ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଏମିତି କହିଲେ ମୋହନ ମାଝୀଙ୍କ ପରିବାର ।
୨୪ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ପଦ୍ମ ଦଳ । ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ଜନତା ମୈଦାନରେ ୧୨ ତାରିଖ ଦିନ ମୋହନ ମାଝୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ମୋହନଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି କେବେ ବି ଭାବି ନଥିଲେ କି ତାଙ୍କ ସ୍ବାମୀଙ୍କୁ ରାଜ୍ୟ ଭାର ମିଳିବ ।
ତେବେ ସବୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି ପ୍ରିୟଙ୍କା । ଏବେ ଚାରିଆଡୁ ସେମାନଙ୍କ ପାଖକୁ ଆସୁଛି ଶୁଭେଚ୍ଛା ସୁଅ । ଚର୍ଚ୍ଚାରେ ନଥିଲେ, ହେଲେ ହଠାତ ମିଳିଲା ରାଜ୍ୟର ଭାର । ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ପୁରା ପରିବାରରେ ଖୁସିର ଲହରୀ । ପରିବାର ଲୋକେ କେବେ ବି ଭାବି ନଥିଲେ କି ଏତେ ବଡ଼ ପଦବୀରେ ବସିବେ ମୋହନ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରିୟଙ୍କା କହିଛନ୍ତି, ପ୍ରଥମେ ଟିଭିରୁ ଖବର ପ୍ରସାରିତ ହେବା ପରେ ଦେଖିକି ହିଁ ସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିବା କଥା ଜାଣିଲେ । ଆଉ ଏତେ ବଡ଼ ପଦବୀରେ ଦେଖି ସ୍ତ୍ରୀ ହିସାବରେ ସେ ଗର୍ବିତ ।
ତେବେ ମୋହନଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ କହିବା କଥା କି ସବୁବେଳେ ଲୋକଙ୍କ କାମ କରିବାକୁ ଭଲ ପାଆନ୍ତି ସେ । ଜିତିଲେ କାମ କରୁଥିଲେ, ହାରିଲେ ବି କାମ କରୁଥିଲେ । ତେଣୁ କର୍ମର ପୁରସ୍କାର ପାଇଛନ୍ତି ସେ । ମୋହନଙ୍କୁ ମନ୍ତ୍ରୀ ପଦ ମିଳିବ, ହେଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବି ନଥିଲି ବୋଲି କହିଛନ୍ତି ପ୍ରିୟଙ୍କା । ସେହିପରି ତାଙ୍କ ମାଆ ମଧ୍ୟ ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ପୂରା ପରିବାର ବର୍ତ୍ତମାନ ଖୁସିରେ ଫାଟିପଡ଼ୁଛନ୍ତି । କେନ୍ଦୁଝର ମାଟିର ଆଦିବାସୀ ପୁଅ ଓଡ଼ିଶାର ମଙ୍ଗ ଧରିଛନ୍ତି । ଦିନେ ଶିଶୁ ମନ୍ଦିରରେ ଗୁରୁଜୀ ଥିଲେ ମୋହନ ମାଝି । ଆଉ ଆଜି ଓଡ଼ିଶାର ଗୁରୁଦାୟିତ୍ବ ମୋହନଙ୍କ ଉପରେ । ତେବେ ସେହିଭଳି ପରିବାରର ଅନ୍ୟ ସଦସ୍ୟମାନଙ୍କ ଖୁସି କହିଲେ ନସରେ ।
ତେବେ ମୋହନ ମାଝୀଙ୍କ ଦୁଇ ଜଣ ପୁଅ ମଧ୍ୟରୁ ବଡ ପୁଅ ଏକାଦଶ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ୮ମ ଶ୍ରେଣୀରେ ପଢୁଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟରେ । ତେବେ ସେ ବାଇଟ୍ ଦେଇ କହିଛନ୍ତି ଯେ ଘରେ ଆଗରୁ ଆଲୋଚନା କିଛି ହୋଇନଥିଲା ଯେ ତାଙ୍କ ବାପା ମୂଖ୍ୟମନ୍ତ୍ରୀ ହେବେ ବୋଲି । ତାଙ୍କ ସ୍କୁଲରୁ ତାଙ୍କ ସାଙ୍ଗମାନେ କଲ କରି ପାର୍ଟି ମାଗୁଛନ୍ତି । ତେବେ ସ୍କୁଲ ଖୋଲିଲେ ସେମାନଙ୍କୁ ସେ ପାର୍ଟି ଦେବେ । ଆଗକୁ ବହିରେ ତାଙ୍କ ବାପା ଓଡ଼ିଶାର ପଞ୍ଚଦଶ ମୂଖ୍ୟମନ୍ତ୍ରୀ ବୋଲି ପଢ଼ିଲେ ତାଙ୍କୁ ବହୁତ୍ ଖୁସି ଲାଗିବ ବୋଲି କହିଥିଲେ ମୋହନଙ୍କ ସାନପୁଅ ।