ଅଯୋଧ୍ୟା ରାମ ମନ୍ଦିରରେ ପହଁଚିଲା ବିଶ୍ୱର ବଡ଼ ତାଲା । ଏହି ବଡ଼ ତାଲାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ।

ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ । ଅଯୋଧ୍ୟାରେ ମଧ୍ୟ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ରାମଙ୍କ ଜନ୍ମଭୂମିକୁ ଏପରି ସଜେଇ ଦିଆଯାଇଛି ଯେ, ଲାଗୁଛି ଏହା ହିଁ ସ୍ୱର୍ଗପୁରୀ । ମନ୍ଦିରକୁ ଆକର୍ଷଣୀୟ ଫୁଲ ଏବଂ ଲାଇଟରେ ସୁନ୍ଦର ଭାବେ ସଜାଯାଉଛି । ଫୁଲରେ ଫୁଲରେ ସଜେଇ ହୋଇଛି ନବନିର୍ମିତ ମନ୍ଦିର । କେବଳ ମନ୍ଦିର କାହିଁକି ପୁରା ଅଯୋଧ୍ୟା ନଗରୀକୁ ଫୁଲରେ ସଜାଯାଉଛି ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି ଉପହାର । ପ୍ରଭୁ ରାମଙ୍କୁ ସ୍ୱାଗତ କରିବାକୁ ନିଜ ମନରୁ ସମସ୍ତେ ଦେଇ ଚାଲିଛନ୍ତି ଉପହାର । ଆଉ ଏଭଳି ସ୍ତଳେ ଅଯୋଧ୍ୟା ରାମ ମନ୍ଦିରରେ ପହଁଚିଲା ବିଶ୍ୱର ବଡ଼ ତାଲା । ଆଉ ଏହି ବଡ଼ ତାଲାକୁ ଦେଖି ସମସ୍ତେ ଆଶ୍ଚଯ୍ୟ । ତେବେ ତାଲା ନିର୍ମାଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆଲିଗଡରୁ ପହଞ୍ଚିଛି ବିଶାଳକାୟ ତାଲା । ପ୍ରଭୁ ରାମଙ୍କ ଜଣେ ପରମ ଭକ୍ତ ଜାହାଙ୍କ ନାମ ସତ୍ୟପ୍ରକାଶ ସରର୍ମା ।

ଯିଏକି ଆଲିଗଡ଼ରେ ରୁହନ୍ତି ଆଉ ପ୍ରଭୁ ରାମଙ୍କ ପ୍ରେମରେ ପାଗଳ । ସେ ଜଣେ ତାଲା କାରିଗର ହୋଇଥିବାରୁ ସେ ପ୍ରଭୁଙ୍କ ମନ୍ଦିର ପାଇଁ ଏଭଳି ବିଶାଳ ତାଲା ଉପହାର ଦେଇଛନ୍ତି । ଏହି ତାଲାର ଓଜନ ୪୦୦ କେଜି, ଚାବିର ଓଜନ ପ୍ରାୟ ୩୦ କେଜି । ଏଥି ସହିତ ତାଲାର ଲମ୍ବ ୧୦ ଫୁଟ୍ ଓ ଚାବିର ଲମ୍ବ ୪ ଫୁଟ୍ ରୁ ଉର୍ଦ୍ଧ୍ବ ରହିଛି । ସେ ଏହାକୁ ହାତରେ ତିଆରି କରିଥିବା ବେଳେ ଏହା ବିଶ୍ୱର ବୃହତ୍ତମ ତାଲାଚାବି ବୋଲି ଦାବି କରିଛନ୍ତି । ତେବେ କହି ରଖିବୁ ତାଲା ନିର୍ମାଣ ପାଇଁ ଅଲିଗଡ ସହରର ବେଶ ସୁନାମ ରହିଛି ।

ଏହି ବିରାଟକାୟ ତାଲା ନିର୍ମାଣ କରିବାରେ ସତ୍ୟଙ୍କ ପତ୍ନୀ ସହାୟତା କରିଥିବା ବେଳେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି । ସତ୍ୟପ୍ରକାଶ ଆଜକୁ ଦୀର୍ଘବର୍ଷ ଧରି ତାଲା ନିର୍ମାଣ ବ୍ୟବସାୟରେ ଲିପ୍ତ ଅଛନ୍ତି । ସେପଟେ ଜାନୁଆରୀ ୨୨ ରାମ ମନ୍ଦିର ପ୍ରତିଷ୍ଠାକୁ ପବିତ୍ର ଉତ୍ସବ ଭାବେ ପାଳିବାକୁ ଦେଶବାସୀଙ୍କୁ ନିବେଦନ କରାଯାଇଛି । ବହୁ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି ଏହା ଭାରତୀୟଙ୍କ ପାଇଁ ଗର୍ବ । ତେଣୁ ସେଦିନ ନିଜ ଘରେ ସମସ୍ତେ ଦୀପ ଲଗାଇବା ସହ ଭଜନକୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *