ଆଜି କାଚିବ କାଲି ଉଡାଇବ,୧୩୦କି.ମି ବେଗରେ ଦେବ ପବନ ଝଟକା। ରବିବାର ନେବ ଭୀଷଣ ବାତ୍ୟାର ରୂପ।

ଆଜି କାଚିବ କାଲି ଉଡାଇବ ୧୩୦କି.ମି ବେଗରେ ଦେବ ପବନ ଝଟକା। ରବିବାର ନେବ ଭୀଷଣ ବାତ୍ୟାର ରୂପ। ବାତ୍ୟା ପ୍ରଭାବରେ ଭିଜିବ ରାଜ୍ୟଧାନୀ ଭୁବନେଶ୍ୱର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଶନିବାର ବାତ୍ୟା ରୂପ ନେଇଛି। ୨୬ ରେ ଏହା ଭୀଷଣ ବାତ୍ୟାର ରୂପ ନେବ। ସାଗର ଦ୍ୱୀପ ଓ ଖେପୁ ମଝିରେ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅଥବା IMB ଆକଳନ କରି କହିଛି ଭୀଷଣ ବାତ୍ୟା ହେବା ପରେ ୧୦୦ ରୁ ୧୧୦କି.ମି ବେଗରେ ପବନ ବହିବ। ୧୩୦କି.ମି ପର୍ଯ୍ୟନ୍ତ ପବନର ଝଟକା ଅନୁଭୂତ ହେବ।

ତେବେ ବାତ୍ୟାର ପ୍ରଭାବ ସିଧାସଳଖ ଓଡିଶା ଉପରେ ପଡିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶୀକା ମନୋରମା ମହାନ୍ତି କହିଛନ୍ତି। ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨୫ ତାରିଖରେ ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ।

ଘଣ୍ଟା ପ୍ରତି ୪୦ ରୁ ୫୦କି.ମି ବେଗରେ ପବନ ବହିବ। ମଝିରେ ମଝିରେ ଘଣ୍ଟା ପ୍ରତି ୬୦ କି.ମି ବେଗରେ ପବନ ବହିବ। ୨୬ ତାରିଖ ସକାଳ ଠାରୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରାପଡା ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ତେବେ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ଭଦ୍ରକ ବାଲେଶ୍ଵର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ଏବଂ ପବନ ହେବ। ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଅଥବା SRC ସୂଚନା ଦେଇଛନ୍ତି। ବାତ୍ୟାର ଗତିପଥ ପ୍ରଭାବକୁ ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି ଶନିବାର ବାତ୍ୟା ଓ ରବିବାର ଭୀଷଣ ବାତ୍ୟା ରୂପ ନେବ। ୨୬ ତାରିଖ ସନ୍ଧ୍ୟାରେ ସଲଗ୍ନ ବାଙ୍ଗଲାଦେଶର ସାଗର ଦ୍ୱୀପରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ବାତ୍ୟା ପ୍ରଭାବରେ ୨୬ ରେ ଖୋର୍ଦ୍ଧା ଢେଙ୍କାନାଳ କଟକ ଜଗତସିଂହପୁର ଯାଜପୁର ଓ କେନ୍ଦୁଝରରେ ବର୍ଷା ହେବ। ବାଲେଶ୍ଵର ସଲଗ୍ନ ମୟୁରଭଞ୍ଜରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *