ଚନ୍ଦ୍ରରେ ମିଳିଲା ଅମ୍ଳଜାନ, ଏଥର ମଣିଷ ଚନ୍ଦ୍ରରେ କରିବ ଘର, ଅମ୍ଳଜାନ ମିଳିବା ପରେ ଭାରତ ବୈଜ୍ଞାନିକ ହେଲେ ଖୁସି।:-

ଚନ୍ଦ୍ରପୃଷ୍ଠରେ ଏବେ ଅମ୍ଳଜାନ ମିଳିବା ପରେ ସମସ୍ତେ କହୁଛନ୍ତି ଏବେ ଆମେ ଚନ୍ଦ୍ରରେ ଯାଇ ଘର କରିବା। ଆଜ୍ଞା ହଁ ଭାରତର ଚନ୍ଦ୍ର ଅଭିଯାନକୁ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିଛି। ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଅବତରଣ କରିବା ପରେ ବିଭିନ୍ନ ସୂଚନା ପ୍ରଦାନ କରୁଛନ୍ତି।

ପୂର୍ବରୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କରେ ସୂଚନା ଦେଇଥିବା ରୋଭର ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଗନ୍ଧକର ସ-ନ୍ଧାନ ପାଇଛି। ଏଥିରେ ଥିବା ଲେଜର-ଇଣ୍ଡ୍ୟୁସ୍‌ଡ ବ୍ରେକ୍‌ଡାଉନ୍ ସ୍ପେକ୍ଟ୍ରୋସ୍ପୋପ୍ (ଲିବ୍ସ) ଉପକରଣ ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ ଥିବା ସ୍ପଷ୍ଟ କରିଛି। ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଆହୁରି ଅନେକ ଉପାଦାନର ସ-ନ୍ଧାନ ପାଇଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡ଼ିଛି।

ସେଗୁଡ଼ିକ ମଧ୍ୟରେ ଅଛି ଆଲୁମିନିୟମ, କ୍ୟାଲ୍‌ସିୟମ, ଲୌହ, କ୍ରୋମିୟମ ଏବଂ ଟାଇଟାନିୟମ। ଚନ୍ଦ୍ରପୃଷ୍ଠରେ ମାଙ୍ଗାନିଜ, ସିଲିକନ ଓ ଅମ୍ଳଜାନ ମଧ୍ୟ ଅଛି। ଉଦଜାନ ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।

ଲିବ୍ସ ହେଉଛି ରୋଭର ପ୍ରଜ୍ଞାରେ ଲାଗିଥିବା ଏକ ବୈଜ୍ଞାନିକ କୌଶଳ ଯାହା ଚନ୍ଦ୍ର ମୃତ୍ତିକାରେ କି କି ଉପାଦାନ ଅଛି ତାହାର ବିଶ୍ଳେଷଣ କରି ତଥ୍ୟ ପଠାଇଥାଏ। ଏହି ଯନ୍ତ୍ର ଦ୍ବାରା ଚନ୍ଦ୍ରର ପୃଷ୍ଠଦେଶରେ ଥିବା ମୃତ୍ତିକା ବା ପ୍ରସ୍ତର ଉପରକୁ ଉଚ୍ଚ ଶକ୍ତିସମ୍ପନ୍ନ ଲେଜର ତରଙ୍ଗ ଫୋକସ କରାଯାଇଥାଏ।

ଏହା ଏକ ଉତ୍ତପ୍ତ ପ୍ଲାଜ୍‌ମା ସୃଷ୍ଟି କରେ। ଏହି ପ୍ଲାଜ୍‌ମା ଆଲୋକକୁ ବି‌ଶ୍ଳେଷଣ କରି ଉପାଦାନ ସମ୍ବନ୍ଧରେ ଜାଣିହୁଏ। କାରଣ ପ୍ଲାଜ୍‌ମା ଅବସ୍ଥାରେ ପ୍ରତ୍ୟେକ ଉପାଦାନ ଏକ ନିର୍ଦ୍ଦିଷ୍ଟ ଗୁଣସମ୍ପନ୍ନ ତରଙ୍ଗଦୈର୍ଘ୍ୟର ଆଲୋକ ପ୍ରତିଫଳନ କରନ୍ତି। ସେଥିରୁ ବସ୍ତୁର ଔପାଦାନିକ ସଂରଚନା ଜଣାପଡ଼େ ବୋଲି ଇସ୍ରୋ କହିଛି। ଲିବ୍ସ ଉପକରଣଟି ବେଙ୍ଗାଲୁରୁସ୍ଥିତ ଇସ୍ରୋର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ୍‌ସର ପ୍ରୟୋଗଶାଳାରେ ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *