ଚଉଠୀ ରାତିରେ ସିନ୍ଦୂର ପୋଛି ଧାଇଁଲା କନ୍ୟା…

ସରିଲା ବାହାଘର,ହେଲେ ଚଉଠି ରାତିରେ ବର ଏମିତି କଲା ଯେ କନ୍ୟା ମଥାରୁ ସିନ୍ଦୂର ପୋଛି ବାପ ଘରକୁ ମାରିଲା ଡିଆଁ। କାନ୍ଦି କାନ୍ଦି ବାପା ମାଆଙ୍କୁ ଜଣାଇଲା କନ୍ୟା। ବାହାଘର ଦିନ ମଦ ପିଇ ବସିଥିଲା ବେଦିରେ ବର। ପୁଣି ଚଉଠି ରାତିରେ ମଦ ପିଇ ମୋତେ ପିଟିଲା। ମୁଁ ଏଇ ମଣିଷଟା ସହିତ ରହି ପାରିବିନି। ମୋତେ ଏଠାରୁ ନେଇଯାଅ। ଆଉ ତାପରେ ଝିଅ ଆଣିଥିବା ଦାମୀ ଯୌତୁକ ଏବେ ବାପଘର ଲୋକେ ଫେରାଇ ନେଉଛନ୍ତି। ଆଉ କନ୍ୟା ମଧ୍ୟ ଚାଲି ଗଲାଣି।

ତେବେ ଏ ଦୃଶ୍ୟକୁ ଦେଖନ୍ତୁ। ବାହାଘର ଚାଲିଥିଲା। ବେଦି ଉପରେ କନ୍ୟା କାନ୍ଦୁଥିଲା ଆଉ ମୁହଁ ଫୁଲାଇ ବସିଥିଲା। କିନ୍ତୁ ବର ଖୁସି ଥିଲା। ଆଉ କୁଆଡ଼େ ଏଇ ସମୟରେ ବର ମଦ ପିଇଥିଲା। ହେଲେ ବାହାଘର ସରିଗଲା କିନ୍ତୁ ଚଉଠି ରାତିରେ ପୁଣି ମଦ ପିଇ କନ୍ୟାକୁ ପିଟିଥିଲା ବର। ଆଉ ଯେଉଁଥି ପାଇଁ ଆଜି ପୋଲିସ୍ ଆଗରେ ସବୁ ଜିନିଷପତ୍ର ନିଆ ଯାଉଛି। ଆଉ କନ୍ୟା ମଧ୍ୟ ଚାଲି ଗଲାଣି। ଏପଟେ ବର ଘର ଲୋକେ କହୁଛନ୍ତି ଝିଅ ଆଉ କାହାକୁ ଗୋଟେ ପ୍ରେମ କରୁଛି।

ସେଥିପାଇଁ ପୁଅ ନାଁରେ ଏମିତି ମିଛ କହି ଚଉଠି ରାତିରେ ମଥାରୁ ସିନ୍ଦୂର ପୋଛି ଚାଲିଗଲା। ବର କନ୍ୟାର ବାହାଘର ସରିଥିଲା। ଆଉ ଏବେ କନ୍ୟା ଚଉଠି ରାତିରେ ବାପଘରକୁ ଚାଲିଗଲା ପରେ ବରଘର ପକ୍ଷ ଆଉ କନ୍ୟାଘର ପକ୍ଷ ଲୋକେ ଦୋଷ ଫିଙ୍ଗାଫିଙ୍ଗି ହେଉଛନ୍ତି। ହେଲେ ସତ କଣ ତାହା ଜଣା ପଡୁନି। ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଆଁ ଗାଁରେ। ଚତୁର୍ଥୀ ରାତିରେ ନବ ବିବାହିତା ଝିଅ ବାପଘରକୁ ଚାଲିଯିବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସାତ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଦୁଇ ନବ ଦମ୍ପତ୍ତି। ଅନୁଗୁଳ ଜିଲ୍ଲା କୁମଣ୍ଡ ଅଞ୍ଚଳର ଜଣେ ଝିଅକୁ ବିବାହ କରିଥିଲେ ପରଜଙ୍ଗ କନ୍ଦରସିଆଁ ଅଞ୍ଚଳର ଜଣେ ଯୁବକ। ପବିତ୍ର ଚତୁର୍ଥୀ ଦିନରେ ଝିଅ ପରିବାର ଲୋକଙ୍କ ସହିତ ବାପଘରକୁ ଚାଲିଗଲା।

କନ୍ୟାଘର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଅ ମଦ ପିଇ ଝିଅକୁ ମାଡ଼ ମାରିଥିଲା। ଯାହାକୁ ନେଇ ସେ ତାଙ୍କ ଝିଅକୁ ଘରକୁ ଫେରାଇ ନେଇଛନ୍ତି। ତେବେ ଏକଥାକୁ ନେଇ ଖଣ୍ଡନ କରିଛନ୍ତି ବରଘର ଲୋକେ। ତାଙ୍କ କହିବା ଅନୁଯାୟୀ ଝିଅର ଅନ୍ୟତ୍ର ସମ୍ପର୍କ ରହିଛି। ଝିଅ ନାଟକ କରି ଏପରି କରୁଛି। ପୂର୍ବରୁ ମଧ୍ୟ ଝିଅ ପୁଅକୁ ବିବାହ କରିବାକୁ ମନା କରିଥିଲା। ଆଉ ଆଜି ବାହାଘର ସରିବା ପରେ ଚତୁର୍ଥୀ ରାତିରୁ ଏଭଳି ଚାଲିଗଲା। ତେବେ କିଏ କହୁଛି ଠିକ୍ ଆଉ କିଏ କହୁଛି ଭୁଲ୍। ଏହାକୁ ନେଇ ମାମଲା ପରଜଙ୍ଗ ଥାନାକୁ ଯାଇଥିଲା।

ସେଠାରେ ଉଭୟପକ୍ଷଙ୍କ ଉପସ୍ଥିତି ସହିତ ସ୍ଥାନୀୟ ସରପଞ୍ଚ ଏବଂ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ଘଟଣାଟିର ସମାଧାନ ହୋଇଥିଲା। କନ୍ୟା ଘର ଲୋକମାନେ ଝିଅକୁ ଫେରାଇ ନେବା ସହିତ ବିବାହ ବେଳେ ଦେଇଥିବା ଝିଅକୁ ସମସ୍ତ ଘର କରଣା ସାମଗ୍ରୀ ମଧ୍ୟ ଫେରାଇ ନେଇଥିଲେ। ହେଲେ ଆଜି ବି ସେଇ ବାଉଁଶର ଟେଣ୍ଡ୍ ବନ୍ଧା ହୋଇଛି। ବେଦିରେ ଝୁଲୁଛି ବାହାଘରର ପବିତ୍ର କଳସ। କାନ୍ଥରେ ସଜ୍ଜିତ ହୋଇ ରହିଛି ବର କନ୍ୟାର ନାମ। ଏବେ ସବୁକିଛି ଓଲୋଟ ପାଲୋଟ ହୋଇଗଲା। ଚଉଠି ରାତିରୁ ମଥାରୁ ସିନ୍ଦୂର ପୋଛି ଚାଲିଗଲା କନ୍ୟା।

Leave a Reply

Your email address will not be published. Required fields are marked *