ଗଣିତ କହୁଛି କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ହରାଇବେ ଅଂଶୁମାନ
କେନ୍ଦ୍ରାପଡାରେ ହେବ ଜୋରଦାର୍ ଫାଇଟ୍। ବୈଜୟନ୍ତଙ୍କୁ ଅଂଶୁମାନ ଦେବେ କଡ଼ା ଟକ୍କର। ଗଣିତ କହୁଛି ବୈଜୟନ୍ତଙ୍କୁ ହରାଇବେ ଅଂଶୁମାନ। ହଁ ଦର୍ଶକ ବନ୍ଧୁ କେନ୍ଦ୍ରାପଡା ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ବିଧାନସଭା ଆସନ ଗୁଡ଼ିକର ନିର୍ବାଚନୀ ଫଳାଫଳ ରାଜ୍ୟ ରାଜନୀତିକୁ ସବୁବେଳେ ପ୍ରଭାବିତ କରି ଆସିଛି। ଆଉ ଏଥର ମଧ୍ଯ କେନ୍ଦ୍ରାପଡା ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଗୋଟିଏ ସାଂସଦୀୟ କ୍ଷେତ୍ର ବିଶିଷ୍ଟ କେନ୍ଦ୍ରାପଡାରେ ଜୋରଦାର୍ ଲଢ଼େଇ ହେବ ବୋଲି କୁହା ଯାଉଛି।
ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଭାରତୀୟ ଲୋକଦଳ ପକ୍ଷରୁ ୧୯୭୭ରେ ଏହି ଆସନରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ ଲଗାତର ଭାବେ ଏ ପର୍ଯ୍ୟନ୍ତ ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳର କବ୍ଜାରେ ରହି ଆସିଛି କେନ୍ଦ୍ରାପଡା ଲୋକସଭା ଆସନ। ଏପରିକି ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡ଼ି ଟିକେଟରେ ୨୦୦୯ ଏବଂ ୨୦୧୪ରେ ଲଗାତାର ଦୁଇ ଥର କେନ୍ଦ୍ରାପଡା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଅର୍ଥାତ୍ ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ବିଜେଡ଼ିର ଦବଦବା ରହି ଆସିଛି। ଆଉ ୨୦୨୪ ନିର୍ବାଚନରେ ମଧ୍ୟ ଏହି ଆସନ ବିଜେଡ଼ି କବ୍ଜାରେ ରହିବ।
ଏବଂ ଦଳପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଥିବା ଅଂଶୁମାନ ମହାନ୍ତି ବିଜୟୀ ହେବେ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଲେଣି। ବିଜେପି ନିଜ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରୁ ରିପିଟ୍ କରିଥିବା ବେଳେ ଏଥର ମଧ୍ଯ ସେ ପରାଜୟର ମୁଖ ଦେଖି ପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ଏହି ଆକଳନ କିମ୍ବା ବିଶ୍ଳେଷଣ ପୁରୁଣା ରେକର୍ଡ଼ ଆଧାରରେ କରାଯାଉନି। କାରଣ ପୂର୍ବ ଅପେକ୍ଷା ରାଜ୍ୟରେ ବିଜେପିର ପ୍ରଭାବ ଆଉ ଭୋଟ୍ ନିଶ୍ଚିତ ଭାବେ ବୃଦ୍ଧି ପାଇଛି।
ହେଲେ ତଥାପି ସଂଖ୍ୟା ଗଣିତ କହୁଛି ଏଥର କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ହରାଇ ପାରନ୍ତି ଅଂଶୁମାନ। ଆଉ ଏହାର ଏକ ବଡ଼ କାରଣ ବୋଲି କୁହା ଯାଉଛି ତାହା ହେଉଛି ଗଣେଶ୍ୱର ବେହେରାଙ୍କ ଭଳି ଟାଣୁଆ କଂଗେସ ନେତା ବିଜେଡ଼ିରେ ମିଶିବା। କାରଣ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ଯଦି ଦେଖା ଯାଏ ତାହାଲେ ବୁଝା ପଡ଼ିବ ଯେ ଗଣେଶ୍ୱରଙ୍କ ବିଜେଡ଼ିରେ ଯୋଗଦାନ କେନ୍ଦ୍ରାପଡ଼ା ନିର୍ବାଚନ ଫଳାଫଳକୁ କିଭଳି ପ୍ରଭାବିତ କରିବ।
୨୦୧୯ରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଗଣେଶ୍ୱର ବେହେରାଙ୍କୁ ମିଳିଥିଲା ୫୯,୫୪୭ ଭୋଟ୍। ଯଦିଓ ସେ ବିଜେଡ଼ି ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ଠାରୁ ପରାସ୍ତ ହୋଇଥିଲେ ତଥାପି ବ୍ୟବଧାନ ବିଶେଷ ଅଧିକ ନଥିଲା। କିନ୍ତୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିଥିଲା ମାତ୍ର ୨୩,୯୩୯ ଭୋଟ୍। ଅର୍ଥାତ୍ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱରଙ୍କ ତୁଳନାରେ ପାଖାପାଖି ୩୬,୦୦୦ କମ୍ ଭୋଟ୍ ପାଇଥିଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର। ଏଥିରେ ମିଶିଗଲେ ବିଜେଡ଼ି ପ୍ରାର୍ଥୀ ଅଂଶୁମାନ ୨୦୧୯ ତୁଳନାରେ ଆହୁରି ଅଧିକ ଭୋଟରେ ବିଜୟୀ ହେବେ ବୋଲି ଆକଳନ କରାଯାଉଛି ।