ପ୍ରଭାତିଙ୍କ କଥାରୁ ମିଳିଲା ସଂକେତ । ବିଜେଡି ଛାଡି ବିଜେପିରେ ମିଶି ପାରନ୍ତି ସମୀର ଦାସ ।

ବିଜେପିରେ ସାମିଲ ହୋଇପାରନ୍ତି ସମୀର ଦାସ । ଚର୍ଚ୍ଚା ବଢାଇଲା ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ବୟାନ । ସମୀର ସମୀକରଣ ବଦଳାଇ ପାରିବେ ବୋଲି କହିଛନ୍ତି ନିମାପଡ଼ାରୁ ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତି ପରିଡ଼ା । ତେବେ ଟିକଟ ନମିଳିବାରୁ ବିଭିନ୍ନ ସଭା ସମିତି କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରୁଛନ୍ତି ସମୀର । ଏପରିକି ଟିକଟ ନମିଳିଲେ ସ୍ବାଧୀନ ଲଢ଼ିବା ପାଇଁ ଏକ ସଭାରେ ସମୀରଙ୍କ ସମର୍ଥକ ଦାବି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆହୁରି ମଧ୍ୟ ସମୀର ବିଜେପିରେ ମିଶିବା ଚର୍ଚ୍ଚା ଆଗେଇ ଚାଲିଛି । ଏହାରି ଭିତରେ ପ୍ରଭାତୀଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।

ତେବେ ପ୍ରଭାତୀ ପରିଡା କହିଛନ୍ତି, “ସମୀର ସମୀକରଣ ବଦଳାଇପାରିବେ । ଜଣେ ଯଦି ୩ ବର୍ଷର ମନ୍ତ୍ରୀ ଏବଂ ଏମ୍‌ଏଲ୍‌ଏ ଅଛନ୍ତି, ତାଙ୍କର ନିଜସ୍ବ ସଂଗଠନ ମଧ୍ୟ ଅଛି । ସେ ଚାହିଁଲେ ସଂଗଠନ ବଦଳାଇପାରିବେ । ଜନତା ଏଥର ପ୍ରଭାତୀ ପରିଡା ଏବଂ ବିଜେପି ସପକ୍ଷରେ ଅଛନ୍ତି” । ଅନ୍ୟପଟେ ସମୀର ଦାସ ଦିଲ୍ଲୀ ଗସ୍ତରେ ଥିବା ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଯଦି ସମୀର ଦାସ ବିଜେପିରେ ଯୋଗ ଦିଅନ୍ତି, ତେବେ ଏଥର ନିର୍ବାଚନରେ ବିଶେଷ କରି ନିମାପଡ଼ାରେ ବିଜେପିକୁ ଏହା ବେଶ ଫାଇଦା ହୋଇପାରେ ।

ସେହିପରି ସେହିପରି ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି, “ଆମ ଅଞ୍ଚଳରେ ନିଶ୍ଚିତ ଭାବେ ସମୀକରଣ ବଦଳିବ । ତାଙ୍କର ଯେଉଁ ନେତା ଥିଲେ, ସେ ଟିକଟରୁ ବଞ୍ଚିତ ହୋଇଛନ୍ତି । ଆମ ଦଳରେ ଯିଏ ସାମିଲ ହୋଇଥିଲେ, ୩ ବର୍ଷରେ ୫ ଥର ଦଳ ବଦଳ କରି ତାଙ୍କ ଦଳରୁ ଟିକଟ ପାଇଛନ୍ତି । ଲୋକ ଏହାର ବିଚାର କରିବେ । ଯାହାର ସଂଗଠନ ନାହିଁ, ଜମି କାରବାରରେ ଶହ ଶହ ଲୋକଙ୍କୁ ଠକିଥିବା ଲୋକ ଏବେ ବିଜେଡି ପ୍ରାର୍ଥୀ । ସ୍ଥାୟିତ୍ବ ଏବଂ ସ୍ଥିରତାକୁ ନିମାପଡାବାସୀ ଭୋଟ ଦେଇ ଜିତାଇବେ । ରାଜ୍ୟରେ ଏବେ ଦୁଇଟି ଦଳ ଅଛି । ଯିଏ ବିଜେଡିରେ ଅଛି, ବିଜେପିକୁ ଆସୁଛନ୍ତି ଏବଂ ବିଜେପିରୁ ବିଜେଡିକୁ ଯାଉଛନ୍ତି । ତେଣୁ ଯିଏ ବି ଆସିବ ଆମେ ତାଙ୍କୁ ସ୍ବାଗତ କରିବୁ ।

ସୂଚନାଯୋଗ୍ୟ, ନିମାପଡ଼ା ଅଞ୍ଚଳରେ ସମୀର ଦାସଙ୍କ ଦବଦବା ଥିବାବେଳେ ବିଜେଡି କିନ୍ତୁ ତାଙ୍କୁ ଏଥର ଭରସା କରିନାହିଁ । ତାଙ୍କୁ ଟିକଟ ନମିଳିବା ପରେ ସେ ତାଙ୍କ ସମର୍ଥକଙ୍କ ସମେତ ନିମାପଡ଼ାରେ ଏକାଧିକ ଥର ଶକ୍ତି ପ୍ରଦର୍ଶନ କରିଥିଲେ । ଏହା ସହିତ ତାଙ୍କୁ ନବୀନ ନିବାସ ବି ଡାକରା ଦିଆଯାଇଥିଲା । ହେଲେ କୌଣସି ସମାଧାନ ହୋଇନଥିଲା । ସମୀର ଦାସ ଦଳ ଛାଡିବେ ଯଦି ତାଙ୍କ ସମର୍ଥକଙ୍କ ସହିତ ଦଳ ଛାଡିବେ । ଯଦି ସେ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହା ବିଜେପି ପାଇଁ ବେଶ ଫାଇଦା ହେବ ।

Leave a Reply

Your email address will not be published. Required fields are marked *