କରୋନା ଭାଇରସ୍ ଠାରୁ ଅଧିକ ମାରାତ୍ମକ ଏଚ୫ଏନ୧ ଭୂତାଣୁ । ଯାହାକୁ ନେଇ ସମସ୍ତେ ଭୟଭୀତ ।
କରୋନାଙ୍କ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ଏହାରି ମଧ୍ୟରେ ବୈଜ୍ଞାନିକମାନେ ଆମେରିକାରେ ବୃଦ୍ଧି ପାଉଥିବା ଅନ୍ୟ ଏକ ସଂକ୍ରାମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି । ନିକଟରେ ଆମେରିକାର କେତେକ ଲୋକ ଏବଂ ଗୋରୁରେ ବାର୍ଡ ଫ୍ଲୁ କିମ୍ବା ଏଚ୫ଏନ୧ ସଂକ୍ରମଣର ମାମଲଶ ସାମ୍ନାକୁ ଆସିବା ପରେ ବିଶେଷଜ୍ଞମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି ।
କୋଭିଡ-୧୯ ଭୂତାଣୁ ଠାରୁ ୧୦୦ଗୁଣ ମାରାତ୍ମକ ହେଉଛି ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ. ଭୂତାଣୁ । ଯାହା ଏବେ ବ୍ୟାପୀବାରେ ଲାଗିଛି ବୋଲି ଗବେଷକ ଓ ମହାମାରୀ ବିଶେଷଜ୍ଞମାନେ ଚେତାଇଥିବା ବିଷୟ ଏକ ରିପୋର୍ଟ ଇଂଲଣ୍ଡର ଟାବଲଏଡ ଦି ଡେଲି ମେଲରେ ପ୍ରକାଶିତ ହୋଇଛି । ବୈଜ୍ଞାନିକମାନଙ୍କ ମତ ହେଲା, ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ଏବେ ସକ୍ରିୟତାର ଏପରି ବିଷମ ମୋଡ଼ ବା କ୍ରିଟିକାଲ ଥ୍ରେସହୋଲଡରେ ପହଞ୍ଚିଛି ଯାହା ଆଗାମୀ ଦିନରେ ବୈଶ୍ବିକ ମହାମାରୀ ଘଟାଇବାକୁ ସକ୍ଷମ ହେବା ସମ୍ଭବ ।
ଏଚ୫ଏନ୧ ସଂକ୍ରମଣକୁ ମଣିଷ ପାଇଁ ଏକ ଗୁରୁତର ରୋଗ ଏବଂ ସାଂଘାତିକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ ବୈଜ୍ଞାନିକମାନେ କହିଛନ୍ତି ଯେ, ମଣିଷଙ୍କଠାରେ ଏଚ୫ଏନ୧ ସଂକ୍ରମଣ କରୋନା ଅପେକ୍ଷା ଅନେକ ଗୁଣ ମାରାତ୍ମକ ହୋଇପାରେ । ବାର୍ଡ ଫ୍ଲୁ କରୋନା ଅପେକ୍ଷା ଅଧିକ ବିପଜ୍ଜନକ :- ବୈଜ୍ଞାନିକ ସତର୍କ କରାଇଦେଇଛନ୍ତି ଯେ ଏଚ୫ଏନ୧ ଷ୍ଟ୍ରେନର ବାର୍ଡ ଫ୍ଲୁ.ଭୂତାଣୁ ବୈଶ୍ବିକ ବ୍ୟାପକତାରେ ମହାମାରୀ ଘଟାଇବାକୁ ସକ୍ଷମ କାରଣ ଏହି ଭୂତାଣୁ ମନୁଷ୍ୟ ସମେତ ଅନେକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରରେ ସଂକ୍ରମଣ ଘଟାଇପାରିବ।
ଏବେ ଏହି ସମ୍ଭାବ୍ୟ ବିପଦ ଆମର ଅତି ନିକଟରେ ପହଞ୍ଚିଗଲାଣି । ଆହୁରି ମଧ୍ୟ ଆମେରିକୀୟ ବୈଜ୍ଞାନିକମାନେ କହିଛନ୍ତି, ବାର୍ଡ ଫ୍ଲୁରେ ଏକ ଭୟଙ୍କର ମହାମାରୀ ସୃଷ୍ଟି କରିବାର ସାମର୍ଥ୍ୟ ଅଛି ଯାହା କୋଭିଡ ଅପେକ୍ଷା ୧୦୦ ଗୁଣ ଅଧିକ ଖରାପ ହୋଇପାରେ । ସାରା ବିଶ୍ୱରେ ବୈଜ୍ଞାନିକମାନେ ଅଜ୍ଞାତ ରୋଗ ଏକ୍ସ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିବାବେଳେ ମଣିଷମାନଙ୍କରେ ଏଚ୫ଏନ୧ ର ବୃଦ୍ଧି ମାମଲା ଚିନ୍ତା ବଢ଼ାଇଦେଇଛି ।