ସମ୍ବଲପୁରରେ ପ୍ରଣବ ପ୍ରକାଶ ଓ ଧର୍ମେନ୍ଦ୍ରଙ୍କ ବାଟ ଓଗାଳିବେ କଂଗ୍ରେସର ଏହି ଟାଣୁଆ ପ୍ରାର୍ଥୀ।
ସମ୍ବଲପୁରରେ ହେବ ଜୋରଦାର ଟକର। ଲଢେଇ ମୈଦାନରେ ଦୁଇ ଦଳର ହେଭିୱେଟ। ମଝିରେ ଏଣ୍ଟ୍ରି ମାରିବେ ତୃତୀୟ ଦଳର ପ୍ରାର୍ଥୀ। ଉଡାଇଦେବେ ବବି ଓ ଧର୍ମେନ୍ଦ୍ରଙ୍କ ହସ।ରାଜ୍ୟରେ ଦୁଇ ପ୍ରମୁଖ ଦଳ ପକ୍ଷରୁ ଅଧିକ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ସମ୍ବଲପୁର ବାqQଲସୀ ଏଥର ଦେଖିବାକୁ ଯାଉଛନ୍ତି ଏକ ବଡ଼ ଲଢେଇ। କାରଣ ସମ୍ବଲପୁର ଲୋକସଭା ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ନିଜ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ( ବବି)ଙ୍କୁ ମୈଦାନକୁ ଓଲ୍ହାଇଛି। ଧର୍ମେନ୍ଦ୍ର ଓ ବବି ଏହି ଦୁଇଜଣ ହେଉଛନ୍ତି ବିଜେପି ଓ ବିଜେଡିର ହେଭିୱେଟ ନେତା। ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଥିବା ବେଳେ ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି।
ସେହିପରି ପ୍ରଣବ ପ୍ରକାଶ ମଧ୍ୟ ବିଜେଡିର ଛାମୁଆ ନେତା ତଥା ନିଜେ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବ୍ୟକ୍ଷକ ଦାୟିତ୍ୱରେ ଥିବାରୁ ତାଙ୍କ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ପ୍ରଣବ ପ୍ରକାଶ(ବବି)ଙ୍କ ପାଇଁ ସବୁଠାରୁ ଚିନ୍ତାର କଥା ହେଉଛି କି ଏବେ ସମ୍ବଲପୁର ଲୋକସଭା ଆସନରେ ବିଜେପିର ପ୍ରତିନିଧିତ୍ୱ ରହିଛି। ବିଜେପି ନେତା ନିତେସ ଗଙ୍ଗଦେଵ ଏବେ ସମ୍ବଲପୁରର ସାଂସଦ ଅଛନ୍ତି। ୨୦୧୯ ନିର୍ବାଚନରେ ଏଠାରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ନିତେସ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ୯ ହଜାର ୧୬୨ ଭୋଟ ବ୍ୟବଧାନରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ନଳିନୀ ପ୍ରଧାନ ୪ ଲକ୍ଷ ୬୪ ହଜାର ୬୦୮ଖଣ୍ଡ ଭୋଟ ପାଇଥିବା ବେଳେ ନିତେସ ଗଙ୍ଗଦେଵଙ୍କ ସପକ୍ଷରେ ପଡିଥିଲା ୪ଲକ୍ଷ ୭୩ ହଜାର ୭୭୦ ଭୋଟ। ତେବେ ବିଜେପି ଏଠାରେ ଜିତିଥିଲେ ମଧ୍ୟ ଭୋଟ ବ୍ୟବଧାନ ଅଧିକ ନଥିବାରୁ ଏହା ବିଜେଡି ପାଇଁ ଆସ୍ୱସ୍ତିର କାରଣ ହୋଇପାରେ। ହେଲେ ଉଭୟ ଦଳର ଦୁଇ ଛାମୁଆ ନେତା କୁହାଯାଉଥିବା ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ଟକର ହେଉଥିଲେ ମଧ୍ୟ ଏହି ଦୁଇ ହେଭିୱେଟଙ୍କ ସାମ୍ନାରେ ରହିଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ସମ୍ବଲପୁର ଲୋକସଭା ଆସନରେ କୁଆଡେ ତ୍ରିମୁଖୀ ଲଢେଇ ହେବ ବୋଲି ଲୋକେ କହିଲେଣି। କାରଣ ଏହି ଦୁଇ ଜଣଙ୍କ ଲଢେଇ ଭିତରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଏଣ୍ଟ୍ରି ମାରୁଛନ୍ତି ଆଉ ଜଣେ ଲୋକପ୍ରିୟ ନେତା।
ହଁ ଆଜ୍ଞା ନିକଟରେ କଂଗ୍ରେସରେ ମିଶିବା ସହ ଅଭିନେତାରୁ ନେତା ବନିଥିବା ମନୋଜ ମିଶ୍ର କୁଆଡେ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ହେବାକୁଯାଉଛନ୍ତି। ଆଉ ଯଦି ସେ ଏଠାରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ତେବେ ଏହା ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଲୋକେ କହଲେଣି। କାରଣ କିଛି ମାସ ତଳେ ଓଲିଉଡରେ ଦେଖାଦେଇଥିବା ଆଞ୍ଚଳିକ ବିବାଦ ସମୟରୁ ପଶ୍ଚିମ ଓଡିଶାରେ ଅଧିକ ପରିଚିତ ଓ ଲୋକପ୍ରିୟ ହୋଇଛନ୍ତି ମନୋଜ ମିଶ୍ର। ଆଉ ଏକ ଦିଗରୁ ଯଦି ଦେଖାଯାଏ ତାହେଲେ ମନୋଜ ହେଉଛନ୍ତି ସମ୍ବଲପୁରର ବାସିନ୍ଦା। ତେଣୁ ସେ ଯଦି ଏଠାରେ ପ୍ରାର୍ଥୀ ହୁଅନ୍ତି ତାହେଲେ ସ୍ଥାନୀୟ ବାସିନ୍ଦା ହିସାବରେ ତାଙ୍କ ପ୍ରତି ଅଧିକ ଲୋକସମର୍ଥନ ରହିବା ମଧ୍ୟ ସ୍ବଭାବିକ।
ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ସମ୍ବଲପୁର ଲୋକସଭା ଆସନରେ ତୃତୀୟ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନର ପିସିସି ସଭାପତି ଶରତ ପଟନାୟକ ସେଠାରୁ ପ୍ରାର୍ଥୀ ହୋଇ ୧ ଲକ୍ଷ ୩୫ ହଜାର ୯୬୯ ଭୋଟ ପାଇଥିଲେ। ଅର୍ଥାତ ସମ୍ବଲପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ଭୋଟ ମଧ୍ୟ କିଛି କମ ନୁହେଁ।
ଆଉ ଯଦି ମନୋଜ ମିଶ୍ର ଏଥର ସମ୍ବଲପୁରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୁଅନ୍ତି ତେବେ ଏହି ଦଳୀୟ ଭୋଟ ସହିତ ଜଣେ ଜାତୀୟ ସ୍ତରର ଅଭିନେତା ଭାବେ ତାଙ୍କର ରହିଥିବା ଲୋକପ୍ରିୟତା ମଧ୍ୟ ବେସ ଫରକ ପକାଇବ ବୋଲି କୁହାଯାଉଛି। ଯାହା ବିଜେଡି ପ୍ରାର୍ଥୀ ବବି ଦାସ ଏବଂ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ବଡ଼ ସମସ୍ୟା ହୋଇ ଉଭା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏସବୁ ଭିତରେ କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।