ଭୁବନେଶ୍ୱର ଏମ୍ସରେ ହେଲା ବିରଳ ଅସ୍ତ୍ରୋପଚାର । ମୁଣ୍ଡରୁ ବାହାରିଲା ୭ କେଜିର ଟ୍ୟୁମର । ୨୪ ବର୍ଷ ଧରି ହୋଇ ପାରୁନଥିଲା ସର୍ଜରୀ ।

ଇତିହାସ ରଚିଲା ଭୁବନେଶ୍ବର ଏମ୍ସ । ଏକାଧିକ ବିଭାଗର ଡାକ୍ତରଙ୍କ ଉଦ୍ୟମରେ ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ଜଣେ ବ୍ୟକ୍ତିଙ୍କୁ ବିରଳ ଅସ୍ତ୍ରୋପଚାର ପରେ ମିଳିଛି ନୂଆ ଜୀବନ । ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତର । ଯାହା ଓଡ଼ିଶାରେ ପ୍ରଥମ ଏବଂ ଭାରତରେ ଏହି ପ୍ରକାରର ଅପରେସନ ଦ୍ଵିତୀୟ । ବ୍ୟକ୍ତିଙ୍କ ମୁଣ୍ଡରୁ ୭ କେଜିର ଏକ ବଡ଼ ଟ୍ୟୁମର ବାହାର କରାଯାଇଛି ।

ଦୀର୍ଘ ୧୦ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ ଡାକ୍ତରମାନେ ଉକ୍ତ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ । ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୨୪ ବର୍ଷ ଧରି ଉକ୍ତ ବ୍ୟକ୍ତି ଜଣଙ୍କ ଉକ୍ତ ଟ୍ୟୁମର କାରଣରୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ଅସ୍ତ୍ରୋପଚାର ପରେ ଉକ୍ତ ବ୍ୟକ୍ତିଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଖୁବଶୀଘ୍ର ତାଙ୍କୁ ହସ୍ପିଟାଲକୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି । ଅପରେସନ ଦୃଷ୍ଟିରୁ ଏହା ସମଗ୍ର ଭାରତରେ ଦ୍ୱିତୀୟ ଘଟଣା ହୋଇଥିବା ବେଳେ ଓଜନ ଦୃଷ୍ଟିରୁ ଏହା ସର୍ବବୃହତ ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଜଣେ ୫୧ ବର୍ଷୀୟ ବୟସ୍କ ବ୍ୟକ୍ତି ପୂର୍ବରୁ ୩/୪ଟି ସ୍ଥାନରୁ ଫେରି ଶେଷରେ ଏମ୍ସକୁ ଆସିଥିଲେ ।

ରୋଗୀଙ୍କର ଖପୁରୀର ଉପର ଅଂଶରେ ପାଖାପାଖି ୭ କେଜି ଓଜନର ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମର ହୋଇଥିଲା । ଇଣ୍ଟରଭେନ୍ସନାଲ ରେଡିଓଲୋଜି, ସର୍ଜିକାଲ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଓଲୋଜି ଓ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ । ପ୍ରଥମେ ଉକ୍ତ ଟ୍ୟୁମରରୁ ବ୍ଲଡ୍ ଭେସେଲକୁ ଏମ୍ବାଲାଇଜ୍ କରି ସଙ୍କୁଚିତ କରାଯାଇଥିଲା ଓ ତା’ପରେ ପାଖାପାଖି ୭୨ ଘଣ୍ଟା ରୋଗୀଙ୍କୁ ନିରୀକ୍ଷଣ କରାଯାଇଥିଲା ।

ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ୧୦ ଘଣ୍ଟା ଧରି ଡାକ୍ତରମାନେ ଏହି ଅସ୍ତ୍ରୋପଚାର କରିଥିଲେ । ଏହି ଜଟିଳ ଅପେରେସନରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସାମିଲ ହୋଇଥିଲେ । ପୂର୍ବରୁ ଏଭଳି କିଛି ରୋଗୀ ଏମ୍ସକୁ ଆସିଥିଲେ ହେଁ ଏହା ଏକ ବଡ଼ ଚାଲେଞ୍ଜ ଥିଲା ବୋଲି ଡାକ୍ତର କହିଛନ୍ତି । ତେଣୁ ଏଭଳି ସମସ୍ୟା ଦେଖାଦେଲେ ଲୋକମାନେ ଭୟଭୀତ ନହୋଇ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ ବୋଲି ଡାକ୍ତର କହିଛନ୍ତି ।

Leave a Reply

Your email address will not be published. Required fields are marked *