ଦଳ ଭାଙ୍ଗିବା ପୂର୍ବରୁ ଦଳକୁ ବଞ୍ଚାଇବେ ଅରୁଣ ପଟ୍ଟନାୟକ । ନବୀନଙ୍କ ଭଳି ବିଦେଶରୁ ଓଡ଼ିଶାକୁ ଛୁଟି ଆସିବେ ।

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଭୋଗିଛି ବଡ ବିପର୍ଯ୍ୟୟ । ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ହୋଇଛି ପରାଜୟ । ବିଧାନସଭା ନିର୍ବାଚନରେ ଦଳକୁ ଲାଗିଛି ଅପ୍ରତ୍ୟାଶିତ ଝଟ୍‌କା । ଭୁଶୁଡିଯାଇଛି ବିଜେଡିର ଦୁର୍ଗ । ଦଳକୁ ମିଳିଛି ମାତ୍ର ୫୧ଟି ଆସନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରିଥିବା ନବୀନ ସରକାରର ପତନ ହୋଇଛି । ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି । ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି । ବିପୁଳ ବିଜୟ ସହ ବିଜେଡି ହାତରୁ ରାଜ୍ୟର ଶାସନ କ୍ଷମତା ଛଡାଇ ନେଇଛି ବିଜେପି ।

ଏପଟେ ଏଭଳି ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜୁଛି ବିଜେଡି । ଆଉ ଏଭଳି ଏକ ପରିସ୍ଥିତିରେ ବିଜେଡିର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ଏହି ବିଫଳତା ପାଇଁ ନବୀନଙ୍କ ନିଷ୍କ୍ରିୟତା ଏବଂ ଭି.କେ ପାଣ୍ଡିଆନ୍‌ଙ୍କ ଅତ୍ୟଧିକ ସକ୍ରିୟତାକୁ ଦାୟୀ କରାଯାଉଛି । ତେଣୁ ବିଜେଡିର ଲକ୍ଷାଧିକ କର୍ମୀ ଓ ସମର୍ଥକ ଏବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । କାରଣ ଯେଉଁ ନବୀନଙ୍କ ନାଁରେ ଲୋକେ ବିଜେଡିକୁ ଏପର୍ଯ୍ୟନ୍ତ ଅକୁଣ୍ଠ ସମର୍ଥନ ଦେଇଆସୁଥିଲେ, ପାଣ୍ଡିଆନ୍ ସାମନାକୁ ଆସିବା ପରେ ତାହା ଆକ୍ରୋଶରେ ପରିଣତ ହୋଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ।

ତେଣୁ ରାଜ୍ୟର ସମସ୍ତ ବିଜୁ ପ୍ରେମୀ ଓ ନବୀନ ପ୍ରେମୀ ଏବେ ବିଜୁ ଜନତା ଦଳର ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । କାରଣ ବୟସାଧିକ୍ୟ ଯୋଗୁଁ ନବୀନ ପଟ୍ଟନାୟକ ମଧ୍ୟ ଆଉ ଅଧିକ ଦିନ ଦଳର ସଭାପତି ଭାବେ ସକ୍ରିୟ ରହିପାରିବେନି ବୋଲି ସମସ୍ତେ ଅନୁଭବ କଲେଣି । ତେଣୁ ବିଜେଡିର ଉତ୍ତରାଧିକାରୀ ବା ନବୀନଙ୍କ ପରେ ଦାୟିତ୍ୱ କିଏ ନେବେ ସେ ଏବେ ସାମନାକୁ ଆସିବା ଦରକାର ବୋଲି ଚାହୁଁଛନ୍ତି ଦଳର ନେତା, କର୍ମୀ ଓ ସମର୍ଥକମାନେ । ଆଉ ଏଭଳି ଏକ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଲବ୍ । ଅରୁଣ ପଟ୍ଟନାୟକ ହେଉଛନ୍ତି ନବୀନଙ୍କ ପୁତୁରା ଅର୍ଥାତ୍ ତାଙ୍କ ବଡଭାଇ ପ୍ରେମ୍ ପଟ୍ଟନାୟକଙ୍କ ପୁଅ ।

ତେଣୁ ଅରୁଣ ପଟ୍ଟନାୟକଙ୍କ ଫ୍ୟାନ୍ କ୍ଲବ୍‌ରେ ଏବେ ଅନେକ ଲୋକ ଯୋଡି ହେଉଛନ୍ତି ଏବଂ ତାଙ୍କ ପ୍ରତି ନିଜର ସମର୍ଥନ ଜଣାଉଛନ୍ତି । କିଛି ବର୍ଷ ପୂର୍ବରୁ ମଧ୍ୟ ଅରୁଣ ପଟ୍ଟନାୟକଙ୍କୁ ଓଡିଶାରେ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ବିଜେଡିର ପରବର୍ତ୍ତୀ ଦାୟିତ୍ୱ କିଏ ନେବ ବା ଦଳର ଉତ୍ତରାଧିକାରୀ କିଏ ହେବ ତାହା ଓଡିଶାବାସୀ ସ୍ଥିର କରିବେ ବୋଲି ପୂର୍ବରୁ କହିସାରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ଅରୁଣ ପଟ୍ଟନାୟକଙ୍କୁ ନେଇ ଯେଉଁ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ତା’ର ସତ୍ୟତା କଣ ତାହା ଆଗକୁ ଜଣାପଡିବ ।

Leave a Reply

Your email address will not be published. Required fields are marked *