ଜାଣିଥିଲା ଆଉ ବଞ୍ଚିବନି ଭଉଣୀର ଜନ୍ମ ପାଇଁ ଅପେକ୍ଷା କଲା।
ବାକିଥିଲା ଆଉ କେଇ ଦିନର ଆୟୁଷ, ମା’ ପେଟରେ ଭଉଣୀ ଅଛି ଜାଣିବା ପରେ ଘଟିଗଲା ଚମତ୍କାର…।ଯେତେବେଳେ ତାକୁ ମାତ୍ର ୯ ବର୍ଷ ହୋଇଥିଲା ସେତେବେଳେ ତାକୁ କୁହାଗଲା ଯେ ସେ ଆଉ ବଞ୍ଚିବ ନାହିଁ ତାର ଆଉ ମାତ୍ର ଅଳ୍ପ କିଛି ଦିନର ଆୟୁଷ ବାକି ଅଛି। ଛୋଟ ପିଲାଟିଏ ହେଲେ ବି ସେ ଏକଥାକୁ ଭଲ ଭାବରେ ବୁଝି ପାରୁଥିଲା। କାରଣ ସେ ମାରାତ୍ମକ ରୋଗ କ୍ୟାନ୍ସରର ଷ୍ଟେଜ-୪ ରେ ଥିଲା। ଆଉ ତାର କିଛି ମାସ ଧରି ଚିକିତ୍ସା ଚାଲିଥିଲା। ତା ବାପା ମା’ ମଧ୍ୟ ତାକୁ ଖୋଲାଖୋଲି ଭାବେ ସବୁକଥା ତାକୁ ଜଣାଉଥିଲେ। ତେଣୁ ସେ ଛୋଟ ପିଲାଟିଏ ହେଲେ ବି ସେ ଏ ନିଷ୍ଠୁର ସତ୍ୟକୁ ଗ୍ରହଣ କରି ନେଇଥିଲା।
ହେଲେ ନିଜର ମୃତ୍ୟୁ ପାଖେଇ ଆସୁଥିବା ବେଳେ ସେ କିନ୍ତୁ ଗୋଟିଏ କଥା ଭାବୁଥିଲା ଯେ ସେ ଆଉ ତା ଭଉଣୀକୁ ଦେଖି ପାରିବ ନାହିଁ ଯିଏକି ଏ ପର୍ଯ୍ୟନ୍ତ ଜନ୍ମ ହୋଇନଥିଲା ମା’ ପେଟରେ ବଢ଼ୁଥିଲା। ସେମାନେ କେବଳ ଦୁଇ ଭାଇଥିଲେ। ଏବଂ ତାଙ୍କର ଗର୍ଭବତୀ ମା’ ଖୁବଶୀଘ୍ର ଆଉ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲେ। ଯାହାକୁ ନେଇ ବହୁତ ଖୁସି ଥିଲା ପିଲାଟିଏ। ଆଉ ମାତ୍ର କିଛି ଦିନ ପରେ ଦୁନିଆ ଛାଡିବାକୁ ଯାଉଥିବା ୯ ବର୍ଷର ବଡ଼ ପୁଅଟି। କାରଣ ସେ ଅନୁମାନ କରୁଥିଲା ତା’ ମା ପେଟରେ ତା ଭଉଣୀ ହିଁ ରହିଛି। ସେ ଦୃଢ଼ ନିଶ୍ଚିତ ଥିଲା ଯେ ତାର କୁନି ଭୁଣୀଟିଏ ହିଁ ଜନ୍ମ ନେବ।ଯଦିଓ ସେ ଏ ଦୁନିଆର ମାତ୍ର କିଛି ଦିନର ଅତିଥି ଥିଲା ଆଉ ସେ ଏ କଥାକୁ ବି ଭଲ ଭାବରେ ବୁଝି ସାରିଥିଲା। ତଥାପି ସେ କେବଳ ନିଜ ଭଉଣୀକୁ ଟିକେ ଦେଖିବାକୁ ଇଛା କରୁଥିଲା।
ହଁ ଆଜ୍ଞା ଗୋଟେ ୯ ବର୍ଷର ପିଲା ବେଲିକୁପରର କଥା। ମା ରାଚେଲ ଏବଂ ବାପା ଲିଙ୍କଙ୍କର ବଡ଼ ପୁଅ ଥିଲା ବେଲି। ଆଉ ୭ ବର୍ଷର ରିଲି ଥିଲା ବେଲିର ସାନ ଭାଇ।ରାଚେଲ ଏବଂ ଦୁଇ ପୁଅକୁ ନେଇ ଲିକଙ୍କର ଥିଲା ଛୋଟିଆ ହସ ଖୁସିର ପରିବାରଟିଏ। ହେଲେ ବଡ଼ ପୁଅକୁ କ୍ୟାନ୍ସର ହେବା କଥା ଜଣା ପଡିବା ପରେ ଏ ପରିବାର ଉପରେ ଦୁଃଖର ପାହାଡ଼ ଫାଟି ପଡିଲା। ଆଉ ସେ ପୁଣି କ୍ୟାନ୍ସରର ଷ୍ଟେଜ-୪ରେ ଅଛି।ବାପା ଲିଙ୍କଙ୍କ କହିବା ଅନୁଯାୟୀ ୨୦୧୬ରେ ପ୍ରଥମେ ସେମାନେ ଏଭଳି ଏକ କଥା ଜାଣିବାକୁ ପାଇଲେ ଯାହା ପୁରା ପରିବାରକୁ ଦୁଃଖୀ କରିଦେଇଥିଲା। ବେଲିର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଉ ସେ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଥିଲା।
ଆଉ ଚିକିତ୍ସା ଆରମ୍ଭ ହୋଇଥିଲା। ବେଲିର ବାପା ମା’ଙ୍କୁ କହି ଦେଇଥିଲେ ସେ ଆଉ ଅକ୍ପ ଦିନର ଅତିଥି। ଏପରିକି କିଛି ମାସ ବି ନୁହେଁ। ବେଲି ଅତି ବେଶୀରେ ଆଉ କିଛି ଦିନର। ଏପରି ଏକ ଦୁଃଖଦ ଖବର ପୁରା ପରିବାରକୁ ଦହଲାଇ ଦେଇଥିଲା। ହେଲେ ସେତେବେଳେ ବେଲିର ମା’ ରାଚେଲ ତୃତୀୟ ଥର ପାଇଁ ଗର୍ଭବତୀ ଥିଲେ। ଆଉ ଏକଥାକୁ ପୁରା ପରିବାର କିଛି ମାସ ଆଗରୁ ଜାଣି ସାରିଥିଲେ। ତେଣୁ ସମସ୍ତେ ବହୁତ ଖୁସି ଥିଲେ। ବିଶେଷ କରି ବଡ଼ ପୁଅ ବେଲି ଅଧିକ ଖୁସି ଥିଲା। ଏବଂ ସେ ଭାବୁଥିଲା ଯେ ତାଙ୍କ ପରିବାରକୁ କହିଥିଲା ଯେ କୁନି ଭୁଣୀଟିଏ ଆସୁଛି।
ବେଲିଙ୍କର ଚିକିତ୍ସା ଚାଲିଥିଲା କିନ୍ତୁ ସେ ତାର ମା’ଙ୍କର ବହୁତ ଯତ୍ନ ନେଉଥିଲା। କାରଣ ସେ ଭଉଣୀ ଆସିବାକୁ ଅପେକ୍ଷା କରିଥିଲା। ହେଲେ ଡାକ୍ତରଙ୍କର ଶେଷ କଥା ଶୁଣିବା ପରେ ଦମ୍ପତି ଦୁଇଜଣ ପୁରା ଭାଙ୍ଗି ପଡ଼ିଥିଲେ। ତଥାପି ସେମାନେ ନିଜ ପୁଅ ବେଲି ସହ ଖୋଲାଖୋଲି ଭାବେ କଥା ହେଉଥିଲେ। ଆଉ ବେଲିକୁ ଜଣାଇଦେଇଥିଲେ ଯେ ସେ ଆଉ ଅକ୍ପ ଦିନର ଅତିଥି। ବେଲି ମଧ୍ୟ ଏ କଥାକୁ ଶୁଣିଥିଲା ଆଉ ବୁଝିଥିଲା। ଗତ କିଛି ମାସ ଧରି ସେ ବହୁତ କଷ୍ଟସାଧ୍ୟ ଚିକିତ୍ସା ଦେଇ ଗତି କରୁଥିବାରୁ ହୁଏତ ସେ ଏ କଥାକୁ ଗ୍ରହଣ କରିବାକୁ ବେଲିକୁ ବେସି କଷ୍ଟ ହେଲାନି। ହେଲେ ସେ ଦୁଃଖୀ ଏଥିପାଇଁ ହୋଇଯାଇଥିଲା ଯେ ସେ ଆଉ ତା ଭଉଣୀକୁ ଦେଖି ପାରିବନି। କାରଣ ସେତେବେଳେ ରାଚେଲଙ୍କର ପ୍ରସବ ସମୟ ଆଉ ୨ ରୁ ୩ ମାସ ଥିଲା। କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ବେଲି ଆଉ ଗୋଟେ ସପ୍ତାହର ଅତିଥି ଥିଲା। ତେଣୁ ସେ ଏ କଥା ଶୁଣି ଭାଙ୍ଗି ପଡ଼ିଲା କି ସେ ଆଉ ତା ଭଉଣୀଙ୍କୁ ଦେଖି ପାରିବ ନାହିଁ।
ତେଣୁ ବେଲି ସବୁବେଳେ ତା ବାପା ମା’ଙ୍କୁ କହୁଥିଲା ସେ ଆଉ କିଛି ଦିନ ବଞ୍ଚିବାକୁ ଚାହୁଁଛି ବୋଲି କାରଣ ସେ ତା କୁନି ଭଉଣୀକୁ ଟିକେ ଦେଖିବାକୁ ଚାହୁଁଛି। ଏକଥା ଶୁଣି ବେଲିର ବାପା ମାଆ ବହୁତ କାନ୍ଦୁ ଥିଲେ। କିନ୍ତୁ ବାପା ମା ଜାଣିନଥିଲେ ଯେ ପେଟରେ ପୁଅ କି ଝିଅ ଅଛି କିନ୍ତୁ ବେଲି ଜୋର ଦେଇ କହୁଥିଲା ଯେ ମୋ ମା’ଙ୍କ ପେଟରେ ଭୁଣୀଟିଏ ରହିଛି। ତେଣୁ ଆଉ କିଛିଦିନ ବଞ୍ଚିବାର ଇଛା ବେଲି ପାଖରେ ଥିଲା। ବେଲି କିନ୍ତୁ ହାର ମାନୁଥିଲା ସେ କହୁଥିଲା ମୋ ଭଉଣୀକୁ ନଦେଖିବା ଯାଏଁ ମୁଁ ମରିବିନି। ମାଙ୍କ ପେଟକୁ ସେ ବାରମ୍ବାର ଗେଲ୍ହ କରୁଥିଲା। ହାତକୁ ପେଟରେ ବୁଲାଉଥିଲା। ସେ ତାର ଭଉଣୀ ପାଇଁ ସୁନ୍ଦର ନାଁଟିଏ ମଧ୍ୟ ବାଛି ସାରି ଥିଲା।
ସାନ ଭାଇ ରିଲି ଏବଂ ନିଜର ନାଁ ବେଲି ହୋଇଥିବାରୁ ସେ ତାର ଭଉଣିର ନାଁ ମିଲି ଦେଇଥିଲା। ସମସ୍ତଙ୍କୁ ଏଇ ନାଁଟି ବହୁତ ଭଲ ଲାଗିଥିଲା। କିନ୍ତୁ ସେମାନେ ଭାବୁଥିଲେ ଯେ ଯଦି ତାଙ୍କର ଆଉ ଗୋଟେ ପୁଅ ହୁଏ ତାହେଲେ ଏଇ ଭାବନାକୁ ଠେଲି ଦେଇ ଆଉ ଏକ ଭାବନା ମନ ଭିତରକୁ ପଶି ଆସୁଥିଲା ଯେ କାଳ୍ପନିକ ଭଉଣୀର ଆଗମନକୁ ନେଇ ଖୁସି ଥିବା ବେଲି କେଉଁ ମୁହୂର୍ତ୍ତରେ ବି ସେମାନଙ୍କୁ ଛାଡି ଚାଲି ଯାଇପାରେ।
ଦିନ ଗଡି ଚାଲିଥିଲା ବେଲିର ଖୁସି ଦେଖି ବୋଧେ ଭଗବାନଙ୍କର ହୃଦୟ ତରଳି ଯାଇଥିଲା। ୨୦୧୭ ନଭେମ୍ବର ୩୦ରେ ରାଚେଲ ସନ୍ତାନ ପ୍ରସବ କଲେ। ଆଶ୍ଚର୍ଯ୍ୟଜନକ ଭାବେ ତାହା ଏକ କନ୍ୟା ସନ୍ତାନ ହୋଇଥିଲା। ସେଦିନ ପ୍ରବଳ ଅସୁସ୍ଥ ଥିବା ବେଲି ସିଧା ଚାଲିବି ପାରୁନଥିଲା କିନ୍ତୁ ତଥାପି ସେ ହସ୍ପିଟାଲକୁ ଆସିଥିଲା। ଆଉ ତାର ଭଉଣୀ ଜନ୍ମ ହୋଇଛି ବୋଲି ଶୁଣି ସେ ଖୁସିରେ ଉଛୁଳି ଉଠିଥିଲା। ଯେତେବେଳେ ବେଲି ହାତରେ ତାର କୁନି ଭଉଣୀକୁ ରଖା ଯାଇଥିଲା ସେତେବେଳେ ବେଲିର କଅଁଳ ଓଠରେ ଏକ ସୁନ୍ଦର ହସର ରେଖାଟିଏ ଖେଳି ଯାଇଥିଲା। ଏଥର ଆଉ ସେ କାହା ପାଖକୁ ଛାଡି ନଥିଲା। ଅନେକ ସମୟ ଧରି ସେ ନିଜ ଭଉଣୀକୁ କୋଳରେ ଧରି ରଖିଥିଲା। ବେଲି କୋଳରେ ଧରିଥିଲା ମିଲିକୁ ଆଉ ତା ପାଖରେ ବସିଥିଲେ ରିଲି। ଏହି ଫୋଟକୁ ଉଠାଇବା ବେଳେ ବାପା ଲିଙ୍କଙ୍କ ଆଖିରେ ଲୁହ ଭରି ଯାଇଥିଲା।
ମିଳି ଘରକୁ ଆସିବା ପରେ ବେଲି ମିଲିର ସବୁ ଦାୟିତ୍ୱ ନେଇଯାଇ ଥିଲା। ସେ ମିଲିକୁ ଖୁଆଉ ଥିଲା ତାର ଭଲ ଭାବରେ ଯତ୍ନ ନେଉଥିଲା। ସେ କିଛି ଦିନର ଅତିଥି ବୋଲି ମଧ୍ୟ ଭୁଲି ନଥିଲା। ସେ ସବୁବେଳେ ସମସ୍ତଙ୍କୁ ଜଣାଉଥିଲା ଯେ ସେ ବହୁତ ଖୁସି ଅଛି। ସେ ତାର ଭଉଣୀକୁ ଦେଖି ପାରିଛି। ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇପଡୁଥିଲା। ତଥାପି ସେ ଭଉଣୀ ମିଲିର ପାଖ ଛାଡୁନଥିଲା। ସେ ତାର ଭଉଣୀକୁ ଗୀତ ଗାଇ ସୁଆଇ ଦେଉଥିଲା ଗେଲ୍ହ କରୁଥିଲା କିନ୍ତୁ ନିଷ୍ଠୁର ନିୟତି ବେଲିକୁ ଛାଡି ନଥିଲା ଶେଷରେ ବେଲିର ସେହି ସମୟ ଆସି ଯାଇଥିଲା ୨୦୧୭ ଖ୍ରୀଷ୍ଟମାସ ଦିନ ସମସ୍ତଙ୍କୁ ଛାଡି ବେଲି ବହୁତ ଦୂରକୁ ଚାଲିଯାଇଥିଲା। ଏକ ଅଫେରା ରାଇଜକୁ ବେଲି ଚାଲି ଯାଇଥିଲା ଯେଉଁଠୁ ବେଲି ଆଉ କେବେବି ଫେରି ଆସି ପାରିବ ନାହିଁ।