ଅନ୍ୟ ଦଳର ଜଣେ ନେତାଙ୍କ ପାଇଁ ବିଜେଡି ବାଲେଶ୍ଵର ଲୋକସଭା ଆସନରେ ଅପେକ୍ଷାରେ ଥିବା ଚର୍ଚ୍ଚା।
ବାଲେଶ୍ଵରରେ କାହିଁକି ପ୍ରାର୍ଥୀ ଦେଇନି ବିଜେଡି? କାହା ପାଇଁ ଅପେକ୍ଷା କରିଛି ଶାସକ ଦଳ? ଜଣେ ନେତାଙ୍କ ପୁଅ ପାଇଁ ଖାଲି ରଖିଥିବା ଚର୍ଚ୍ଚା?ଆଜ୍ଞା ହଁ ବନ୍ଧୁଗଣ ବିଜେଡି ଆଜି ନିଜର ତୃତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ୨୭ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିଛି।।ପ୍ରଥମ ପର୍ଯ୍ୟାୟରେ ୯ ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି ବିଜୁ ଜନତା ଦଳ।
ରାଜ୍ୟରେ ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୩ଟି ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣାକରିଥିବା ବେଳେ ଆଉ ଗୋଟିଏ ଆସନରେ ଏବେବି ମଧ୍ୟ ପ୍ରାର୍ଥୀ ଚୟନ ବାକି ରହିଛି। ଆଉ ବକିଥିବା ଏହି ଆସନଟି ହେଉଛି ବାଲେଶ୍ଵର।ପୂର୍ବରୁ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଆଜି ସୁଧା ୨୦ ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି ଏବଂ କେବଳ ବାଲେଶ୍ଵର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ କାହିଁକି ଏପର୍ଯ୍ୟନ୍ତ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଚୟନ କରି ପାରିନାହିଁ ଶାସକ ଦଳ। କେଉଁଠି ରହିଯାଇଛି ସମସ୍ୟା।
ଯଦି ୨୦୧୯ ସାଧାରଣ ନିର୍ବାଚନକୁ ଦେଖିବା ତେବେ ବାଲେଶ୍ଵର ଲୋକସଭା ଆସନରୁ ବିଜେଡି ପରାସ୍ତ ହୋଇଥିଲା।।ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜାଡେଜାଙ୍କୁ ୧୨,୯୫୬ ଭୋଟରେ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ। ରବିନ୍ଦ୍ରଙ୍କୁ ୪ଲକ୍ଷ ୭୦ହଜାର ୯୦୨ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତାପ ପାଇଥିଲେ ୪ଲକ୍ଷ ୮୩ ହଜାର ୮୫୮ ଭୋଟ।ଆଉ ଏଥର ମଧ୍ୟ ବିଜେପି ବାଲେଶ୍ଵର ଲୋକସଭା ଆସନରୁ ସଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ରିପିଟ କରିଛି। ହେଲେ ବିଜେଡି କିନ୍ତୁ ବାଲେଶ୍ୱର ଆସନରେ ଦଳୀୟ ପ୍ରାର୍ଥୀ କିଏ ହେବେ ସେ ନେଇ ଘୋଷଣା କରିନି।
ଆସନ୍ତା ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବାଲେଶ୍ଵର ଲୋକସଭା ଆସନ ପାଇଁ ଦଳ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ଦେଇଛି। ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି କି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ପୁଅ ନବଜ୍ୟୋତି ପଟନାୟକଙ୍କ ପାଇଁ ବିଜେଡି ବାଲେଶ୍ଵର ଲୋକସଭା ଆସନକୁ ଖାଲି ରଖିଛି।
ନବଜ୍ୟୋତି ପଟନାୟକ ବିଜେଡିରେ ସାମିଲ ହେବାର ସମ୍ଭାବନା ଥିବାରୁ ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ୨୦୧୯ ରେ ମଧ୍ୟ ନବଜ୍ୟୋତି ପଟନାୟକ ବାଲେଶ୍ଵର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିଲେ। ଆଉ ୧ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ନବଜ୍ୟୋତି ପଟନାୟକ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କେତେ ସତ୍ୟତା ରହିଛି ତାହା ଦଳର ପରବର୍ତୀ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ସମୟରେ ସ୍ପଷ୍ଟ ହୋଇଯିବ।