । ଏବଂ ପାର୍କରେ ଏକାକୀ ବସିଥିବା ଶିବୁଙ୍କ ସହ ସେମାନେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ହେଲ ସେ ଏହାକୁ ବିରୋଧ କରିବା ପରେ ଏହି ନାବାଳକ ତାଙ୍କୁ ମାଡ଼ ମାରିଥିଲେ ।

ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଶିବୁଙ୍କ ଦୁଇ ହାତକୁ ପଛରୁ ଧରି ପକାଇବା ସହ ଅନ୍ୟ ଜଣେ ତାଙ୍କ ପେଟରେ ଛୁରୀ ମାରି ଦେଇଥିଲେ । ଅନ୍ୟଜଣେ ନାବାଳକ ଏହି ଘଟଣାର ପୁରା ଭିଡ଼ିଓ ରେକର୍ଡିଂ କରିଥିଲା । ଯାହାକି ସେ ସୋସିଆଲ ମିଡିଆରେ ଅପଲୋଡ଼ କରି ପପୁଲାର ହେବାକୁ ଚାହୁଁଥିଲେ । ତେବେ ଆକ୍ରମଣରେ ଲହୁଲୁହାଣ ହୋଇ ଶିବୁ ପାର୍କରେ ପଡି଼ଯିବା ପରେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ନାବାଳକ ଘଟଣାସ୍ଥଳରୁ ପଳାୟନ କରିଥିଲେ ।

ଏହା ପରେ ସ୍ଥାନୀୟ ଲୋକ ଶିବୁଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଏହି ଘଟଣାର ଖବର ହସ୍ପିଟାଲରୁ ମିଳିଥିଲା । ଏହାପରେ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା ପୋଲିସ୍ । ସିସିଟିଭ ଫୁଟେଜରୁ ଏହା ଜଣାପଡିଥିଲା ଏହି ନାବାଳକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ କରୁଥିଲେ । ସେମାନଙ୍କୁ ହୋଇଥିବା ଜେରା ସମୟରେ ଏହି ନାବାଳକ କହିଥିଲେ ସେମାନେ କରୋନା ଟିକା ନେଇ ଫେରୁଥିଲେ ।

ସେତେବେଳେ ସେମାନଙ୍କ ନଜର ପାର୍କରେ ଏକାକୀ ବସିଥିବା ଶିବୁଙ୍କ ଉପରେ ପଡି଼ଥିଲା । ସେମାନେ “ପୁଷ୍ପା” ଓ “ଭୋକାଲ୍” ଭଳି ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରରୁ ପ୍ରଭାବିତ ହୋଇ ସେପରି ଜୀବନଶୈଳୀ ଆପଣାଇବାକୁ ଚାହୁଁଥିଲେ । ସେମାନେ ବଦନାମ୍ ଗ୍ୟାଙ୍ଗ ମଧ୍ୟ ବନାଇଥିଲେ । ସେମାନେ ନିଜ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ଲାଗି ଏହି ଘଟଣାର ଏକ ମୋବାଇଲ୍ ଭିଡିଓ ରେକର୍ଡିଂ କରିଥିଲେ । ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *