ପଡିଥିଲା ହାତଗଣ୍ଠି, ପାଉଣା ମାଗୁଥିଲେ ଶାଳୀ…ମାଡି ଆସିଲେ ପ୍ରଥମ ସ୍ତ୍ରୀ, ଆରମ୍ଭ ହେଲା ତାଣ୍ଡବ।

ବନ୍ଧୁଗଣ ଦେଖନ୍ତୁ ଟିକେ ଏଇ ଦୃଶ୍ୟକୁ। ହଁ ଆଜ୍ଞା ବାହାଘର ଚାଲିଥିଲା, ପୁରୋହିତେ ମନ୍ତ୍ରପାଠ କରୁଥିଲେ। ଆଉ ହାତ ଗଣ୍ଠିବି ପଡି ସାରିଥିଲା। ହେଲେ ଏତିକିବେଳେ ହଠାତ ପହଁଚିଗଲେ ବେଦୀ ଉପରେ ବସି ବାହାହେଉଥିବା ଯୁବକଙ୍କର ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଗଲା ପୁରା ତାଣ୍ଡବ। ସ୍ୱାମୀ ତାଙ୍କର ବାହାହେଉଥିବାର ଖବର ପାଇ ସେପଟୁ ପୁରା ରାଗ ତମ ତମ ହୋଇ ଆସିଥିଲେ ପ୍ରଥମ ସ୍ତ୍ରୀ। ଆଉ ସିଧା ଯାଇ ସ୍ୱାମୀଙ୍କ ହାତରେ ଠୋ କରି ଚାପୁଡ଼ାଟିଏ ମାରି ହାତ ଗଣ୍ଠିକୁ ଛିଡାଇ ପକାଇଥିଲେ।

ବନ୍ଧୁଗଣ ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ବରର। ରାଜଭବନ ନିକଟ ରାଧାକୃଷ୍ଣ ମନ୍ଦିରରେ ଏକ ବାହାଘର ଚାଲିଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା। ବର କନ୍ୟାଙ୍କର ହାତଗଣ୍ଠି ପଡୁଥିବା ବେଳେ କନ୍ୟାଙ୍କର ଭଉଣୀ ହାତଗଣ୍ଠି ଖୋଲିବା ପାଇଁ ପାଉଣା ଦାବି କରୁଥିଲେ ଆଉ ଠିକ ଏହି ସମୟରେ ମନ୍ଦିର ପରିସରରେ ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ ନିଜକୁ ପ୍ରଥମ ସ୍ତ୍ରୀ ଦାବି କରୁଥିବା ଜଣେ ମହିଳା। ଆଉ କେତୋଟା ବାହା ହେବୁ ବୋଲି କହି ବର ବେଶରେ ବସିଥିବା ଯୁବକଙ୍କ ହାତକୁ ଠୋ କରି ଚାପୁଡ଼ା ପକାଇଲେ। ଆଉ ହାତଗଣ୍ଠିକୁ ଛିଡ଼ାଇ ଅଲଗା କରିଦେଲେ। ହେଲେ ବର ଜଣଙ୍କ କିନ୍ତୁ ସେହି କନ୍ୟା ଅର୍ଥାତ ନିଜ ନବବିବାହିତା ପତ୍ନୀଙ୍କ ହାତକୁ ଭିଡି ଧରୁଥିଲେ। ଆଉ ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।

ଖବର ଅନୁସାରେ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ସୁଦର କୋଲକତାରୁ ଆସିଥିଲେ। ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବାର ଖବର ପାଇ ସେ ସମସ୍ତ କାଗଜ ପତ୍ର ସହ ଭୁବନେଶ୍ୱରରେ ପହଁଚି ଯାଇଥିଲେ। ପୋଲିସ ଓ ସମାଜସେବୀଙ୍କୁ ଧରି ବାହାଘର ହେଉଥିବା ରାଧାକୃଷ୍ଣ ମନ୍ଦିରରେ ପହଂଚିଯାଇଥିଲେ। ହେଲେ ସେତେବେଳକୁ କିନ୍ତୁ ହାତଗଣ୍ଠି ପଡିସାରିଥିଲା। ହେଲେ ପ୍ରଥମ ପତ୍ନୀ ପହଁଚିବା ପରେ ଆରମ୍ଭ ହୋଇଥିଲା ହଙ୍ଗାମା। ସେ ଥାଉ ଥାଉ ତାଙ୍କ ସ୍ବାମୀଙ୍କର ଆଉ କାହା ସହିତ ହାତଗଣ୍ଠି ପଡିଥିବାର ଦେଖି ସହି ପାରିଲେନି ପ୍ରଥମ ପତ୍ନୀ। ଆଉ ସେହି ବାହାବେଦୀରେ ହିଁ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ।

ହେଲେ ଏହାରି ଭିତରେ କିନ୍ତୁ କନ୍ୟା ବେଶରେ ଯୁବତୀ ଜଣଙ୍କ ନଗଦରେ ବାହା ହୋଇଥିବା ତାଙ୍କ ସ୍ବାମୀଙ୍କୁ ପଛ ଆଡୁ କୁଣ୍ଢାଇ ଧରିଥିଲେ। ଆଉ ବର ଜଣକ ଉତେଜିତ ହୋଇ କହୁଥିଲେ କି ମୋ ପାଖରେ ବି ଡକ୍ୟୁମେଣ୍ଟ ଅଛି। ଗାଡି ପଛ ସିଟରେ ଡକ୍ୟୁମେଣ୍ଟ ଅଛି ଧରିକି ଆସ।

ତେବେ ଅନେକ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଏଭଳି ବାଦ ବିବାଦ ଚାଲିବା ପରେ ବରକୁ ଉଠାଇ ନେଇଥିଲା ପୋଲିସ। କୋଲକତାରୁ ଆସିଥିବା ମହିଳା ଜଣକ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଥିବା ଜଣା ପଡ଼ିଛି। ତେବେ ପୋଲିସ ଏ ଖବର ଉପରେ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *