ସମାଚାରସ୍ପେଶାଲ ରିପୋର୍ଟ

ନାଁ ଧରି ଡାକିଦେଲେ ପାଖକୁ ଦୌଡ଼ି ଆସୁଛି…ସୁଆଦିଆ ଖାଦ୍ୟ ଖାଉଛି, ଫ୍ୟାନ ତଳେ ଶୋଉଛି।

ମଣିଷଙ୍କ ସହ ଘର ଭିତରେ ରହୁଛି। ଭାତ ତରକାରୀ ସହ କୁରୁକୁରି ବି ଖାଉଛି। ସୁଆଦିଆ ଖାଦ୍ୟ ନହେଲେ ମୁହଁ ମାରୁନି। ଫ୍ୟାନ ନଚାଲିଲେ ତା’କୁ ନିଦ ହେଉନାହିଁ।ଆଜ୍ଞା ହଁ ବନ୍ଧୁଗଣ ଏଇ କୁକୁଡାର ଫୋଟଟିକୁ ଟିକେ ଦେଖନ୍ତୁ କୁକୁଡ଼ା ଜନ୍ମ ସିନା ପାଇଛି ମଣିଷଙ୍କ ପାଖରେ ରହି ରହି ସବୁ ଅଭ୍ୟାସ ଆପଣେଇଛି। ମଣିଷଙ୍କ ଭଳି ପୁରା ଆଡ଼ମ୍ବର ବଞ୍ଚୁଛି। ସାଧାରଣତଃ ଘରେ କୁକୁଡ଼ା ପାଳିଲେ ଲୋକେ ସେମାନଙ୍କୁ ଭାଡ଼ି କରି ରଖିଥାନ୍ତି। ହେଲେ ଇଏ କିନ୍ତୁ ଏମିତି ସେମିତି କୁକୁଡ଼ା ନୁହେଁ ୟା ନାଁ ହେଉଛି ନାଲୁ। ଦେଖିବାକୁ ଯେମିତି ଡୌଲ ଡାଉଲ କାମରେ ବି ସେମିତି ଚାଲୁ। ଏଇ ଫୋଟଟିକୁ ଦେଖନ୍ତୁ କୁକୁଡାଟି କେମିତି ମାଲିକାଣି କୋଳରେ ଗେଲ୍ହ ହେଉଛି।

ହଁ ଆଜ୍ଞା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଘୁଷୁରୀ ପଞ୍ଚାୟତ ସୂର୍ଯ୍ୟପୁର ନଘରିଆ ଗାଁର ସ୍ୱର୍ଣ୍ଣଲତା ବାରିକଙ୍କ ଘରେ ରହିଛି ଏହି କୁକୁଡାଟି। ସାଧାରଣତଃ କୁକୁଡ଼ା ପାଳନ କରୁଥିବା ଲୋକେ ତାକୁ ମାରି ମାଂସ ଖାଇଥାନ୍ତି କିମ୍ବା ବିକ୍ରି କରି ଦେଇଥାନ୍ତି। ହେଲେ ଏହି କୁକୁଡାଟି କଥା କିନ୍ତୁ ପୁରା ଅଲଗା। ଭାରି ଗେଲ୍ହ ବସରରେ ବଢିଛି। ନାଲୁ ବୋଲି ଡାକିଦେଲେ ପାଖକୁ ଦୌଡ଼ି ଆସୁଛି। ମାଲିକାଣିଙ୍କ ହାତରୁ ଖାଇବା ଜିନିଷକୁ ଖୁଣ୍ଟି ଖୁଣ୍ଟି ଖାଉଛି।

ନାଲୁ ଏବେ ସ୍ୱର୍ଣ୍ଣଲତାଙ୍କ ପରିବାରର ଜଣେ ସଦସ୍ୟ ପାଲଟି ଯାଇଛି। କୁକୁଡ଼ା ଭାଡ଼ିରେ ନୁହେଁ ବରଂ ମଣିଷଙ୍କ ପରି ଘର ଭିତରେ ରହୁଛି। ଭାତ ଡାଲି ତରକାରୀ ସହ ସବୁ ଖାଦ୍ୟ ଖାଉଛି। ସୁଆଦିଆ ଖାଦ୍ୟ ନହେଲେ ନାଲୁ କୁଆଡେ ଖାଇବାରେ ମୁହଁ ମାରେନାହିଁ। ସେଥିରେ ପୁଣି ସବୁଦିନ କୁରୁକୁରି ଖାଇବା ତା’ର ଅଭ୍ୟାସରେ ପଡିଯାଇଛି। ଟିକେ ଗରମ ହେଲେ ନାଲୁର ଫ୍ୟାନ ଲଡା ପଡୁଛି।

ଘରେ ଅନ୍ୟ ସଦୟଙ୍କ ସହିତ ସେ ସପ ଚଟେଇରେ ଶୋଉଛି। ଏହି ନାଲୁର କୁଆଡେ ଆଉ ଗୋଟେ ଭାଇଥିଲା ହେଲେ ସେ ସମସ୍ତଙ୍କୁ ଗୋଡେଇ ଗୋଡେଇ କାମୁଡ଼ିଲା ବୋଲି ତାକୁ ଘର ଲୋକ ବିକ୍ରି କରିଦେଲେ। ନାଲୁ କିନ୍ତୁ ଭାରି ଶାନ୍ତ। ତେଣୁ ସମସ୍ତଙ୍କ ସ୍ନେହ ଆଦର ପାଇ ସେ ଭାରି ଗେଲ୍ହାରେ ବଢିଛି। ଏବେ ମାଲିକାଣିଙ୍କ ମନ ଦୁଃଖ ଯେ ନାଲୁ କୁଆଡେ ବାର୍ଦ୍ଧକ୍ୟରେ ପହଂଚିଲାଣି। ତାକୁ ୯ ରୁ ୧୦ ବର୍ଷ ବୟସ ହେଲାଣି। ଆଉ ବେସି ଜୋରରେ ଚାଲି ପାରୁନି। କାଳେ ସିଆଳ କୁକୁର ମାଡି ବସିବେ ସେଥିପାଇଁ ନାଲୁକୁ ଗୋଡେ ଗୋଡେ ଜଗିଛନ୍ତି ତାକୁ ନିଜ ନାତି ନାତୁଣୀଙ୍କ ପରି ଅତି ଯତ୍ନରେ ବଢ଼ାଇଥିବା ସ୍ୱର୍ଣ୍ଣଲତା।

ନାଲୁକୁ ଖାଲି ତା’ର ମାଲିକାଣି ସ୍ୱର୍ଣ୍ଣଲତା ଯେ ଭଲପାଆନ୍ତି ସେ କଥା ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ପୋଡ଼ସି ମାନେ ବି ନାଲୁକୁ ଭାରି ଭଲ ପାଆନ୍ତି ଆଦର କରନ୍ତି। ଛୋଟ ପିଲାମାନେ ବି ନାଲୁ ସହ ଖେଳା ବୁଲା କରନ୍ତି। କାରଣ ନାଲୁ କେବେ କାହାକୁ ଆକ୍ରମଣ କରେ ନାହିଁ। ୧୦ ବର୍ଷ ହେବ ସମସ୍ତଙ୍କ ସହିତ ରହି ରହି ନାଲୁ ବି ସବୁ ପୋଡ଼ଶୀ ମାନଙ୍କୁ ଚିନ୍ହି ଗଲାଣି। ଯେଉଁଠି ଥିଲେ ବି ଡାକ ମାରିଲେ ପାଖକୁ ଚାଲି ଆସେ। ଆଉ ହାତରୁ ନେଇ ଖାଇବା ଜିନିଷ ଖାଇଦିଏ।ତେବେ ଯେଉଁଠି ଜିଭ ଲାଳସା ପାଇଁ ମଣିଷମାନେ ନିରୀହ ପ୍ରାଣୀକୁ ମାରି ଖାଉଛନ୍ତି ସେଠି କୁକୁଡାଟିକୁ ସର୍ବଦା ନିଜ ପିଲାଙ୍କ ଭଳି ପାଳିବା ସମସ୍ତଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *