ଖୋର୍ଦ୍ଧା ବେଗୁନିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସବୁ ଗୁମର ଖୋଲିଦେଲେ ଭି.କେ. ପାଣ୍ଡିଆନ।

ଖୋର୍ଦ୍ଧା ବେଗୁନିଆରେ ପାଣ୍ଡିଆନ ଗର୍ଜିଲେ। ଅପରାଜିତା ସଡ଼ଙ୍ଗୀଙ୍କୁ ପୁରା ଧୋଇଦେଲେ। ସାଂସଦଙ୍କ ବିଫଳାତାର ଲମ୍ବା ଚିଠା ଦେଲେ। କହିଲେ ଅପରାଜିତା ନିଜ ଦାୟିତ୍ୱ ଭୁଲିଗଲେ। ହଁ ଆଜ୍ଞା ଖୋର୍ଦ୍ଧା ବେଗୁନିଆରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ। ସାଂସଦ ପ୍ରାର୍ଥୀ ମନ୍ମଥ ରାଉତ ରାୟ ଏବଂ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ପାଇଁ ଭୋଟ ମାଗିବାକୁ ଯାଇ ସେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହି ଅବସରରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ସଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ଭୋଟ ପାଇ ଭୁବନେଶ୍ୱରର ସାଂସଦ ହେଲେ କିନ୍ତୁ ନିର୍ବାଚିତ ହେବା ପରେ ନିଜ ଦାୟିତ୍ୱ ଭୁଲିଗଲେ।

୫ ବର୍ଷ ଭିତରେ ଯାହା ସବୁ କରିବା କଥା ସେସବୁ କିଛି କଲେ ନାହିଁ। ଅପରାଜିତା ଜଣେ ସର୍ଵଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବଲଗଡ଼ ଏବଂ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ଯଦି ସେ ଚାହିଁଥାନ୍ତେ ବେଗୁନିଆରେ ୧୦୦ ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇପାରିଥାନ୍ତା। ବହୁସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇପାରିଥାନ୍ତେ। କିନ୍ତୁ ସେ ନିଜ କାମ ନକରି ଅନ୍ୟ ମାନଙ୍କ କାମରେ ମୁଣ୍ଡ ଖେଳାଇଲେ। ଯେଉଁଥିପାଇଁ ସେ ନିଜର ୫ ବର୍ଷର ହିସାବ ଦେଇପାରୁନାହାଁନ୍ତି। ତେଣୁ ତାଙ୍କୁ ଏଠିକି ଆସିବାକୁ ଡର ଲାଗୁଛି ବୋଲି ଅପରାଜିତାଙ୍କୁ ଟାର୍ଗେଟ କରି କହିଛନ୍ତି ପାଣ୍ଡିଆନ।

ଖାଲି ସେତିକି ନୁହେଁ କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ କିନ୍ତୁ ସେ ଜଣେ ସାଂସଦ ହୋଇ ମଧ୍ୟ ଅମାନିଆ ହେଲେ ବୋଲି ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ବୋଧେ ସେ ସାରା ଦେଶରେ ଏକମାତ୍ର ଜନ ପ୍ରତିନିଧି ଯିଏ କୋଭିଡ଼ ନିୟମ ଭାଙ୍ଗିଥିଲେ ଆଉ ପ୍ରଶାସନ ତାଙ୍କ ଉପରେ ଜରିମାନା ଲଗାଇଥିଲା ବୋଲି କହିଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ।

ସେହିପରି ବିର ପାଇକଙ୍କର ରକ୍ତ ଏବଂ ତ୍ୟାଗକୁ ସମ୍ମାନ ଦେବା ପାଇଁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୪ ଥର ଚିଠି ଲେଖିଛନ୍ତି କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଥରେ ହେଲେ ବି ଏଥିପାଇଁ କେନ୍ଦ୍ରରେ ଦାବି କରି ନାହାନ୍ତି କିମ୍ବା ସଂସଦରେ ଏ ପ୍ରସଙ୍ଗ ଉଠାଇ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କର ପାଇକଙ୍କ ପ୍ରତି ଦରଦ ନାହିଁ କି ଏ ମାଟି ଉପରେ ତାଙ୍କର ଅଧିକାର ନାହିଁ ବୋଲି କହିଛନ୍ତି ପାଣ୍ଡିଆନ ବରଂ ତାଙ୍କୁ ଦିଆଯାଇଥିବା କ୍ଷମତାର ସେ ଦୁରୂପଯୋଗ କରିଛନ୍ତି ବୋଲି ଅପରିଜିତାଙ୍କୁ ନେଇ କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା।ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ ଦେଉଥିବା ବେଳେ ସାଂସଦ ଅପରାଜିତା କ’ଣ କରିଛନ୍ତି ତାର ହିସାବ ଦେଇପାରିବେ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ।

Leave a Reply

Your email address will not be published. Required fields are marked *