ଇଟା ଭାଟି ମାଲିକ ପାଖରେ ବନ୍ଧା ପଡି ବାପାକୁ ମୁକୁଳାଇଲା ଝିଅ….ଆଉ ଏବେ ଝିଅକୁ ଝୁରି ଝୁରି ଚାଲିଗଲା ବାପା।

ରୋଗିଣା ବାପାଙ୍କୁ ଇଟା ଭାଟି ମାଲିକ ପାଖକୁ ଯାଇ ନିଜେ ବନ୍ଧା ପଡିଥିଲା ୧୨ ବର୍ଷର ଝିଅ। ଆଉ ବାପା ମା’ ଭଉଣୀକୁ ଘରକୁ ପଠାଇ ଦେଇଥିଲା। ହେଲେ ସେ ଜାଣିନଥିଲା ଦାଦନ ସର୍ଦାର ତାକୁ ଆଉ ଘରକୁ ଛାଡିବନି ବୋଲି। ଆଉ ଏପଟେ ତା ଫେରିବା ବାଟକୁ ଚାହିଁ ଚାହିଁ ତା ରୋଗୀଣା ବାପା ଜଣଙ୍କ ଆଖି ବୁଜି ଦେବେ ବୋଲି।

ଦାଦନ ଦୁଃଖର ଏଭଳି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ଏକ ଗରିବ ପରିବାର ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼। ହଁ ଆଜ୍ଞା ବନ୍ଧୁଗଣ ବେଲପଡା ବ୍ଲକ ସୁଲେକେଲା ଗାଁର କାଂହୁ ମଲ୍ଲିକ। ପରିବାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଝିଅ। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ପୁଣି ଦୃଷ୍ଟି ବାଧିତ। ଗାଁରେ କାମ ଦାମ ମିଳିଲାନି ବୋଲି ପରିବାର ଚଳାଇବା କଷ୍ଟକର ହୋଇପଡିଲା। ତେଣୁ ଘରୁ ଗୋଡ଼ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ କାଂହୁ। ଦୂରେଇକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ ସମାରୁ ନାୟକର କଥାରେ ପଡି କାଂହୁ ଓ ତାଙ୍କ ପୁରା। ପରିବାର ତେଲେଙ୍ଗାନା ପଳେଇଯାଇଥିଲେ।

ସେଠାରେ ସାତନଗର ଅଞ୍ଚଳରେ ଥିବା ଇଟା ଭାଟିର ମାଲିକ ଶଙ୍କର ନାୟକଙ୍କ ପାଖରେ କାଂହୁ ତାଙ୍କ ପରିବାରକୁ ଛାଡି ପଳାଇ ଆସିଥିଲା ସମାରୁ। କାମ କଲେ ଅଧିକ ମଜୁରୀ ମିଳିବ ବୋଲି କଥା ହୋଇଥିଲା। ହେଲେ ସେଠାରେ କିଛି ଦିନ କାମ କରିବା ପରେ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା। ଦିନ ରାତି କାମ କରିବା ପାଇଁ କୁହାଯାଇଥିଲା। କିଛି ଉପାୟ ନପାଇ କାଂହୁ ତାଙ୍କ ଲକ୍ଷ୍ମୀପ୍ରିୟା ଓ ତାଙ୍କ ଦୁଇ ଝିଅ କାମ କରିଥିଲେ। ହେଲେ ଦାଦନ ସର୍ଦାର ଶଙ୍କର ବିନା କାରଣରେ କାଂହୁଙ୍କୁ ମାଡ଼ ମାରୁଥିଲା। ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରତିବାଦ କଲେ ମଧ୍ୟ ଶଙ୍କର କିଛି ଶୁଣୁ ନଥିଲା। ଏଭଳି ଅକଥନୀୟ ନିର୍ଯ୍ୟାତନା ଫଳରେ ଅସୁସ୍ଥ ହୋଇପଡିଥିଲେ କାଂହୁ। ଚିକିତ୍ସା କରାନଯିବାରୁ କାଂହୁଙ୍କର ଅବସ୍ଥା ଆହୁରି ବିଗିଡିବାରେ ଲାଗିଲା। ସ୍ବାମୀଙ୍କ ଏଭଳି ଅବସ୍ଥା ଦେଖି ଘରକୁ ଯିବା ପାଇଁ ଦାଦନ ସର୍ଦାର ଶଙ୍କର ପାଖରେ ଗୁହାରି କରିଥିଲେ ଲକ୍ଷ୍ମୀ। ଅନେକ ନେହୁରା ହେବା ପରେ ଛାଡିବା ପାଇଁ ରାଜି ହୋଇଥିଲା ଶଙ୍କର।

ହେଲେ କେବଳ କାଂହୁଙ୍କ ସହ ପତ୍ନୀ ଲକ୍ଷ୍ମୀପ୍ରିୟା ସହ ଦିବ୍ୟଙ୍ଗ ଝିଅକୁ ଯିବା ପାଇଁ ଛାଡିଥିଲା। ଆଉ ୧୨ ବର୍ଷର ଝିଅକୁ ଅଟକାଇ ଦେଇଥିଲା। କାମ କରିଥିବା ମଜୁରୀ ତ ଦେଲାନି ଓଲଟା ଝିଅକୁ ଅଟକାଇ ଟଙ୍କା ଦାବି କରିଥିଲା ଦାଦନ ସର୍ଦାର। ହେଲେ ଝିଅକୁ ମୁକଳାଇବାକୁ କାଂହୁଙ୍କ ପାଖରେ ଟଙ୍କା ନଥିଲା। ଫଳରେ ଘରର ବୋଝ ହାଲକା କରିବା ପାଇଁ ବାପା ମା’ଙ୍କ ସହିତ ଦାଦନ ଖଟିବାକୁ ଯାଇଥିଲା ୧୨ ବର୍ଷର ଝିଅଟି ଇଟା ଭାଟି ମାଲିକ ଶଙ୍କରର ଚକ୍ର ବିହରେ ଫସିଯାଇଥିଲା। ଆଉ ପରିସ୍ଥିତି ଏମିତି ହେଲା ରୋଗୀଣା ବାପାଙ୍କ ମୁକ୍ତି ପାଇଁ ଦାଦନ ସର୍ଦାର ପାଖରେ ଛୋଟ ଝିଅଟି ବନ୍ଧା ପଡିଗଲା।

କିଛି ଉପାୟ ନପାଇ ସ୍ତ୍ରୀ ଝିଅକୁ ଛାଡି ସ୍ୱାମୀକୁ ନେଇ ଘରକୁ ଫେରି ଆସିଥିଲା। ମେଡିକାଲରେ ସ୍ବାମୀଙ୍କ ଚିକିତ୍ସା କରାଇଲେ। ହେଲେ ପାଖରେ ସମ୍ବଳ ନଥିବାରୁ ଝିଅକୁ କେମିତି ଫେରାଇ ଆଣିବେ ଚିନ୍ତାରେ ପଡିଗଲେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା। ଆଉ ନିଜର ଯାହା କିଛି ଜମିବାଡ଼ି ଥିଲା ସେସବୁ ବିକି ୫୦ ହଜାର ଟଙ୍କା ଯୋଗାଡ କରିଥିଲେ ଆଉ ସେହି ଟଙ୍କାକୁ ଅନଲାଇନରେ ଦାଦନ ସର୍ଦାର ଶଙ୍କର ପାଖକୁ ପଠାଇ ଦେଇଥିଲେ। ହେଲେ ଏହା ପରେ ବି ଶଙ୍କର ଝିଅକୁ ଛାଡି ନଥିଲା। ବରଂ ଆହୁରି ଅଧିକ ଟଙ୍କା ଦାବି କଲା। ଟଙ୍କା ଦେବା ପରେ ଦାଦନ ସର୍ଦାର ପାଖରୁ ଝିଅ ମୁକୁଳି ପାରୁନାହିଁ ଏକଥା ଶୁଣିବା ପରେ କାଂହୁ ପୁରା ଭାଙ୍ଗି ପଡ଼ିଥିଲେ। ଆଉ ଝିଅକୁ ଝୁରି ଝୁରି ବିଛଣା ଧରିଥିଲେ। ନିଜର ୧୨ ବର୍ଷର ଝିଅର ଫେରିବା ବାଟକୁ ଚାହିଁ ଚାହିଁ ଶେଷରେ ଆଖି ବୁଜି ଦେଇଥିଲେ କାଂହୁ ମଲ୍ଲିକ।

ଏହା ପରେ ଭାଙ୍ଗି ପଡିଛନ୍ତି ପୁରା ପରିବାର। ଗୋଟିଏ ଗରିବ ପରିବାର ପୁରା ଉଜୁଡି ଯାଇଛି। ଆଉ ଏଭଳି ସ୍ଥିତିରେ କାଂହୁଙ୍କ ମୃତ ଦେହ ରଖି ପରିବାର ଲୋକେ ଧାରଣାରେ ବସିବା ସହ ତେଲେଙ୍ଗାନାର ଇଟା ଭାଟି ସର୍ଦାର ପାଖରେ ବନ୍ଧା ପଡିଥିବା ୧୨ ବର୍ଷର ଝିଅକୁ ଉଦ୍ଧାର ପାଇଁ ପ୍ରସାସନ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି। ଆଉ କୁଶଳ ଥାନା ସିପୁନ ଖମାରି ଏହି ଦାବିକୁ ସମର୍ଥନ ଜଣାଇ ତୁରନ୍ତ କାଂହୁଙ୍କ ଝିଅକୁ ଫେରାଇ ଆଣୁ ବୋଲି ଦାବି ରଖିଛନ୍ତି। ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ହେଉଛି ଗାଁରେ କାମ ଅଭାବରୁ ଗୋଟିଏ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି। ହେଲେ ଏ ନେଇ ଶ୍ରମ ବିଭାଗ ପାଖରେ ଖବର କାହିଁକି ନାହିଁ।

Leave a Reply

Your email address will not be published. Required fields are marked *