କାହିଁକି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝି? କାହିଁକି ବିଜେପି ଦେଲା ବଡ ଦାୟିତ୍ୱ? କାହିଁକି ମୋହନଙ୍କ ଉପରେ ଭରସା କଲା ଦଳ?

କୁହାଯାଏ ରାଜନୀତିରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସମୀକରଣ । ସତ୍ତାର ସମୀକରଣରେ ଯେଉଁ ନେତାଙ୍କ ଲେଖା ଛିଡିଲା, ସେ ନେତାଙ୍କ ଉପରେ ହାତୀ ସୁନାକଳସ ଢାଳିଲା ବୋଲି ବହୁ ଦିନରୁ କଥା ରହିଆସିଛି । ଆଉ ଏଥର ଓଡିଶା ରାଜନୀତିରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା ପଛରେ ସେମିତି କିଛି ସମୀକରଣ କାମ କରିଛି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ପ୍ରଥମରେ ଆଦିବାସୀ ଚେହେରା, ଦ୍ୱିତୀୟରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଆଉ ତୃତୀୟରେ ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ।

କେନ୍ଦୁଝର ଆସନରୁ ଲଗାତାର ନିର୍ବାଚିତ ହେଇ ଆସୁଥିବା ମୋହନ ମାଝୀ ରାଜ୍ୟ ବିଜେପିର ଜଣେ ଟାଣୁଆ ଆଦିବାସୀ ନେତା । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ରେସରେ ଅଧ ଡଜନେରୁ ଅଧିକ ନେତା ରେସରେ ଥିଲେ ବି, ସମସ୍ତଙ୍କୁ ପଛରେ ପକେଇ ବାଜି ମାରି ନେଇଛନ୍ତି ମୋହନ ମାଝୀ । ମଙ୍ଗଳବାର ବିଜେପି ବିଧାୟକ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏକ ବୈଠକ କରି ମୋହନ ମାଝୀଙ୍କୁ ଦଳର ବିଧାୟକ ଦଳର ନେତା ତଥା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛି।

ତେବେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପାଇଁ ମୋହନ ମାଝୀଙ୍କ ସପକ୍ଷରେ ଅନେକ କାରଣ ରହିଥିବା ଜଣାପଡିଛି । ଜଣେ ଶକ୍ତିଶାଳୀ ଆଦିବାସୀ ନେତା ଭାବେ ୪ ଥର ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ରହିଛି । ଏହାସହ ମୋହନ ମାଝୀ କେନ୍ଦୁଝରରୁ ଆସୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛି ସରକାରରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଦେଇଛି ବିଜେପି । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା କେଭି ସିଂହଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛି ଦଳ । ତା ସହିତ ଉପକୂଳ ନେତା ତଥା ମହିଳା ଚେହେରା ଭାବେ ଦଳ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସହିତ ସରକାରରେ ସବୁ ଅଞ୍ଚଳକୁ ସମାନ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି ।

ଆହୁରି ମଧ୍ୟ ଆଗକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହା ପୂର୍ବରୁ ଆଦିବାସୀ କାର୍ଡ ଖେଳି ପଡୋଶୀ ଝାଡଖଣ୍ଡରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ମୋହନ ମାଝୀ ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଭୁବନେଶ୍ୱରର ଜନତା ମଇଦାନରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଏଥିରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *