ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ଆସିଲା ନେତାଙ୍କ ବଡ଼ ବୟାନ…ଏକା ଲଢ଼ିପାରେ ବିଜେପି।

ରାଜ୍ୟରେ ହୋଇନପାରେ ମେଣ୍ଟ। ଏକା ଲଢ଼ିପାରେ ବିଜେପି। ନେତା କହିଲେ, ମେଣ୍ଟ ଚର୍ଚ୍ଚା ଗୁଜବ।ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବାକୁ ନେଇ ଗତ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। କେତେବେଳେ କୁହାଯାଉଛି କି ମେଣ୍ଟ ହେବା ନିଶ୍ଚିତ ହୋଇସାରିଛି କେବଳ ଅପୌଚାରିକ ଘୋଷଣା ବାକି ରହିଛି। ଆଉ କେତେବେଳେ କୁହାଯାଉଛି କି ସବୁ କଥା ସ୍ଥିର କରାସରିଛି କେବଳ ଆସନ ଭାଗ ବଣ୍ଟାରେ କଥା ଅଟକିଛି। ଏସବୁ ଚର୍ଚ୍ଚାକୁ ଆହୁରି ବଳ ଯୋଗାଉଛି ଉଭୟ ଦଳର ଘନ ଘନ ବୈଠକ।

ଏପଟେ ଭୁବନେଶ୍ୱରରେ ନବୀନ ନିବାସ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଉ ସେପଟେ ଦିଲ୍ଲୀରେ ବିଜେପି ଶିବିରରେ ରାଜ୍ୟ ବିଜେପି ନେତାଙ୍କୁ ନେଇ କେନ୍ଦ୍ରୀୟ ବୈଠକ। ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ମାନସ ମନ୍ଥନ ଚାଲିଥିବା କୁହାଯାଉଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ଗତ ଦୁଇଦିନ ଧରି ଏନେଇ ଉଭୟ ଦଳ ପକ୍ଷରୁ ଘଣ୍ଟା ଚକଟା ଚାଲିଛି। କୁହାଯାଉଛି କି ଦୁଇ ଦଳ ମଧ୍ୟରେ ଆସନ ଭାଗ ବଣ୍ଟା ନେଇ କଥା ଛିଡୁନି।

ଲୋକସଭା ପାଇଁ ବିଜେପି ଅଧିକ ଆସନ ଚାହୁଁଛି କୁହାଯାଉଥିବା ବେଳେ ବିଜେଡି କୁଆଡେ ବିଧାନସଭାରେ ୧୦୦ ରୁ ଅଧିକ ଆସନରେ ଲଢ଼ିବା ପାଇଁ ଦାବି କରୁଛି। ଗତ ଦୁଇ ଦିନ ହେଲା ରାଜ୍ୟ ବିଜେପି ସଭାପତିଙ୍କ ସହ ଦଳର ଅନ୍ୟ ନେତାମାନେ ବି ଦିଲ୍ଲୀରେ ଡେରା ପକାଇଛନ୍ତି। ସେହିଭଳି ବିଜେଡିର ଦୁଇ ଛାମୁଆ ନେତା ଭିକେ ପାଣ୍ଡIଆନ ଏବଂ ପ୍ରଣବପ୍ରକାଶ ଦାସ ଗତ କାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିଥିବା କୁହାଯାଉଛି। ସେମାନେ ସମ୍ଭାବ୍ୟ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ କଥା ହୋଇଥିବ ଜଣାପଡୁଛି।

ତେବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ସାମ୍ନାକୁ ଆସିଛି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ କଥା। ଗଣମାଧ୍ୟମରେ ପୃଥ୍ୱୀରାଜ ଦେଇଥିବା ମନ୍ତବ୍ୟରୁ ଅନୁମାନ କରାଯାଉଛି କି ରାଜ୍ୟରେ ବିଜେପି ଏକା ଲଢ଼ିବାର ବୋହୁ ସମ୍ଭାବ୍ୟ ରହିଛି। ସେ କହିଛନ୍ତି ମେଣ୍ଟ ବାବଦରେ କୌଣସି ନିଷ୍ପତ୍ତି ହୋଇନାହିଁ କି ଆଲୋଚନା ବି ହୋଇନାହିଁ। ଆମେ ଏକାକୀ ଲଢ଼ିଲେ ଭଲ କରିବୁ। ଦଳର ପ୍ରମୁଖ ନେତୃତ୍ୱ ବୃନ୍ଦ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଆଗରେ କହିଛନ୍ତି।ଭାରତୀୟ ଜନତା ପାର୍ଟି ମଧ୍ୟ ସେଥିରେ ବିଶ୍ୱାସ କରେ। ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ ସେ ଅନୁସାରେ ଆମେ ଚାଲିବୁ। ଯେଉଁ ଚର୍ଚ୍ଚା ହେଉଛି ସେସବୁ କେବଳ ଗୁଜବ ସେଥିରେ କୌଣସି ସତ୍ୟତା ନାହିଁ।

ତେବେ ମେଣ୍ଟ ଚର୍ଚ୍ଚା ଭିତରେ ବରିଷ୍ଠ ନେତା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଏଭଳି ବୟାନ ଭିନ୍ନ କିଛି ଇଙ୍ଗିତ କରୁଥିବା ବେଳେ ଗତ କାଲି ଦିଲ୍ଲୀ ଯାଇଥିବା ବିଜେଡିର ଦୁଇ ନେତା ଆଜି ଭୁବନେଶ୍ୱର ଫେରି ଶଙ୍ଖ ଭବନ ନିକଟରେ ବିଜେଡିର ମହିଳା ଦିବସ ସମାରୋହରେ ସାମିଲ ହୋଇଛନ୍ତି ବୋଲି ଜଣା ପଡ଼ିଛି। ତେଣୁ ବିଜେଡି ଓ ବିଜେପିକୁ ନେଇ ମେଣ୍ଟ ଚର୍ଚ୍ଚା ବାସ୍ତବ ରୂପ ନେଉଛି। କି କେବଳ ଚର୍ଚ୍ଚାରେ ସୀମିତ ରହୁଛି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *