ବିଜେଡି-ବିଜେପି ଟକର ଭିତରେ ଭୁବନେଶ୍ୱର ଲୋକସଭା ଆସନରେ ବାଜି ମାରିନେବ କଂଗ୍ରେସ।
ଭୁବନେଶ୍ୱର ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ। ଯୁବ ନେତାଙ୍କୁ କରିବ ସାଂସଦ ପ୍ରାର୍ଥୀ। ମନ୍ମଥ-ଅପରଜିତାଙ୍କ କଳିରେ ବାଜି ମରିବ କଂଗ୍ରେସ। ହଁ ଆଜ୍ଞା ବନ୍ଧୁଗଣ ଆଗାମୀ ନିର୍ବାଚନରେ ରାଜଧାନୀ ବାସୀ ଦେଖିବେ ବଡ଼ ଫାଇଟ। ଭୁବନେଶ୍ୱର ଲୋକସଭା ଆସନ ପାଇଁ ୨ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।ବିଜେପି ଏଥର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଥରେ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଭାବେ ରିପିଟ କରିଛି। ଆଉ ଅପରାଜିତାଙ୍କୁ ଚେକ ଦେବା ପାଇଁ ଶାସକ ଦଳ ଏଥର ମନ୍ମଥ ରାଉତରାୟଙ୍କ ଭଳି ନୂଆ ଚେହେରାକୁ ମୈଦାନକୁ ଓଲ୍ହାଇଛି।
ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରି ଅପରାଜିତା ବେସ ଚର୍ଚ୍ଚାରେ ଥିବା ବେଳେ ଗତ ଥର ବିଜେଡି ବିରୋଧରେ ବିଜୟ ତାଙ୍କର ଆତ୍ମବିଶ୍ବାସକୁ ବଢ଼ାଇଛି। ଅନ୍ୟପଟେ ବିଜେଡି ପୂର୍ବରୁ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ଆସୁଥିବା ବେଳେ ଶେଷ ମୁହୂର୍ତ୍ତରେ ଦଳ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।
ଏୟାର ଇଣ୍ଡିଆର ପୂର୍ବତନ ପାଇଲଟ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ ନୂଆ ତଥା ଯୁବ ଚେହେରା ହୋଇଥିବାରୁ ସେ ମଧ୍ୟ ବେସ ଚର୍ଚ୍ଚାରେ ଅଛନ୍ତି। ତେଣୁ ଉଭୟ ମନ୍ମଥ- ଅପରାଜିତାଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେଲେ ଏସବୁ ଭିତରେ ଭୁବନେଶ୍ୱର ଲୋକସଭା ଆସନ ଦଖଲ ପାଇଁ କଂଗ୍ରେସ ଏକ ଜବରଦସ୍ତ ପ୍ଲାନ କରିଥିବା କଥା କୁହାଯାଉଛି।
କାରଣ ୨୦୧୯ ରେ ବାମ ଦଳ ସହ ମେଣ୍ଟ କରିଥିବା କଂଗ୍ରେସ ଭୁବନେଶ୍ୱର ଆସନରେ ସାଂସଦ ପ୍ରାର୍ଥୀ ଦେଇନଥିଲା। ସିବିଆଇଏମ ନେତା ଜନାର୍ଦନ ପତି ଭୁବନେଶ୍ୱର ଲୋକସଭା ଆସନରୁ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ଆଉ ମାତ୍ର ୨୩୦୨୬ ଭୋଟ ପାଇ ସେ ବହୁ ପଛରେ ପଡିଯାଇଥିଲେ।
ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ମୋଟ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲା ଏବଂ କଂଗ୍ରେସର ସମସ୍ତ ୬ ଜଣ ପ୍ରାର୍ଥୀ ମୋଟ ୧,୪୦,୦୦୦ ଭୋଟ ପାଇଥିଲେ। ଏହି ୬ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ଏକୁଟିଆ ଜଟଣୀରୁ ସ୍ୱର ରାଉତରାୟ ୬୮, ୮୪୧ ଭୋଟ ପାଇଥିଲେ ଏବଂ ବେଗୁନିଆରୁ ପ୍ରଦୀପ ସାହୁ ୫୩,୧୩୦ ଭୋଟ ପାଇଥିଲେ। କିନ୍ତୁ କଂଗ୍ରେସର ଏହି ଭୋଟ ଜନାର୍ଦନଙ୍କୁ ମିଳିନଥିଲା ବୋଲି ଫଳାଫଳରୁ ସ୍ପଷ୍ଟ ଜଣା ପଡିଥିଲା। ହେଲେ ଏବେ କିନ୍ତୁ ରାଜଧାନୀ ରାଜନୀତିର ସମିକରଣ ବଦଳିଛି।
ବୁଜେପି ଏବଂ ବିଜେଡିର ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟ ରାଜନୀତି ବେସ କିଛି ଦିନ ସରଗରମ ରହିବା ବେଳେ ଏଥିରେ ପୁନଛେଦ ପଡିଥିଲା। ପୁଣି ଉଭୟ ଦଳ ଏକାକୀ ଲଢ଼ିବେ ବୋଲି ନିଷ୍ପତ୍ତି ନେଲେ। ଯାହାର ପ୍ରଭାବ ଏଥର ନିର୍ବାଚନରେ ପଡିବ ବୋଲି ଚର୍ଚ୍ଚା ହେଉଛି। ଆଉ ଏହାର ସୁଯୋଗ ନେଇ କଂଗ୍ରେସ ମଧ୍ୟ ଏହାର ଫାଇଦା ନେବା ପାଇଁ ପ୍ରସ୍ତୁତି ହେଉଛି। ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରି ଉଭୟ ବିଜେଡି ଓ ବିଜେପିକୁ ଚକମା ଦେବା ପାଇଁ ଦଳ ପ୍ରସ୍ତୁତି କରୁଛି ବୋଲି ଚର୍ଚ୍ଚା ହେଉଛି। ଏହି କଂଗ୍ରେସର ଯୁବନେତା କୁଆଡେ ୟସୀର ନବାଜ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ପ୍ରାର୍ଥୀ କଲେ ଦଳର ଯୁବ ସଙ୍ଗଠନର ସହାୟତାରେ କଂଗ୍ରେସ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଓ ବିଜେପିକୁ କଡା ଟକର ଦେବେ ବୋଲି କୁହାଯାଉଛି। କାରଣ ଗତଥର ଜନାର୍ଦନ ପତିଙ୍କୁ ମିଳିନଥିବା କଂଗ୍ରେସ ଭୋଟ ସବୁ ଏଥର ଭୁବନେଶ୍ୱରରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ମିଳିବା ଏକ ପ୍ରକାର ନିଶ୍ଚିତ।
ଏହା ସହିତ ମେଣ୍ଟ ଚର୍ଚ୍ଚାକୁ ନେଇ ଉଭୟ ବିଜେପି ଓ ବିଜେଡି ପ୍ରତି ବିମୁଖ ହୋଇଥିବା ଅନେକ ଭୋଟର ମଧ୍ୟ କଂଗ୍ରେସକୁ ବିକଳ୍ପ ଭାବେ ବାଛିପାରନ୍ତି। ଯାହା ଭୁବନେଶ୍ୱର ଲୋକସଭା ଆସନରେ ସମ୍ଭାବ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଉଛି।