ହଠାତ ଶ୍ରୀମନ୍ଦିର ହୋଇଗଲା ଅନ୍ଧାର । ରାଜନୀତିରେ ଛକାପଞ୍ଝାରେ ଜଗନ୍ନାଥଙ୍କୁ କଲେ ହଇରାଣ… ।

ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା । ଏବେ ଆଉ ଆଗ ଭଳି ଶ୍ରୀମନ୍ଦିର ଲାଇଟରେ ସୁନ୍ଦର ଦେଖାଯାଉନି କି ଝଲସି ଉଠୁଥିବା ଆଲୋକ ମାଳା ଆଉ ଦେଖିବାକୁ ମିଳୁନି । ଶ୍ରୀମନ୍ଦିର ଚାରିପଟେ ଲଗା ଯାଇଥିବା ୫୦୦ଟି ଫୋକସ ଲାଇଟକୁ କାଢ଼ି ନେଇଛି ସମ୍ପୃକ୍ତ ଠିକା ସଂସ୍ଥା । ଖାଲି ଚାରିପଟେ ଠିଆ ହୋଇ ରହିଛି ଲାଇଟର ଷ୍ଟାଣ୍ଡ । ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସଜ୍ଜିତ ହୋଇଥିବା ସେହି ଲାଇଟ ସବୁକୁ ନେଇ ଯାଇଛି ସଂପୃକ୍ତ ଠିକା ସଂସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ବା ଶ୍ରଦ୍ଧାଳୁ ଏବେ ଶ୍ରୀମନ୍ଦିରର ଏପରି ଅବସ୍ଥା ଦେଖି ମନ ଦୁଃଖ କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ଶ୍ରୀମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟକରଣ ପାଇଁ ଲଗା ଯାଇଥିବା ଗଛ ଗୁଡିକରେ ଆଉ ପାଣି ଦିଆ ଯାଉ ନଥିବା ଅଭିଯୋଗ ଆସିଛି । ପ୍ରବଳ ଖରାରେ ଗଛ ଶୁଖି ଯାଇଥିବା ଅଭିଯୋଗ ଆସିଛି ।

ଲୋକେ କହିଲେଣି- ଏ କେମିତିକା କଥା ହେଲା, ସରକାର ବଦଳିଲା ବୋଲି ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲେ । ସେପଟେ ଆଗରୁ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ବଣ୍ଟନ ବନ୍ଦ କରାଯାଇଛି । ଅର୍ପଣ ଚାଉଳରେ ତିଆରି ହେଉଥିଲା କାନିକା, ଖେଚେଡ଼ି ଆଦି ମହାପ୍ରସାଦ । ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା ।

ଚଳିତବର୍ଷ ଫେବ୍ରୁଆରି ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇ ପାରୁଥିଲେ । କେହି କେହି ଅନୁରୋଧ କରି ପରିବାର ଲୋକ ପାଇବା ପାଇଁ ମହାପ୍ରସାଦ ନେଇ ଯାଉଥିଲେ । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଖୁବଶୀଘ୍ର ଏ ଉପରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିଯୋଗ ଭେଟିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି ।

Leave a Reply

Your email address will not be published. Required fields are marked *