ଅନ୍ତିମ ଦର୍ଶନ ପାଇଁ ଆସିଲେନି ବର୍ଷା ପ୍ରିୟଦର୍ଶିନୀ । ପଞ୍ଚଭୂତରେ ଲୀନ ହେଲେ ଅନୁଭବଙ୍କ ବାପା ।
ଆସିଛି ଏକ ବଡ଼ ଦୁଃଖ ଖବର । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ଅନୁଭବଙ୍କ ବାପା ଖରାପ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଅନୁଭବ ବହୁ ସମୟରେ ସୁଦୂର ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ଧାଇଁ ଆସୁଥିଲେ । ତେବେ ସବୁ ପ୍ରୟାସର ଅନ୍ତ ଘଟିଛି । ଶେଷରେ ସମସ୍ତଙ୍କୁ ଛାଡ଼ି ବାପା ଆରପାରିକୁ ଚାଲିଯାଇଛନ୍ତି । ବାପାଙ୍କ ବିୟୋଗରେ ଅନୁଭବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ଅନୁଭବ ଜୀବନରେ ଯଦି କାହାକୁ ସବୁଠାରୁ ବେଶି ଭଲ ପାଆନ୍ତି ସେ ହେଉଛନ୍ତି ତାଙ୍କର ବାପା । ବାପାଙ୍କ ଦୀର୍ଘାୟୁ କାମନା କରି ଅନେକ ସମୟରେ ଅନୁଭବ ମିଡ଼ିଆ ଆଗରେ ମଧ୍ୟ କହିଥିଲେ ।
ଜୀବନରେ କେହି କେବେ ବି ସେମାନଙ୍କର ବାପା-ମାଆଙ୍କୁ ଅବହେଳା କରିବା ଅନୁଚିତ ବୋଲି ଅନୁଭବ ଅନେକ ସମୟରେ ନିଜର ପ୍ରଶଂସକଙ୍କୁ ପରାମର୍ଶ ଦେଇଥାନ୍ତି । ତେବେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ତାଙ୍କ ବାପାଙ୍କର ଅସ୍ତ୍ରୋପଚାର ଗତ ଜାନୁଆରୀ ମାସରେ ହୋଇଥିଲେ । ବାପାଙ୍କର ସଫଳ ଅସ୍ତ୍ରୋପଚାର ଅନୁଭବଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି ସେ କହିଥିଲେ । ଗୋଟାଏ ପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଆଇନ ଅଦାଲତର ଲଢ଼େଇ ଆଉ ଅନ୍ୟପଟେ ଅସୁସ୍ଥ ବାପାଙ୍କ ଚିକିତ୍ସା ଏସବୁ ଭିତରେ ଭି ନିଜ ବାପାଙ୍କୁ ଭଲ କରିବା ପାଇଁ ପ୍ରାଣପଣେ ଲାଗି ପଡ଼ିଥିଲେ ଅନୁଭବ ।
ଏଇ ନିକଟରେ ଦୀର୍ଘ ବର୍ଷର ଆଇନ୍ ଲଢେ଼ଇରେ ଅନୁଭବ ବିଜୟୀ ମଧ୍ୟ ହୋଇଥିଲେ ଆଜ୍ଞା ହଁ ଦୀର୍ଘବର୍ଷ ଧରି ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରାଧୀନ ରହିଥିଲା । ଶେଷରେ ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁଭତି ପ୍ରଦାନ କରିଥିଲେ । ଏତେ ଦୁଃଖ ଭିତରେ ଟିକିଏ ସୁଖ ଆସୁ ଆସୁ ବାପା ତାଙ୍କର ହାତ ଛାଡ଼ି ସବୁଦିନ ପାଇଁ ଚାଲିଗଲେ । ରୋଗଗ୍ରସ୍ତ ଶରୀର ସାଙ୍ଗକୁ ପୁଅର ଦୁଃଖ ଦେଖି ଜଣେ ବାପାର ମାନସିକ ଯନ୍ତ୍ରଣା ଯେ କେତେ ହେଉଥିବ ସେକଥା କେବଳ ଆଉଜଣେ ବାପା ହିଁ ଅନୁଭବ କରିପାରିବେ ।
ତେବେ ଏସବୁ ଭିତରେ ବଡ଼ କଥା ହେଉଛି ଯେ ସେ ନିଜ ପୁଅ ଅନୁଭବଙ୍କ ଖୁସି ଟିକିଏ ଦେଖିବା ପାଇଁ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ତେବେ ଇତି ମଧ୍ୟରେ ସମସ୍ତେ ଆଶା କରୁଥିଲେ ଯେ ବର୍ଷା ପ୍ରିୟଦର୍ଶିନୀ ହୁଏତ ଏକଥା ଶୁଣି ଦେଖିବାକୁ ଧାଇଁ ଆସିବେ । ବୋହୂ ହିସାବରେ ନହେଲେ ନାଇଁ ଅନ୍ତତଃ ଜଣେ ଗୁରୁଜନଙ୍କ ଦେହାନ୍ତ ଖବର ପାଇ ଶେଷ ଦର୍ଶନ କରିବାକୁ ବର୍ଷା ଦୌଡ଼ି ଆସିବେ । ମନ ଭିତରେ ସମସ୍ତେ ହୁଏତ ତାଙ୍କୁ ଅପେକ୍ଷା ମଧ୍ୟ କରିଥିଲେ । ହେଲେ ସମସ୍ତଙ୍କ ଭାବନା କିନ୍ତୁ ଭୁଲ୍ ପ୍ରମାଣିତ ହେଲା । ଆଉ ଅନୁଭବଙ୍କ ବାପାଙ୍କ ମର ଶରୀର ପଞ୍ଚଭୂତରେ ବିଲୀନ ହୋଇଗଲା ସିନା ହେଲେ ବର୍ଷା କିନ୍ତୁ ଆସିଲେନି ।