ପୁଣି ଥରେ ବନ୍ଦ ହେଲା କାରଖାନା..ଭେଣ୍ଡିଂ ଜୋନକୁ ସିଲ କରିଦେଲା ବିଏମସି, କ’ଣ କରିବେ ଭାଉଜ।
ପୁଣି ଥରେ ସିଲ ହେଲା କାରଖାନା। ବନ୍ଦ ହୋଇଗଲା ଦୁଇ ଯାଆଙ୍କ ହୋଟେଲ। ଭେଣ୍ଡିଂ ଜୋନକୁ ସିଲ କରିଦେଲା ବିଏମସି। ଠକାମୀରେ ଶିକାର ହେଲେ କି ମାଳିକାଣି?ଆଜ୍ଞା ହଁ ବନ୍ଧୁଗଣ ଗତ କିଛି ଦିନ ଧରି କାରଖାନାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଭାଉଜଙ୍କ ନାଁରେ ଲୋକପ୍ରିୟ ହୋଇଥିବା କାରଖାନାର ଦୁଇ ମାଳିକାଣି ଯେବେଠାରୁ ଖାଇବା କାରରେ ଆଣି ରାସ୍ତା କଡରେ ଗ୍ରାହକଙ୍କୁ ପରସିବା ଆରମ୍ଭ କରିଲେ ସେବେଠାରୁ ସେମାନେ ଆସିଯାଇଛନ୍ତି ଚର୍ଚ୍ଚାକୁ। ବ୍ୟବସାୟ ବଢିବା ସହ ରାତାରାତି ଲୋକପ୍ରିୟ ବି ହୋଇଯାଇଥିଲେ କାରଖାନା ଆରମ୍ଭ କରିଥିବା ଦୁଇ ଯାଆ। ହେଲେ ଚର୍ଚ୍ଚା ଯେତିକି ବଢ଼ିଲା ସମସ୍ୟା ବି ସେତିକି ବଢ଼ିଲା। ପ୍ରଥମେ ଆଇଜି ପାର୍କ ରାସ୍ତାରେ କାରରେ ଖାଇବା ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯାଆ। ଆଉ ଯେଉଁଥିପାଇଁ ଯାହାର ନାଁ ହେଉଛି କାରଖାନା।
ଲୋକଙ୍କ କହିବା କଥା ହେଉଛି ଦର ଅନୁସାରେ ଭଲ ଖାଇବା ଦେଉଥିବାରୁ ବ୍ୟବସାୟ ବି ଭଲ ହେଲା। ଲୋକମାନେ ଖାଇବା ପାଇଁ କାରଖାନା ପାଖରେ ଧାଡି ବାନ୍ଧି ଠିଆ ହେଉଥିବାର ବି ଦେଖିବାକୁ ମିଳିଲା। ନିଜେ ଘରୁ ରୋଷେଇ ତିଆରି କରି ଆଣି ରାସ୍ତା କଡରେ ଲୋକଙ୍କୁ ପରସି ଦେଉଥିବା ଏହି ଦୁଇ ଯାଆ ସେମାନଙ୍କ ଗ୍ରାହକଙ୍କ ଭିତରେ କାରଖାନା ଭାଉଜ ଭାବେ ବହୁତ ପରିଚିତ ହୋଇଗଲେ। କାରଖାନାରୁ ଖାଇବା ପାଇଁ ଏତେ ସଂଖ୍ୟାରେ ଲୋକେ ପହଁଚିଲେ ଯେ ଖାଦ୍ୟ ବି ନିଅଣ୍ଟ ପଡି ଯାଉଥିଲା। ଅନେକ ଲୋକ ଅପେକ୍ଷା କରି କରି ଖାଇବା ନପାଇ ଫେରିବାକୁ ପଡୁଥିଲା। ଆଉ ଯେତେବେଳେ କାରଖାନାକୁ ନେଇ ରାଜଧାନୀ ଭୁବନେଶ୍ବରରେ ଖୁବ ଜୋରରେ ଚର୍ଚ୍ଚା ହେଲା ଠିକ ସେତିକିବେଳେ କାରଖାନା ପାଇଁ ସମସ୍ୟା ବଢ଼ିଗଲା।
କାରଖାନା ଉପରେ ପ୍ରଥମେ ବିଏମସିର ଛାଟ ପଡିଲା।ବିନା ଟ୍ରେଡ଼ ଲାଇସେନ୍ସରେ ବ୍ୟବହାର କରୁଥିବା ଅଭିଯୋଗରେ ଚଢ଼ାଉ କରିଥିଲା ଭୁବନେଶ୍ୱର ମହାନଗର ନିଗମ। ତେବେ କାରଖାନାର ମାଳିକାଣିଙ୍କ କହିବା ଅନୁସାରେ ଯଦିଓ ତାଙ୍କ ପାଖରେ ଲାଇସେନ୍ସ ଥିଲା ହେଲେ ସେଥିରେ ଯେଉଁ ସ୍ଥାନରେ ବ୍ୟବସାୟ କରିବାର ଥିଲା ତାହା କୁଆଡେ ଅଲଗା ଥିଲା। ସେ ଯାହା ହେଉନା କାହିଁକି ଦିନେ ଖରାବେଳେ ଲୋକେ ଖାଇବାକୁ ଅପେକ୍ଷା କରିଥିବା ବେଳେ ହଠାତ ବିଏମସିର କର୍ମଚାରୀ ମାନେ ଚଢ଼ାଉ କରି ୫ ହଜାର ଟଙ୍କାର ଫାଇନ କାଟିବା ସହ କାରଖାନାକୁ ବନ୍ଦ କରି ଦେଇଥିଲେ।
ତେବେ କାରଖାନାର ମାଳିକାଣି ସେତେବେଳେ କହିଥିଲେ କି ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରି ସେ ପୁଣି ଥରେ ବ୍ୟବସାୟ ନିଶ୍ଚୟ ଆରମ୍ଭ କରିବେ। ଆଉ କରିଥିଲେ ମଧ୍ୟ। ଆଉ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିଥିଲା କାରଖାନା। ପୁଣି ଥରେ ଖାଇବା ଆଣି ରାସ୍ତାରେ ପରସିଥିଲେ ଦୁଇ ଯାଆ ବା କାରଖାନା ଭାଉଜ। ହେଲେ ଏଥର କିନ୍ତୁ ଜାଗା ବଦଳି ଯାଇଥିଲା। ଆଇଜି ପାର୍କ ପାଖରେ ନୁହେଁ ବରଂ ମାଷ୍ଟରକେଣ୍ଟିନ ଛକ ନିକଟସ୍ଥରେ ଥିବା ଭେଣ୍ଡିଂ ଜୋନରେ ଖୋଲିଥିଲା କାରଖାନା। ଭେଣ୍ଡିଂ ଜୋନକୁ ଭଡାରେ ନେଇ ବ୍ୟବସାୟ ଆରମ୍ଭ କରିଥିଲେ କାରଖାନାର ଦୁଇ ମାଳିକାଣି।
ଆଉ ଆଗରୁ ଲୋକପ୍ରିୟତା ପାଇସାରିଥିବାରୁ ଏଥର ବି ବେସ ଭଲ ଚାଲିଥିଲା ବ୍ୟବସାୟ। ପୁଣି ଥରେ ଲୋକମାନେ ଭିଡ଼ ଜମାଇ କାରଖାନାକୁ ଖାଇବାକୁ ଆସିଲେ। ପୁଣି ଥରେ ଦୁଇ ଯାଆ ନିଜ ହାତରେ ଖାଇବା ବାଢି ଦେଲେ ହେଲେ ଏଥର ବି ସମସ୍ୟା ପିଛା ଛାଡିଲା ନାହିଁ। କାରଣ ଆରମ୍ଭ ହେବାର ଖୁବ ଅଳ୍ପ ଦିନ ମଧ୍ୟରେ ପୁଣି ଥରେ ବନ୍ଦ କରିବାକୁ ପଡିଛି କାରଖାନା। କାରଣ ଯେଉଁ ଦୁଇଟି ଭେଣ୍ଡିଂ ଜୋନକୁ ଭଡାରେ ନେଇ କାରଖାନା ବ୍ୟବସାୟ କରୁଥିଲା ତାକୁ ସିଲ କରିଦେଇଛି ବିଏମସିର ଏନଫୋର୍ସମେଣ୍ଟ ଟିମ।
ଏହା ସହ ଭେଣ୍ଡିଂ ଜୋନର ମୂଳ ମାଳିକଙ୍କୁ ନୋଟିସ ମଧ୍ୟ ଜାରି କରିଛି। ଇଏ ହେଉଛି ସେହି ନୋଟିସ ଯେଉଁଥିରେ ଭେଣ୍ଡିଂ ଜୋନର ମୂଳ ମାଲିକ ହିରେନ୍ଦ୍ର ଓଝାଙ୍କ ନାଁରେ ବିଏମସି କାରଣ ଦର୍ଶାଅ ନୋଟିସ ଜାରି କରିଛି। ନୋଟିସରେ କୁହାଯାଇଛି କି ଧୀରେନ୍ଦ୍ର ରିନୂଆଲ ପେପର ବା ନବୀକରଣ କାଗଜପତ୍ର ଦାଖଲ କରି ନାହାନ୍ତି। ଏହା ସହ ସେ ଭେଣ୍ଡିଂ ଜୋନକୁ ଭଡା ସୂତ୍ରରେ ସେ ଅନ୍ୟକୁ ଦେଇଛନ୍ତି। ଆଉ ସେ ଦୋକାନର ଭଡା ନିୟମିତ ଭାବେ ପୈଠ କରିନାହାନ୍ତି। ଏହି ୩ ଟି କଥା ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ନୋଟିସ ଜାରି କରିଛି ବିଏମସି। ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନରଖିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମଧ୍ୟ ତାଗିଦ କରାଯାଇଛି।
ଗତ ଶନିବାର ଦିନ ଠାରୁ କାରଖାନାକୁ ସିଲ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କାହାର ଜବାବ ହସ୍ତଗତ ହୋଇନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଏବେ କାରଖାନାର କ’ଣ ହେବ। ଏମିତି ଭାବେ ଭେଣ୍ଡିଂ ଜୋନକୁ ଭଡାରେ ନେଇ ସେ ପୁଣି ଥରେ ଫସି ଯାଇନାହାନ୍ତି ତ। ଭେଣ୍ଡିଂ ଜୋନର ମୂଳ ମାଲିକ ନିୟମିତ ଟଙ୍କା ପୈଠ କରିନଥିବା ବେଳେ କାରଖାନାକୁ ଦୋକାନ ଭଡାରେ ଦେଇ ଠକି ଦେଇନାହାଁନ୍ତି ତ। ତରବରିଆ ଭାବେ ପୁଣି ଥରେ ବେପାର ଆରମ୍ଭ କରିବାକୁ ଯାଇ କାରଖାନାର ମାଳିକାଣି ଠକାମୀର ଶିକାର ହୋଇନାହାନ୍ତି ତ। ହେଲେ ଏସବୁ ଭିତରେ କିନ୍ତୁ କାରଖାନାକୁ ଖାଇବାକୁ ଆସୁଥିବା ଲୋକମାନେ ପୁଣି ଥରେ ନିରାଶ ହୋଇଛନ୍ତି। ପୁଣି କେବେ ଆଉ କେଉଁଠି କାରଖାନା ଖୋଲିବ ଏବଂ ଦୁଇ ଯାଆ ପୁଣି ଥରେ ଖାଦ୍ୟ ପରସି ଦେବେ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।