୨୦୧୯ ସାଧାରଣ ନିର୍ବାଚନରେ କେଉଁ ମେଣ୍ଟ ଏବଂ କେଉଁ ଦଳକୁ କେତେ ସିଟ୍ ମିଳିଥିଲା ଜାଣନ୍ତୁ।
ବନ୍ଧୁଗଣ ଜୁନ୍ ୧ ତାରିଖ ଅର୍ଥାତ୍ ଆଜି ଆଉ କିଛି ସମୟ ପରେ ଶେଷ ହେବାକୁ ଯାଉଅଛି ୨୦୨୪ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ୭ଟି ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ପାଇଁ ମତଦାନ୍ ଜୁନ ୧ ଅର୍ଥାତ୍ ଆଜି ଶେଷ ହେଉଛି । ଏହି ନିର୍ବାଚନର ଫଳାଫଳ ଆସନ୍ତା ୪ ତାରିଖରେ ଘୋଷଣା ହେବ । ତେବେ କିନ୍ତୁ ଏହା ପୁର୍ବରୁ ଗଣମାଧ୍ୟମ ସଂସ୍ଥା ଗୁଡିକ ପକ୍ଷରୁ ବୁଥ ବାହୁଡା ଜନମତ ସର୍ଭେ ବା ‘ଏକଜିଟ ପୋଲ’ ପ୍ରକାଶ ପାଇଛି ।
୪୦୦ ପାର ସହ କେନ୍ଦ୍ରରେ ପ୍ରଚଣ୍ଡ ବହୁମତ ସହ ତୃତୀୟ ପାଳି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ପ୍ରାୟ ୩୫୦ ରୁ ଅଧିକ ଆସନ ପାଇବା ନେଇ ପ୍ରାୟ ସମସ୍ତ ସଂସ୍ଥା ଆକଳନ କରିଛନ୍ତି । ଏହା ସହ ବିଜେପି ବିଭିନ୍ନ ଅଣଶାସିତ ରାଜ୍ୟରେ ମଧ୍ୟ ବେଶ ଭଲ କରିବାକୁ ଯାଉଥିବା ସର୍ଭେ ରିପୋର୍ଟ କହୁଛି । ଏବେ ଆସନ୍ତୁ ନଜର ପକାଇବା ୨୦୧୯ ସାଧାରଣ ନିର୍ବାଚନ ଫଳାଫଳର ଏକ ଝଲକ ଉପରେ । ୨୦୧୯ ମସିହାରେ ୭ଟି ପର୍ଯ୍ୟାୟରେ ହୋଇଥିଲା ସାଧାରଣ ନିର୍ବାଚନ ।
୧୧ ଏପ୍ରିଲ ୨୦୧୯ରୁ ଆରମ୍ଭ ହୋଇ ୧୯ ମେ ୨୦୧୯ରେ ଶେଷ ହୋଇଥିଲା ମତଦାନ । ଆଉ ୨୩ ମେ’ ୨୦୧୯ରେ ଘୋଷଣା ହୋଇଥିଲା ନିର୍ବାଚନର ଫଳାଫଳ । ସେହି ନିର୍ବାଚନରେ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ପ୍ରାୟ ୯୧ କୋଟି ୨୦ ଲକ୍ଷ ଥିବା ବେଳେ ୬୭% ମତଦାନ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟତଃ ବିଜେପି ନେତୃତ୍ଵାଧୀନରେ ଏନଡିଏ ଏବଂ କଂଗ୍ରେସ୍ ନେତୃତ୍ଵାଧୀନ ୟୁପିଏ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏବଂ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଆହୁରି ଅଧିକ ବହୁମତ ହାସଲ କରି ଏନଡିଏ ପୁଣିଥରେ ଦେଶରେ ସରକାର ଗଠନ କରିଥିଲା ।
୪୫% ଭୋଟ ସହ ଏନଡିଏ ୩୫୩ଟି ଲୋକସଭା ଆସନ ଦଖଲ କରିଥିଲା । ହେଲେ ୟୁପିଏକୁ ମିଳିଥିଲା ମାତ୍ର ୯୧ଟି ଲୋକସଭା ଆସନ । ଯେତେବେଳେ କି ୟୁପିଏ ମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ୍ ବିରୋଧୀ ଦଳ ନେତା ଦାବି ପାଇଁ ଆବଶ୍ୟକ ମାତ୍ର ୧୦% ଆସନ ବି ପାଇ ନଥିଲା । କାରଣ ଏକୁଟିଆ କଂଗ୍ରେସ୍ ଦଳ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା । ସେହି ତୁଳନାରେ ଦେଖିଲେ ଏନଡିଏ ଦଳର ନେତୃତ୍ବ ନେଉଥିବା ବିଜେପି କିନ୍ତୁ କଂଗ୍ରେସ୍ ଠାରୁ ବହୁତ୍ ଆଗରେ ରହିଥିଲା । କାରଣ ଏକୁଟିଆ ବିଜେପି ୩୭.୩୬% ଭୋଟ ସହ ୩୦୩ଟି ଆସନରେ ବିଜୟୀ ହୋଇଥିଲା ।