କଣ ୧୫୦୦୦ରୁ ଅଧିକ କର୍ମୀଙ୍କୁ ଧରି ବିଜେଡି ଛାଡ଼ିବେ ସମୀର ଦାସ ?
ତେବେ ବନ୍ଧୁଗଣ ଶକ୍ତି ପ୍ରଦର୍ଶନ କରି ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ । ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସେମାନେ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଶେଷ ନିଷ୍ପତ୍ତି ଜଣାଇବାକୁ ସମୀରଙ୍କୁ ତାଙ୍କ ସମର୍ଥକ ଅଲ୍ଟିମେଟ୍ମ ଦେଇଛନ୍ତି । କିନ୍ତୁ ଆଜି ସମୀର ବିଜେଡିରୁ ଇସ୍ତଫା ଦେଇନାହାନ୍ତି ।
ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍ ହଲ୍ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ । ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗ ଦେଇଥିଲେ । ସଭାରେ ଖୋଦ୍ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ । ଭାଷଣାବାଜି ପରେ ସମସ୍ତ କର୍ମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ସେମାନେ ସାମୁହିକ ଇସ୍ତଫା ପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ । ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସମର୍ଥକ ।
ଏଠାରେ କହି ରଖିବାକୁ ଚାହିଁବୁ ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି । ତାଙ୍କ ସ୍ଥାନରେ ଦିଲ୍ଲୀପ ଦାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ନେଇ ସମୀରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ନିମାପଡ଼ା ବିଧାୟକ ପ୍ରାର୍ଥୀଙ୍କୁ ବଦଳାଇବାକୁ କିଛି ଦିନ ତଳେ ସମୀର ଓ ତାଙ୍କ ସମର୍ଥକମାନେ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଥିଲେ । ମାତ୍ର କିଛି ଲାଭ ହୋଇ ନଥିଲା ।
ସୁପ୍ରିମୋଙ୍କ ମନ ଜିଣିବା ପାଇଁ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ୧୫ ହଜାରରରୁ ଅଧିକ ସମର୍ଥକଙ୍କୁ ଏକଜୁଟ୍ କରି ଶକ୍ତି ପ୍ରଦର୍ଶନ କରିଥିଲେ ସେ । ପରେ ବିଭିନ୍ନ ଅଞ୍ଚଳ ବୁଲି ସମର୍ଥକଙ୍କ ସହ ମେଳି କରିଥିଲେ । ସେ ଭାବିଥିଲେ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ତାଙ୍କ ନାଁ ଆସିବ । ହେଲେ ସେ ନିରାଶ ହେଲେ । ଶେଷରେ ଆଜି ତାଙ୍କ ସମର୍ଥକମାନେ ଆଜି ସମୂହ ଇସ୍ତଫା ଦେଇଛନ୍ତି ।