ଦାନ ହୁଣ୍ଡିରେ ପ୍ରେମିକାର ପ୍ରେମଭରା ଚିଠି । ସମସ୍ତେ ଦେଖି ଭାବବିହ୍ୱଳ ହୋଇଗଲେ ।
ଶୁଭ ମନାସୀ ଲୋକ ମନ୍ଦିର ଯାଆନ୍ତି । ଦାନ-ଧର୍ମକରି ପୂର୍ଣ୍ଣ କରିବାର ଅଭିଳାଷା ରଖନ୍ତି । ଆଉ ଏହି କ୍ରମରେ କିଏ ହୁଣ୍ଡିରେ ଦାନ କରେ, ତ ଆଉ କିଏ ଠାକୁର-ଠାକୁରାଣୀଙ୍କ ନିକଟରେ ମାନସିକ ଚଢ଼ାଏ । ବର୍ତମାନ ସମୟରେ କିନ୍ତୁ ସମ୍ବଲପୁର ସମ୍ବଲେଶ୍ୱରୀ ମନ୍ଦିରରୁ ଆସିଛି ଭିନ୍ନ ଏକ ଚିତ୍ର । ଏହି ହୁଣ୍ଡିରେ ଦାନ ଆକାରରେ ଟଙ୍କା କି ସୁନା ପଡ଼ିନି ବରଂ ଦାନବାକ୍ସକୁ ଆସିଛି, ପ୍ରେମର ଚିଠି । ହୁଣ୍ଡିରୁ ମିଳିଲା ପ୍ରେମର ଚିଠି । ସମଲେଶ୍ୱରୀଙ୍କ ଭରସାରେ ପ୍ରେମିକା । ସବୁଥର ଭଳି ଏଥରର ବି ଚିରାଚରିତ ଢ଼ଙ୍ଗରେ ଖୋଲିଥିଲା, ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ୱରୀ ମନ୍ଦିରର ହୁଣ୍ଡି ।
ହେଲେ ଏଥରର ହୁଣ୍ଡିରୁ ସାମ୍ନାକୁ ଆସିଥିଲା ଏକ ଭିନ୍ନ ଚିତ୍ର । ହୁଣ୍ଡିରୁ ଦାନ ଟଙ୍କା ତ’ ବାହାରିଲା, କିନ୍ତୁ ତା’ ସହିତ ବାହାରିଥିଲା ପ୍ରେମର ଚିଠି । ଏହି ଚିଠିରେ କ’ଣ ଲେଖା ରହିଛି ପ୍ରଥମେ ଦେଖନ୍ତୁ । “ମା’ ମୁଇଁ ବହୁତ୍ ଭରଷାରେ ଚିଠି ଲେଖି କରି ପଠଉଛେ, ମା’ ସୁନିଛେ ତୁଇ ସବକର ମନସ୍କାମନା ପୂରା କର୍ସୁ, ମୋର ବି କରିଦେ ମା’… ତୁଇତ ଜାନିଛୁ ମୁଁ କାହ୍ନା କେ କେତେ ଭଲ ପାଇସି, ମାଁ ମୋର୍ ଉପରେ ଏତ୍କି କୃପା କର୍ ଆମର ବିହା କରିଦେ” ।
ଆଜ୍ଞା ହଁ ବନ୍ଧୁଗଣ ଧଳା ପେପର୍ ଉପରେ ନାଲି ରଙ୍ଗର ପେନ୍ ରେ ଲେଖା ହୋଇଛି ପ୍ରେମଭରା ପତ୍ର । ମାଙ୍କ ଦାନ ହୁଣ୍ଡିରେ ମନର କଥା, ଛାତି ତଳର ବ୍ୟଥା ବେଦନା ଯେମିତି ଉତାରି ଦେଇଛନ୍ତି ପ୍ରେମିକା ଜଣକ । ଭକ୍ତଙ୍କ ଆବେଗ, ବିଶ୍ୱାସ ଓ ଭକ୍ତିର ଦାନ ହୁଣ୍ଡି ଯେତେବେଳେ ମୁକୁଳା କରାଯାଇଥିଲା ବାକ୍ସ ଭିତରୁ ପୁଳା ପୁଳା ଟଙ୍କା ପଇସା ଗଳୁଥିବା ବେଳେ ହାତରେ ପଡ଼ିଥିଲା ହାତ ଲେଖା ଚିଠି । ପ୍ରେମିକା ଜଣକ ତାର ମନର କଥାକୁ କାହା ପାଖରେ ପ୍ରକାଶ କରିପାରିନାହିଁ କି ତାର କାହାରି ଉପରେ ଭରସା ପାଇନି । ସେଥିପାଇଁ ମାଙ୍କ ପାଖରେ ଗୁହାରି ଜଣାଇଛି ।
ଆଉ ବିନା କୌଣସି ସଙ୍କୋଚରେ ବିନା ଦିଧ୍ୱାରେ ମାଙ୍କ ପାଖରେ ନିଜର ଦୁଖ ପ୍ରକାଶ କରିଛି ପ୍ରେମିକା ବର୍ଷା । କାଳେ ମା’ ତା କଥା ଭୁଲଯିବେ ଚୁପକିଣା ଚିଠିଟିଏ ଲେଖି ମା’ଙ୍କ ହୁଣ୍ଡିରେ ପକାଇ ଦେଇ ଆସିଛି । ତେବେ ଦାନ ହୁଣ୍ଡିରୁ ଏଭଳି କିଛି ଅଜବ ଚିଠି ବାହାରିଥିବା ବେଳେ ସବୁଠି ଚର୍ଚ୍ଚା ସୃଷ୍ଟି ହୋଇଛି । ଗତ କିଛି ବର୍ଷ ହେଲା ମା’ ସମଲେଇଙ୍କ ପାଖରେ ଶ୍ରଦ୍ଧାଳୁ କିଛି ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରି କରୁଥିବାର ଚିତ୍ର ସାମ୍ନାକୁ ଆସୁଛି ।