କେଉଁ ଦଳର ଗ୍ୟାରେଣ୍ଟି ଉପରେ ଜନତା କରିବେ ଭରସା । ଦେଖନ୍ତୁ ଜିତିଲେ କେଉଁ ଦଳ କଣ ଦେବ ?

ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୁମତ ପାଇବାକୁ ପ୍ରାୟ ପ୍ରତ୍ୟେକ ଦଳ ଘନଘନ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସବୁଠୁ ଆଶ୍ଚର୍ୟ୍ୟର କଥା ଗୋଟିଏ ଶବ୍ଦ ଉପରେ ୩ ଦଳ ବେଶ ଗୁରୁତ୍ୱ ଦେଉଛନ୍ତି  । ସେ ଶବ୍ଦ ହେଉଛି ଗ୍ୟାରେଣ୍ଟି ।

୩ ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ନିଜ ନିଜ ଇସ୍ତାହାର ଜାରି କରିଥିବା ବେଳେ ଏହି ଗ୍ୟାରେଣ୍ଟି ଶବ୍ଦକୁ ନେଇ ଏବେ ଚା ଖଟିଠୁ ଆପାର୍ଟମେଣ୍ଟ ଯାଏ ସବୁଠି ଚର୍ଚା ଜୋର ଧରୁଛି । ଏଇ ଶବ୍ଦକୁ ନେଇ କେତେ ତର୍କ କେତେ ବିତର୍କ । ଯେଉଁଠି ଦେଖ ଗ୍ୟାରେଣ୍ଟିକୁ ନେଇ ଆଲୋଚନା ଓ ସମୀକ୍ଷା । ତେବେ କାହା ଗ୍ୟାରେଣ୍ଟିରେ କେତେ ଦମ ସେଇଟା ବୁଝେଇବାକୁ ସବୁଦଳ ଲାଗିପଡିଛନ୍ତି । ୨୦୨୪ ନିର୍ବାଚନରେ କାହା ଗ୍ୟାରେଣ୍ଟି କେତେ ରେର୍ସରେ ଦୌଡ଼ି ସର୍ବପ୍ରଥମେ ପହଂଚିବ ଦେଖିବା ଆଗରୁ, ଆସନ୍ତୁ ଟିକେ ଆଲୋଚନା କରିବା କୋଉ ଦଳର କଣ ଗ୍ୟାରେଣ୍ଟି  ।

ଓଡ଼ିଶାରେ ସରକାର ଗଢିବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ବିଜେପି ମୋଦି ଗ୍ୟାରେଣ୍ଟି ଦେଖେଇ ଭୋଟରଙ୍କୁ ଭୋଟ ମାଗୁଛି  । ଯଦି ବିଜେପି ଜିତେ ତେବେ ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଯୋଜନାରେ ମାଗଣା ବିଜୁଳି, ୧୦୦ ଦିନରେ ଆୟୁଷ୍ମାନ, ୩ହଜାର ମୁଖ୍ୟମନ୍ତ୍ରୀ ସହାୟତା ଭତ୍ତା, ଓଡ଼ିଆରେ ଆଇନ, ମେଡିକାଲ ଓ ଇଞ୍ଜିନିଅରିଂ ପାଠ୍ୟକ୍ରମ, ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ, ରତ୍ନଭଣ୍ଡାର ତାଲା ଖୋଲିବା, ଭକ୍ତଙ୍କ ପାଇଁ ଖୋଲିବା ଶ୍ରୀମନ୍ଦିର ଚାରି ଦ୍ୱାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା, ଏହାସହ ଧାନର ଏମଏସପି ୩୧୦୦ ଟଙ୍କା ।

ଏବେ ବିଜେଡି ଗ୍ୟାରେଣ୍ଟି ବା ନବୀନ ଗ୍ୟାରେଣ୍ଟି କଥା । ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢିବାକୁ ବିଜେଡି ପ୍ରସ୍ତୁତ କରିଛି ନବୀନ ଗ୍ୟାରେଣ୍ଟି । ନବୀନ ଗ୍ୟାରେଣ୍ଟି ଅନୁଯାୟୀ ୧୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ମିଶନଶକ୍ତି ମହିଳାଙ୍କ ପାଇଁ ପେନ୍ସନ, ମିଶନଶକ୍ତି ମହିଳାଙ୍କ ପାଇଁ ୧୫ ଲକ୍ଷ ଯାଏ ବିନା ସୁଧରେ ଋଣ, ଯୁବଶକ୍ତି ପାଇଁ ସ୍ପେସିଆଲ ବଜେଟ, ନୂଆ ଓ ଛାତ୍ର ବୃତିରେ ଛାତ୍ରୀଙ୍କୁ ୧୪ ଓ ଛାତ୍ରଙ୍କୁ ୧୨ ହଜାର ଟଙ୍କା, ୨ ଲକ୍ଷ ସରକାରୀ ଚାକିରୀ , ବିଏସକେୱାଇ ରେ ରାଶି ବୃଦ୍ଧି , ସମସ୍ତଙ୍କୁ ରାସନ କାର୍ଡର ସୁବିଧା, ଯୋଗ୍ୟ ହିତାଧିକାରୀଙ୍କୁ ୧୦ ଲକ୍ଷ ଘର , ଝିଅ ବାହାଘର ପାଇଁ ୨୫ ହଜାର ସହାୟତା ରାଶି ।

ଏବେ କଂଗ୍ରେସ ଗ୍ୟାରେଣ୍ଟି ଉପରେ ନଜର ପକାଇବା । ବୋନସ ସହ ଧାନ ଏମଏସପି ୩ ହଜାର, କୃଷି ଋଣ ଛାଡ଼, ଚାଷୀଙ୍କୁ ମାସିକ ୨ ହଜାର ଟଙ୍କା ପେନ୍ସନ, ୨୦୦ ୟୁନିଟ ଯାଏ ବିଜୁଳି ବିଲ ଛାଡ଼, ଯୁବପିଢ଼ି ପାଇଁ ୫ ଲକ୍ଷ ସରକାରୀ ଚାକିରୀ, ବେକାରୀ ଭତ୍ତା ମାସିକ ୩ ହଜାର, ଏସଏଚଜି ଗୃପ ପାଇଁ ବ୍ୟାଙ୍କ ଋଣ ଛାଡ଼, ଘରର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ୨ ହଜାର ଟଙ୍କା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ସମସ୍ତଙ୍କୁ ୧୫ ଲକ୍ଷର ମାଗଣା ଚିକିତ୍ସା ସୁବିଧା ।

Leave a Reply

Your email address will not be published. Required fields are marked *