ବଡ଼ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି, ଟିମ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁନଥିଲେ ରୋହିତ ଶର୍ମା।
କ୍ୟାପଟେନ ହେବାକୁ ଚାହୁଁନଥିଲେ ରୋହିତ ଶର୍ମା। ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବାକୁ କରୁଥିଲେ ମନା। ବାଧ୍ୟ କରି ଦାୟିତ୍ୱ ଦେଇଥିଲେ ସୌରଭ ଗାଙ୍ଗୁଲି। ସାମ୍ନାକୁ ଆସିଲା ରାଜି ନହେବାର ବଡ଼ କାରଣ। ଭାରତରେ ଖେଳାଯାଉଥିବା ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ। ଗ୍ରୁପ ପର୍ଯ୍ୟାୟରେ ଖେଳିଥିବା ସମସ୍ତ ୯ ଟିରୁ ୯ ଟି ଯାକ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଟପରେ ରହିବା ସହ ସେମିଫାଇନାଲ ଖେଳିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ।
ବିଶ୍ୱକପରେ ଏ ପର୍ଯ୍ୟନ୍ତ ବ୍ୟାଟିଂ ଓ ବୋଲିଂ ସବୁଥିରେ ଦମଦାର ପ୍ରଦର୍ଶନ କରି ସମସ୍ତ ପ୍ରତିପକ୍ଷ ଦଳକୁ ଧୂଳି ଚଟାଇଛି ଭାରତ। ଦଳ ଏପରି ସନ୍ତୁଳିତ ରହିଛି ଯେ ଅନ୍ୟ କୌଣସି ବି ଶକ୍ତିଶାଳୀ ଦଳକୁ ସହଜରେ ହରାଇ ଦେବାର କ୍ଷମତା ରଖିଛି। ତେବେ ଏସବୁର ଶ୍ରେୟ ମିଳୁଛି ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ।
ବିଶ୍ୱକପର ଭାରତର ସଫଳତା ପାଇଁ ରୋହିତଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି। ହେଲେ ଏହାରି ଭିତରେ bcci ଅଧ୍ୟକ୍ଷ ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେବାକୁ ଚାହୁଁନଥିଲେ।ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଇଥିଲା। ଆଉ ସେ ନିଜେ ତାଙ୍କ ଉପରେ ଚାପ ପକାଇଥିଲେ।
ଏକ ଘରୋଇ ଗଣ ମାଧ୍ୟମକୁ ସାକ୍ଷତକାର ନେଇ ସୌରଭ କହିଛନ୍ତ କି ଦଳର କ୍ୟାପଟେନ ହେବାକୁ ବିଲକୁଲ ରାଜି ନଥିଲେ ରୋହିତ ଶର୍ମା। କାରଣ କ୍ୟାପଟେନକୁ ଟେଷ୍ଟ ଦିନିକିଆ ଓ ଟି୨୦ ୩ ଟି ଯାକ ଫୋରମାଣ୍ଟରେ ଖେଳିବାକୁ ହୋଇଥାଏ। ଆଉ ରୋହିତ ଏହି ଚାପ ସମ୍ଭାଳିବାକୁ ଚାହୁଁନଥିଲେ। ହେଲେ ସେତେବେଳେ ଦଳକୁ ଜଣେ ଅଧିନାୟକଙ୍କର ଆବଶ୍ୟକ ଥିଲା। କାରଣ ୨୦୨୧ ଶେଷ ଆଡ଼କୁ ବିରାଟ କହଲି ଅଧିନାୟକ ପଦ ଛାଡି ଦେଇଥିଲେ।
ପ୍ରକୃତରେ କହଲି ଟି୨୦ ଟିମର କ୍ୟାପଟେନସିପ ଛାଡି ଥିଲେ। ଦିନିକିଆ ଓ ଟେଷ୍ଟ ଦଳର ନୁହେଁ। କିନ୍ତୁ ଚୟନ କର୍ତା ମାନେ ଚାହୁଁଥିଲେ ଧଳା ବଲ କ୍ରିକେଟରେ ଜଣେ ହିଁ ଅଧିନାୟକ ରହିବା ଉଚିତ। ତେଣୁ କହଲିଙ୍କୁ bcci ଦିନିକିଆ ଅଧିନାୟକ ପଦରୁ ମଧ୍ୟ ହଟାଇ ଦେଇଥିଲା। ଆଉ ସେତେବେଳେ କହଲିଙ୍କ ଠାରୁ ବୟସରେ ବଡ଼ ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା।
ତେବେ ଏହାର ମାତ୍ର କିଛି ମାସ ପରେ ଭାରତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ହାରି ଯାଇଥିଲେ। ଆଉ ଏହା ପରେ ବିରାଟ କହଲି ଅଚାନକ ଟେଷ୍ଟ କ୍ୟାପଟେନସିପ ମଧ୍ୟ ଛାଡି ଦେଇଥିଲେ। ହଠାତ କହଲିଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଥିଲା। କାରଣ ବିରାଟ କହଲି ଭାରତର ସଫଳତର ଅଧିନାୟକ ଥିଲେ। ପ୍ରକୃତରେ କହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିବାରୁ ଏହା ତାଙ୍କୁ କିଛି ପରିମାଣରେ କ୍ଷୁବ୍ଧ କରିଥିଲା। ଆଉ ଜାନୁଆରୀ ୨୦୨୨ ରେ ସେ ହଠାତ ଟେଷ୍ଟ ଦଳର ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଫଳରେ bcci ଅଡ଼ୁଆରେ ପଡିଯାଇଥିଲେ।
କାରଣ ଦଳକୁ ଏପରି ଜଣେ ଅଧିନାୟକଙ୍କ ଆବଶ୍ୟକ ଥିଲା ଯିଏ ୩ ଟି ଯାକ ଫୋର୍ମାଟରେ ନେତୃତ୍ୱ ନେଇପାରିବେ। ସେଥିପାଇଁ ସୌରଭ ଗାଙ୍ଗୁଲି ପ୍ରଥମେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରୋହିତ ଶର୍ମା ମନା କରିଦେଇଥିଲେ। ଗାଙ୍ଗୁଲି କହିଛନ୍ତି କି ରୋହିତ ଶର୍ମାଙ୍କୁ ବାରମ୍ବାର କହିବା ପରେ ବି ସେ ଟେଷ୍ଟ ଦଳର କ୍ୟାପଟେନସିପ ନେବାକୁ ରାଜି ନହେବାରୁ ମୁଁ ବାଧ୍ୟ ହୋଇ ତାଙ୍କ ଉପରେ ଚାପ ପକାଇଥିଲି। ଏହା ପରେ ପରିସ୍ଥିତି ଏମିତି ହୋଇଥିଲା କି ମୁଁ ରୋହିତଙ୍କୁ କହିଥିଲି ତୁମେ ରାଜି ହୋଇଯାଅ ନଚେତ ମୁଁ ତୁମ ନାଁ ଘୋଷଣା କରିଦେବି। ଏହା ପରେ ରୋହିତ ୩ ଟି ଯାକ ଫୋର୍ମାଟରେ ଦଳର ଅଧିନାୟକ ହେବା ପାଇଁ ରାଜି ହୋଇଯାଇଥିଲେ। ମତେ ଖୁସି ଲାଗୁଛି କି ସେ ଏବେ ବିଶ୍ୱକପର ସାମ୍ନାରୁ ସେ ଦଳର ନେତୃତ୍ୱ ନେଉଛନ୍ତି ଏବଂ ଏହାର ଫଳ ସମସ୍ତେ ଦେଖି ପାରୁଛନ୍ତି।