ଅଡୁଆରେ ସୁର । ବଡ଼ପୁଅ ସିଦ୍ଧାର୍ଥ ନା ସାନପୁଅ ମନ୍ମଥ… କାହା ପାଇଁ କରିବେ ପ୍ରଚାର? ଚିନ୍ତାରେ ଏବେ ସୁର ରାଉତରାୟ ।

ହରଡ଼ ଘଣାରେ ଫସିଗଲେ ସୁର ରାଉତରାୟ । ବଡ଼ପୁଅ ନା ସାନପୁଅ କାହାପାଇଁ କରିବେ ପ୍ରଚାର? ପରିବାର ଏବେ ହେଇଗଲା ଫାଳ ଫାଳ । କଂଗ୍ରେସ୍ ଦଳ ତଡ଼ିଲା ପରେ ପୁଣି ଯିବେକି ଦଳ ପ୍ରଚାରରେ? ଆଜ୍ଞା ହଁ ପୁଣି ଚର୍ଚ୍ଚାରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାର । ଏବେ ନିର୍ବାଚନ ମୈଦାନରେ ସୁରଙ୍କ ଦୁଇ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ମଥ ରାଉତରାୟ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମପାଡାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।

ଆଉ ଏବେ କୌଣସି ଦଳରେ ନଥିବାରୁ ଦୁଇପୁଅଙ୍କ ପାଇଁ ଖୋଲା ଖୋଲି ପ୍ରଚାର କରିବେ ବୋଲି କହିଛନ୍ତି ସୁର ରାଉତରାୟ । ହେଲେ କାହା ପାଇଁ ପ୍ରଚାର କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । ଦୁଇଟି ନାଆରେ ପାଦ ଦେଇଥିବା ସୁରଙ୍କର ଅବସ୍ଥା ଶୋଚନୀୟ ହେବନି ତ? କାରଣ କଥାରେ ଅଛି ଯିଏ ଭି ଦୁଇଟି ନାଆରେ ଗୋଡ଼ ଦେଇଛି ସେ ପାଣିରେ ବୁଡ଼ି ଯାଇଛି । ସେମିତି କିଛି ସୁର ରାଉତରାୟଙ୍କ ସହ ହେବନି ତ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।

ଗୋଟିଏ ପଟେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ, ଆଉ ଗୋଟିଏ ପଟେ ସାନ ପୁଅ ମନ୍ମଥ ରାଉତରାୟ, ଆଉ ମଝିରେ ସୁର ରାଉତରାୟ । ସୁରଙ୍କ ପରିବାରର ଏହି ରୋଚକ ଦୃଶ୍ୟ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶେଷକରି ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ନିମାପଡା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବା ପରେ, ସୁର କଣ କରିବେ ସେ ନେଇ ଚର୍ଚ୍ଚା ବଢ଼ି ଯାଇଛି । କାରଣ ସୁରଙ୍କ ସାନ ପୁଅ ମନ୍ମଥଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି ବିଜେଡି ।

ତେବେ ସେ ଏବେ କୌଣସି ଦଳରେ ନଥିବାରୁ ଦୁଇ ପୁଅଙ୍କ ପାଇଁ ପ୍ରଚାର କରିବେ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ସୁର । ମନ୍ମଥ ବିଜେଡିରେ ଯୋଗ ଦେବା ପରେ, ସିଦ୍ଧାର୍ଥ ଉଭୟ ବାପା ଓ ଭାଇଙ୍କୁ କଡା ସମାଲୋଚନା କରିଥିଲେ । ସ୍ୱାଭିମାନ ଓ ଓଡିଆ ଅସ୍ମିତାର କଥା କହି ଘେରିଥିଲେ । ଅନ୍ୟପଟେ ମନ୍ମଥଙ୍କ ପାଇଁ ପ୍ରଚାର କରିବା ଭିଡିଓ ଭାଇରାଲ ହେବା ପରେ ସୁରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍ମାର କରାଯାଇଛି । ଏସବୁ ଭିତରେ ସିଦ୍ଧାର୍ଥଙ୍କୁ ନିମାପଡାରୁ ପ୍ରାର୍ଥୀ କରିଛି କଂଗ୍ରେସ । ସୁରଙ୍କ ପରିବାରର ଏହି ରାଜନୀତି ଆଗାମି ଦିନରେ ବେଶ ରୋଚକ ହେବ ।

Leave a Reply

Your email address will not be published. Required fields are marked *