ବିଜେପି ସରକାରରେ ମନ୍ତ୍ରୀପଦ ପାଇଲା ପରେ ବଡ଼ କଥା କହିଦେଲେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।
ଓଡ଼ିଶାରେ ବିଜେପି ସରକାର ଗଠନ କରିଛି । ମୋହନ ଚରଣ ମାଝୀଙ୍କ ସରକାରରେ ୮ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତା’ ଭିତରେ ଯୁବ ଚେହେରା ଭାବେ ଶପଥ ନେଇଛନ୍ତି ସୂରଜ ସୂର୍ଯ୍ୟବଂଶୀ । ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସୂର୍ଯ୍ୟବଂଶୀ ସୂରଜ ଧାମନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୨ ଉପନିର୍ବାଚନରେ ସେ ପ୍ରଥମ ଥର ପାଇଁ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଥିଲେ ।
ଏବେ ୨୦୨୪ରେ ସେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂରଜ ସୂର୍ଯ୍ୟବଂଶୀ । ୨୦୧୯ ନିର୍ବାଚନରେ ଧାମନଗର ଆସନରୁ ବିଧାୟକ ଭାବେ ଜିତିଥିଲେ ବିଷ୍ଣୁ । ହେଲେ ୨୦୨୨ରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ସେତେବେଳେ ଯେଉଁ ଉପନିର୍ବାଚନ ହୋଇଥିଲା ସେଥିରେ ସୂରଜ ସୂର୍ଯ୍ୟବଂଶୀ ବାଜି ମାରିଥିଲେ । ସୂରଜ ସୂର୍ଯ୍ୟବଂଶୀ ବିଜେପିର ଜଣେ ଯୁବ ଚେହେରା । ଦୁଇ ଦୁଇ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସାରା ରାଜ୍ୟରେ ତାଙ୍କର ଚମକ ରହିଛି।
ତେବେ ବିଜେପି ସରକାରରେ ମନ୍ତ୍ରୀପଦ ପାଇଲା ପରେ ନିକଟରେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ଭାବୁଛନ୍ତି ଏଇଟା ପଦ ନୁହେଁ ଗୋଟେ ଦାୟିତ୍ଵ । ଦାୟିତ୍ଵ ସାଢ଼େ ୪କୋଟି ଓଡ଼ିଆବାସୀଙ୍କ ଯେଉଁ ଆଶା ଓ ବିଶ୍ୱାସ ଭାରତୀୟ ଜନତା ପାର୍ଟି ଉପରେ ପ୍ରକଟ କରି ସରକାର କରାଇଛନ୍ତି ୟେ ଦାୟିତ୍ଵ ସେହି ଆହ୍ଵାନକୁ ଯେଉଁ ଆହ୍ଵାନ ସଂକଳ୍ପ ପତ୍ରରେ ସ୍ଥାନିତ ହୋଇଛି ।
ଏଇ ଦାୟିତ୍ଵ ପ୍ରଭୁ ଜଗନ୍ନାଥଙ୍କୁ ମିଳିଥିବା ଆଶୀର୍ବାଦକୁ ଆଗାମୀ ଦିନରେ ଜାରି ରଖିବା ପାଇଁ । ଦେଶର ସର୍ବୋଚ୍ଚ ନେତା ତଥା ବିଶ୍ବର ସର୍ବ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ ଅଛନ୍ତି ୟେ ତାଙ୍କ ପ୍ରତି ଭଲପାଇବା ୟେ ତାଙ୍କ ପ୍ରତି ସମ୍ମାନ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ଏବଂ ଜନତା ମାନଙ୍କର ତଥା ଚ୍ୟାନେଲ ରିପୋର୍ଟର ମାନଙ୍କ ସପୋର୍ଟ ଅଛି ସେ ହିସାବରେ ନିଶ୍ଚୟ କାର୍ଯ୍ୟ କରିବେ ।