ମନ୍ମଥଙ୍କୁ ପ୍ରାର୍ଥୀ କରି BJD ବଦଳାଇଛି ସମିକରଣ। ଗଣିତ କହୁଛି, ଅପରାଜିତାଙ୍କୁ ହରାଇବେ ମନ୍ମଥ।
ଭୁବନେଶ୍ୱର ଲଢେଇରେ ନୂଆ ଟର୍ଣ୍ଣ। ବିଜେଡି ଖେଳିଛି ମାଷ୍ଟର ଷ୍ଟ୍ରୋକ। ମନ୍ମଥଙ୍କୁ ପ୍ରାର୍ଥୀ କରି ବଦଳାଇଛି ସମିକରଣ। ଗଣିତ କହୁଛି, ଅପରାଜିତାଙ୍କୁ ହରାଇବେ ମନ୍ମଥ।ଆଜ୍ଞା ହଁ ବନ୍ଧୁଗଣ ଭୁବନେଶ୍ୱର ଲୋକସଭା ଆସନରେ ଏଥର ବଦଳିଛି ସମିକରଣ। ବିଜେପି ଏଥର ଅପରାଜିତା ସଡ଼ଙ୍ଗୀଙ୍କୁ ଏପଟେ ରିପିଟ କରିଥିବା ବେଳେ ତାଙ୍କୁ ଚେକ ଦେବା ପାଇଁ ବିଜେଡି ଏଥର ମନ୍ମଥ ରାଉତରାୟଙ୍କ ଭଳି ନୂଆ ତଥା ଯୁବ ନୂଆ ଚେହେରାକୁ ମୈଦାନକୁ ଓଲ୍ହାଇଛି। ତେବେ ମନ୍ମଥ ରାଉତରାୟଙ୍କୁ କେବଳ ନୂଆ ମୁହଁ ବୋଲି କହିବା ହୁଏତ ଠିକ ହେବ ନାହିଁ।
କାରଣ ତାଙ୍କର ଆଉ ଏକ ପରିଚୟ ହେଉଛି ସେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ। ଆଉ ଏହା ହିଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସମିକରଣ ବଦଳାଇଦେବ ବଲି ଆକଳନ କରାଯାଉଛି। ତେବେ ଏହି ଆକଳନ କେବଳ ଉପର ଠାଉଁରିଆ ଚର୍ଚ୍ଚାକୁ ନେଇ କରାଯାଉ ନାହିଁ। ବରଂ ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନର ଫଳାଫଳକୁ ସମୀକ୍ଷା କଲେ ଏଥର କେମିତି ସମିକରଣ ବଦଳିବ ତାହା ସ୍ପଷ୍ଟ ଭାବେ ଜଣା ପଡୁଛି।
ଏଠାରେ ୨୦୧୯ରେ ୨୩,୮୩୯ ଭୋଟ ବ୍ୟବଧନରେ ବିଜୟୀ ହୋଇଥିଲେ ଅପରାଜିତା ଷଡ଼ଙ୍ଗୀ। ଆଉ ୨୦୧୯ରେ ବାମ ଦଳ ସହ ମେଣ୍ଟ କରିଥିଲା କଂଗ୍ରେସ। ସିବିଆଏମ ନେତା ଜନାର୍ଦନ ପତି ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଉ ଜନାର୍ଦନ ପତି ମାତ୍ର ୨୩,୦୨୬ ଭୋଟ ପାଇଥିଲେ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ଟି ବିଧାନସଭା ଆସନ ମଧ୍ୟରୁ ୬ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଲଢ଼ିଥିଲେ। ଏବଂ କଂଗ୍ରେସର ସମସ୍ତ ୬ ଜଣ ପ୍ରାର୍ଥୀ ମୋଟ ୧,୪୦,୦୦୦ ଭୋଟ ପାଇଥିଲେ। ଏହି ୬ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ଏକୁଟିଆ ଜଟଣୀରୁ ସ୍ୱର ରାଉତରାୟ ୬୮, ୮୪୧ ଭୋଟ ପାଇଥିଲେ ଏବଂ ବେଗୁନିଆରୁ ପ୍ରଦୀପ ସାହୁ ୫୩,୧୩୦ ଭୋଟ ପାଇଥିଲେ।
ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ଯଦି ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ୬ ଜଣ କଂଗ୍ରେସ ବିଧାୟକ ପ୍ରାର୍ଥୀ ମୋଟ ୧,୪୦,୦୦୦ ଭୋଟ ପାଇଲେ ତେବେ କଂଗ୍ରେସ ସହ ମେଣ୍ଟ କରିଥିବା ସିପିଆଇଏମ ପ୍ରାର୍ଥୀ ଜନାର୍ଦନ ପତି କାହିଁକି ସଂସଦୀୟ କ୍ଷେତ୍ରରେ ମାତ୍ର ୨୩,୦୨୬ ଭୋଟ ପାଇଲେ। ବାକି ୧,୧୭,୦୦୦ କଂଗ୍ରେସ ଭୋଟ କୁଆଡେ ଗଲା? ଏହି ୧,୧୭,୦୦୦ ଭୋଟ ହିଁ ବିଜେଡି ପ୍ରାର୍ଥୀ ଅରୁପ ପଟନାୟକଙ୍କ ପରାଜୟରେ ପ୍ରମୁଖ ଭୂମିକା ଗ୍ରହଣ କଲା।
ଏପରିକି ଜଟଣୀ ବିଧାନସଭା ଆସନରୁ ସୁର ରାଉତରାୟ ଏକୁଟିଆ ଯେତିକି ଭୋଟ ପାଇଥିଲେ ତାଙ୍କ ଠାରୁ ପାଖାପାଖି ୪୫,୦୦୦ କମ ଭୋଟ ପାଇଥିଲେ ଜନାର୍ଦନ ପତି। ଖାଲି ସେତିକି ନୁହେଁ ୨୦୧୯ ରେ କଂଗ୍ରେସ ଟିକଟରୁ ବେଗୁନିଆରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ୫୩,୦୦୦ ଭୋଟ ପାଇଥିବା ପ୍ରଦୀପ ସାହୁ ବି ଅଢେଇ ବର୍ଷ ତଳୁ ଅର୍ଥାତ ୨୦୨୧ ନଭେମ୍ବରରୁ ବିଜେଡିର ମିଶି ସାରିଛନ୍ତି। ଆଉ ଏବେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବି ବିଜେଡିର ମିଶିବା ସହ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି। ଆଉ ତାଙ୍କ ସାନ ପୁଅକୁ ଜିତାଇବା ପାଇଁ ମଧ୍ୟ ନିଜ ସମର୍ଥକ ମାନଙ୍କୁ କହି ସାରିଛନ୍ତି ସୁର।
ତେବେ ଏବେ ମନ୍ମଥ ରାଉତରାୟଙ୍କୁ ତାଙ୍କୁ ବାପାଙ୍କୁ ମିଳିଥିବା ସେହି ଭୋଟ ସବୁ ମିଳିବାର ସମ୍ଭାବନା ରହିଛି। ଯେଉଁ ଭୋଟ ଗୁଡିକ ୨୦୧୯ରେ କଂଗ୍ରେସର ମେଣ୍ଟ ସାଥି ସିପିଆଇଏମକୁ ମିଳିନଥିଲା। ତା ସହ ପ୍ରଦୀପ ସାହୁଙ୍କୁ ମିଳିଥିବା ୫୦,୦୦୦ ଭୋଟ ମଧ୍ୟ ଏବେ ବିଜେଡି ଅର୍ଥାତ ମନ୍ମଥ ରାଉତରାୟଙ୍କୁ ମିଳିବା ପ୍ରାୟ ନିଶ୍ଚିତ। ଅର୍ଥାତ ଜଟଣୀ ଓ ବେଗୁନିଆ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ଲୋକସଭା ଆସନ ଲଢେଇରେ ଏକ ବଡ଼ ଫରକ ପକାଇବେ। ଆଉ ଏଥିରୁ ସବୁ ଭୋଟ ନହେଲେ ବି ଅଧିକାଂଶ ଭୋଟ ଯଦି ମନ୍ମଥ ରାଉତରାୟଙ୍କ ସପକ୍ଷରେ ଆସେ ତେବେ ଏହା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟର ପଥରୋଧ କରିବା ଅସମ୍ଭବ ନୁହେଁ।ତେବେ ଜଟଣୀ ଓ ବେଗୁନିଆ ବିଧାନସଭା କ୍ଷେତ୍ରର ଏହି ଭୋଟ ଗୁଡିକ ଭୁବନେଶ୍ୱର ଲୋକସଭା ଆସନରେ କେତେ ଫରକ ପକାଉଛି ତାହା କେବଳ ସମୟ କହିବ।