MA କରି ପକୋଡା ବିକୁଛି, କାନ୍ଦିବି ପଛେ ବାହା ହେବିନି
ରାଜନୀତି ବିଜ୍ଞାନରେ ଏମ୍.ଏ.କରିଛନ୍ତି। ହେଲେ ରାସ୍ତା କଡ଼ରେ ଅଣ୍ଡା ଚପ୍ଆଉ ଚିକେନ ପକୋଡ଼ା ବିକୁଛନ୍ତି। ଜୀବନରେ ଏମିତି ମୋଡ଼ ଆସିଯିବ ସେ ବି ଭାବି ନଥିଲେ। କଲେଜ୍ ୟୁନିଭର୍ଶିଟିରେ ପାଠ ପଢୁଥିବା ଏଇ ଝିଅଟିର ଅନେକ ସବୁ ଆଶା ସ୍ବପ୍ନ ଆଜି ମଳିନ ହେଇଯାଇଛି। ଆଜି ଯେମିତି ରାସ୍ତା କଡ଼ରେ ସବୁ ଲୁହ ହେଇ ଝରିଯାଉଛି। ଏ ହେଉଛନ୍ତି ରଶ୍ମିତା ଲେଙ୍କା। ରାଜଧାନୀ ଭୁବନଶ୍ବର ନୟାପାଲ୍ଲୀ ଅଞ୍ଚଳରେ ଗୋଟେ ଛୋଟ ଠେଲା ଲଗାଇଛନ୍ତି। ଆଉ ପ୍ରତ୍ୟେକ ଦିନ ହସ ହସ ମୁହଁରେ ଗ୍ରାହକ ମାନଙ୍କୁ ଚିକେନ ପକୋଡ଼ା, ଅଣ୍ଡା ଚପ୍, ଚିକେନ ଲେଗ୍ ପିସ୍ ବିକ୍ରି କରିଥାନ୍ତି।
ହେଲେ ବେଳେ ବେଳେ ଏକା ଛିଡ଼ା ହୋଇଥିବା ସମୟରେ ସେ କାନ୍ଦି ପକାନ୍ତି। ଆଉ ଠିକ୍ ଏହି ସମୟରେ ଆମର ନଜର ପଡିଥିଲା।ଆଉ ପାଖକୁ ଯାଇ ଦିପଦ ପଚାରିଥିଲୁ। ଆଉ ଯେତେବେଳେ ଜାଣିଲୁ ସେ ରାଜନୀତି ବିଜ୍ଞାନରେ ଏମ୍.ଏ. ପାସ୍ କରିଛନ୍ତି, ଆଉ ଆଜି ଚିକେନ ପକୋଡ଼ା ଛାଣୁଛନ୍ତି । ରଶ୍ମିତାଙ୍କ ଆଖରୁ ଲୁହ ସେମିତି ଝରୁଥିଲା। ଆଉ ତାଙ୍କ ଲୁହ ପଛର ଗୋଟେ ଗୋଟେ କାହାଣୀ ଜାଣିବାକୁ ଆମେ ଚେଷ୍ଟା କରୁଥିଲୁ । ତେବେ ରଶ୍ମିତା କେବଳ ତାଙ୍କ ଛଅ ବର୍ଷ ଝିଅର ସ୍ବପ୍ନ ପୂରଣ କରିବା ପାଇଁ ବଞ୍ଚିକି ଅଛନ୍ତି। ନହେଲେ ବହୁତଥର ଚେଷ୍ଟା କରିଛନ୍ତି ଏ ଜୀବନକୁ ସାରି ଦେବା ପାଇଁ। ହେଲେ ତାଙ୍କର ଝିଅର କଥା ଭାବି ଆଜି ସେ ଲୁହ ପିଇ ପିଇ ବଞ୍ଚିଛନ୍ତି।
ଯେଉଁ ସ୍ଵାମୀ ସବୁବେଳେ ଏଇ ଦୋକାନ ପାଖରେ ପାଖରେ ରହୁଥିଲେ ଆଉ ରଶ୍ମିତାଙ୍କୁ ପାଗଳ ପରି ଭଲ ପାଉଥିଲେ। ଆଉ ଏତେ ବଡ଼ ଭୁବନେଶ୍ୱରରେ ତାଙ୍କୁ କେବେ ଏକୁଟିଆ ଅନୁଭବ ହେଉ ନ ଥିଲା। ଆଜି ସେଇ ସ୍ଵାମୀ ଏହି ଦୁନିଆଁରେ ନାହାନ୍ତି। ଦୁଇ ମାସ ତଳେ ଲିଭର୍ ରୋଗରେ ପଡ଼ି ତାଙ୍କ ଜୀବନ ଚାଲିଗଲା। ଆଉ ସେଇଥିପାଇଁ ତ ଆଜି ରଶ୍ମିତା ସମସ୍ତଙ୍କୁ ନେହୁରା ହେଉଛନ୍ତି। କେବେ ମଦ ପିଅନ୍ତୁ ନାହିଁ ଜୀବନରେ ମୋତେ ଯେମିତି କଷ୍ଟ ମିଳିଛି ମୁଁ ଚାହୁଁଛି ଆଉ କାହାକୁ ନ ମିଳୁ। ଘରେ କେବଳ ଶାଶୁ ଆଉ ନିଜର ଛୋଟିଆ ଝିଅଟିଏ। ଯିଏ ଏବେ ପାଠ ପଢୁଛି। ଆଉ ଝିଅକୁ ବଡ଼ ମଣିଷ କରିବାର ବହୁତ୍ ଇଚ୍ଛା।
ଆଉ ସେଇଥିପାଇଁ ତ ରାତି ଦିନ ଏଇ ଛୋଟିଆ ଦୋକାନରେ ପରିଶ୍ରମ କରୁଛନ୍ତି। କେତେବେଳେ ଚିକେନ ପକୋଡ଼ା ତ କେତେବେଳେ ଅଣ୍ଡା ଚପ୍ ଏହି ସବୁ ବିକୁଛନ୍ତି। ଶାଶୁ ବହୁତ୍ ଥର କହିଥିଲେ ତୋର ବୟସ ଯାଇନି ଏବେ ଦ୍ଵିତୀୟ ବିବାହ କରିନେ। ତଥାପି ମନା କରନ୍ତି ରଶ୍ମିତା। କୁହନ୍ତି ଜୀବନରେ ମୁଁ ଆଉ କାହାକୁ ବାହା ହେଇ ପାରିବିନି। ମୁଁ ଏମିତି ହିଁ ମୋ ପିଲାର ସ୍ବପ୍ନ ପାଇଁ ବଞ୍ଚି ରହିବି ଆଉ ସଂଘର୍ଷ କରିବି। ହଁ ଆଜ୍ଞା ୨୦୧୪ରେ ସେ ଭଲ ପାଇ ବାହା ହୋଇଥିଲେ। ହେଲେ ଜୀବନରେ ଏମିତି ମୋଡ଼ ଆସିବ ସେ କେବେ ଭାବି ନଥିଲେ। ଗତ ଦୁଇ ମାସ ତଳେ ସ୍ଵାମୀ ଆରପାରିକୁ ଚାଲିଗଲେ।
ଆଉ ତା ପରଠାରୁ ଦୁଃଖ ସହିବାକୁ କେହି ନାହିଁ। ଆଉ ମାଆଟିକୁ ସେତେବେଳେ ଅଧିକ କଷ୍ଟ ହୁଏ ଯେତେବେଳେ ଛଅ ବର୍ଷର କୁନି ଝିଅଟି ଲୁଚି ଲୁଚି କାନ୍ଦୁଥାଏ। ଦୂରରୁ ଦେଖି ମାଆ ବୁଝିଯାଏ ଯେ ସେ ତା ବାପାଙ୍କୁ ଝୁରି ହଉଛି। ଆଉ ତା ପାଖକୁ ଦୌଡ଼ି ଯାଇ କୁହନ୍ତି ବାପା ନଥିଲେ କଣ ହେଲା ତୁ ମୋତେ ବାପା ଡାକ। ସବୁବେଳେ ଛାତି ତଳେ ଦୁଃଖ ଚାପି ହସି ହସି ନିଜର ବେପାର କରିଥାଆନ୍ତି। ଆଉ ରଶ୍ମିତା କହିଛନ୍ତି ମୋତେ କେହି ସାହାଯ୍ୟ କରିବା ଦରକାର ନାହିଁ। ମୋ ଦୋକାନଟା ଯେଉଁଠି ପଡ଼ିଛି ଅନୁରୋଧ କରୁଛି ସରକାର କେବେ ମୋ ଦୋକାନଟା ଉଠାନ୍ତୁନି। କାରଣ ଏ ଦୋକାନ ଯୋଗୁଁ ମୋ ଝିଅର ଭବିଷ୍ୟତ ମୁଁ ଗଢ଼ି ପାରିବି।