ଆଉ କିଛି ସମୟ ପରେ ପୁଣି ହେଇଯିବ ଅନ୍ଧାର, ବାହାରନ୍ତୁନି ଘରୁ

ଏତିକି ନୁହେଁ,ଆହୁରି ପ୍ରବଳରୁ ଅତି ପ୍ରବଳ ଛେଚିବ ବର୍ଷା। ଗର୍ଜୁଛି ଆକାଶ,ଛେଚୁଛି ବାଦଲ ଫଟା ବର୍ଷା। କାଳ ବୈଶାଖୀର ପ୍ରଭାବ ରାଜ୍ୟରେ ଲାଗି ରହିଥିବା ବେଳେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପବନର ବେଗ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଇଲାଣି। ସକାଳ ୬ଟାରୁ ୬.୩୦ରେ ବର୍ଷାର ପରିମାଣ ଏତେ ଅଧିକ ରହିଥିଲା ଯେ ଘରୁ ଲୋକେ ବାହାରକୁ ବାହାରିବା ପାଇଁ ସାହାସ କରି ନଥିଲେ। ଜୋରଦାର୍ ବର୍ଷା ଛେଚିବା ସାଙ୍ଗକୁ ଚାରିଆଡ଼େ କିଟମିଟ୍ ଅନ୍ଧାର ହୋଇ ଯାଇଥିଲା। ଆକାଶରୁ ବିଜୁଳି,ଘଡ଼ଘଡ଼ି ଛିଡ଼ି ପଡ଼ୁଥିବା ବେଳେ ପବନର ବେଗ ମଧ୍ୟ ବହୁତ୍ ଅଧିକ ଥିଲା।

ତଥାପି କମିନି ବର୍ଷାର ପରିମାଣ। ଆଗକୁ ଆହୁରି ଅଧିକ ହେବ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସେଥିପାଇଁ ଆଠ ଜିଲ୍ଲାକୁ ସତର୍କ ସୂଚନା ଜାରି କରା ଯାଇଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। କେଉଁଠି ଝିପିଝିପି ତ କେଉଁଠି ମଧ୍ୟମ ଧରଣର ବର୍ଷା ହେଉଛି। ଆଉ କିଛିକିଛି ସ୍ଥାନରେ ନିର୍ଦ୍ଧୁମ ଛେଚୁଛି ବର୍ଷା। ସେହିପରି ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ବିଜୁଳି,ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ହେଉଛି।

କିଛିଦିନ ହେଲା ଖରା ହେଉଥିବା ବେଳେ ଖରାକୁ ଠେଲି ବର୍ଷା ପଶି ଆସିଛି। ଆଉ ରାଜ୍ୟରେ ଲାଗି ରହିଛି ତମାମ ବର୍ଷା। ତାପମାତ୍ରା ଏତେ ଖସିଛି ଯେ ବାତାବରଣ ପୁରା ଥଣ୍ଡା ହୋଇ ଯାଇଛି। କାଳ ବୈଶାଖୀର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଦିନ ତମାମ ଏହିଭଳି ସ୍ଥିତି ଲାଗି ରହି ପାରେ। ଯାହାକୁ ନେଇ ଲୋକମାନଙ୍କୁ ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି କରା ଯାଇଛି। ଆଜି ଦିନ ବେଳା ଓଡ଼ିଶାର କେତେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୭୦ରୁ ୧୧୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ମାରିବ। ଆଜି ଭାରି ବର୍ଷା ଓ ବଜ୍ରପାତର ଆଶଙ୍କା ନେଇ ଆଠ ଜିଲ୍ଲାକୁ ଓରେଞ୍ଜ୍ ୱାର୍ନିଂ ଜାରି କରା ଯାଇଛି। କୋରାପୁଟ, ମାଲକାନଗିରି,ରାୟଗଡ଼ା,କନ୍ଧମାଳ,ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଲୋକମାନେ ଦୟାକରି ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *